ମଉଳିଲା କଣ୍ଟାବାଞ୍ଜି ୱାଗନ କାରଖାନା ଆଶା, ଆସିବ ମେମୁ ଓ ସୋଲାର ପାର୍କ!

ବଲାଙ୍ଗୀର : କଳାହାଣ୍ଡି ଜିଲ୍ଲା ନିର୍ବାଚନୀ ପ୍ରଚାର ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୱାଗନ କାରଖାନା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। ଏପଟେ ବଲାଙ୍ଗୀର କଣ୍ଟାବାଞ୍ଜିଠାରେ ୱାଗନ କାରଖାନା ପ୍ରତିଷ୍ଠା ଦାବି ବହୁ ବର୍ଷ ହେଲା ଚାଲିଛି। ଏଠାକାର ଦାବି ଉପରେ କି ପଦକ୍ଷେପ ନିଆଯାଇଛି ତାହା ପରଖିଲା ବେଳକୁ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ରେଳ ବିଭାଗ ବଲାଙ୍ଗୀର ଜିଲ୍ଲାବାସୀଙ୍କ ବହୁ ଦିନର ଦାବିକୁ ଅଣଦେଖା କରିଛି। କଣ୍ଟାବାଞ୍ଜିରେ ଆଉ ୱାଗନ କାରଖାନା ହେବ ନାହିଁ। ଏପରିକି ୱାଗନ କରାଖାନା ନହେଲେ କଂକ୍ରିଟ ସ୍ଲିପର ପ୍ଲାଣ୍ଟ କରିବାକୁ ଦାବି କରୁଥିବା ନେତାଙ୍କ କଥାକୁ ବି ଶୁଣାଯାଇ ନାହିଁ। ବରଂ କଣ୍ଟାବାଞ୍ଜିରେ ଖାଲି ଥିବା କିଛି ଜମିରେ ଇଷ୍ଟକୋଷ୍ଟ ରେଲୱେ ଇଲେକ୍ଟ୍ରିକାଲ ଲୋକୋ ସେଡ ସହିତ ମେମୁ ସେଡ କରିବ। ସେହିପରି ଏକ ସୋଲାର ପାର୍କ କରିବାକୁ ସ୍ଥିର କରିଛି। ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି।

ନିର୍ବାଚନ ସମୟରେ ବିଭିନ୍ନ ଦଳର ପ୍ରାର୍ଥୀମାନେ କଣ୍ଟାବାଞ୍ଜି ୱାଗନ କାରଖାନାକୁ ପ୍ରସଙ୍ଗ କରିଛନ୍ତି। ଏପଟେ କଣ୍ଟାବାଞ୍ଜିରେ ଆଉ ୱାଗନ କାରଖାନା ହେବ ନାହିଁ ବୋଲି ତଥ୍ୟ ସାମ୍ନାକୁ ଆସିଛି। ବୁଲେଇ ବଙ୍କେଇ ରେଳ ବିଭାଗ ଏଠାକାର ଲୋକଙ୍କ ଦାବିକୁ ଅଣଦେଖା କରି ମେମୁ ସେଡ ଓ ସୋଲାର ପାର୍କ କରିବାକୁ ସ୍ଥିର କରିଥିବା ଅଭିଯୋଗ ଉଠିଛି। ଇଷ୍ଟକୋଷ୍ଟ ରେଲୱେ ସମ୍ବଲପୁର ଡିଭିଜନର ସିନିୟର ଡିଭିଜନାଲ ଇଞ୍ଜିନିୟର ତାଙ୍କ ଚିଠି ନଂ- ଜି/ଆରଟିଆଇ/ଏଚପି/ଏସପିପି/୧୪/୧୮ରେ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡାଙ୍କୁ ତଥ୍ୟ ଦେଇଛନ୍ତି। ସେ ଦେଇଥିବା ଚିଠିରେ କଣ୍ଟାବାଞ୍ଜିରେ ୬୮.୪୨ ଏକର ଜମି ଖାଲି ରହିଛି। ସେଥିରେ ଇଲେକ୍ଟ୍ରିକାଲ ଲୋକୋ ସେଡ ସହିତ ମେମୁ ସେଡ ଏବଂ ସୋଲାର ପାର୍କ କରିବାକୁ ନିଷ୍ପତ୍ତି ହୋଇଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି। ତାହା ବି ଅନୁମୋଦନ ମିଳି ନଥିବା ସେ ଦର୍ଶାଇଛନ୍ତି। ଯଦି ଖାଲିଥିବା ଜମିରେ ମେମୁ ସେଡ ଓ ସୋଲାର ପାର୍କ ହୁଏ, ତାହେଲେ ୱାଗନ କାରଖାନା ଆଉ କେଉଁଠି ହେବ? ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲା ଏକ ଶିଳ୍ପବିହୀନ ଜିଲ୍ଲା। ଜିଲ୍ଲାରେ ଦାଦନ ସମସ୍ୟା ଲାଗି ରହିଛି। ଏଠାରେ ଲୋକଙ୍କୁ କର୍ମ ନିଯୁକ୍ତିର ବ୍ୟବସ୍ଥା ନାହିଁ। ବେକାରୀ ସମସ୍ୟା ବଢ଼ିବାରେ ଲାଗିଛି। ଏପଟେ କଣ୍ଟାବାଞ୍ଜିରେ ରେଳ ବିଭାଗର ବହୁ ଜମି ଖାଲି ପଡିଛି। ସେଠାରେ ରେଳ ୱାଗନ କାରଖାନା ନିର୍ମାଣ କରାଯାଉ ବୋଲି ବହୁ ବର୍ଷ ହେଲା ଦାବି ହେଉଛି।

୨୦୧୦-୧୧ ରେଳ ବଜଟେ ପରେ ଓଡ଼ିଶାରେ କେଉଁଠି ରେଳଡବା କାରଖାନା ହେବ ସେ ନେଇ ଲୋକସଭାରେ ବିତର୍କ ହୋଇଥିଲା। ତତ୍କାଳୀନ ରେଳମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶା ସରକାର ଜମି ଯୋଗାଇ ଦେଲେ ଯେଉଁଠି କହିବେ ରେଳ ୱାଗନ କାରଖାନା ନିର୍ମାଣ ହୋଇ ପାରିବ ବୋଲି କହିଥିଲେ। ସେ ସମୟରେ ଲୋକସଭାରେ ବିଜେଡିରୁ ନିର୍ବାଚିତ ତତ୍କାଳୀନ ଯାଜପୁର ସାଂସଦ କଣ୍ଟାବାଞ୍ଜିରେ ୭୦୦ ଏକର ଜମି ଓ ଛତ୍ରପୁରଠାରେ ୪୦୦ ଏକର ରେଳ ବିଭାଗର ଜମି ଥିବା ଉଲ୍ଲେଖ କରିଥିଲେ। ପ୍ରାୟ ପ୍ରତି ବର୍ଷ ବିଧାନସଭା ଗୃହ କମିଟି ମଧ୍ୟ କେନ୍ଦ୍ର ସରକାରଙ୍କ ପାଖରେ କଣ୍ଟାବାଞ୍ଜିରେ ରେଳ ୱାଗନ କାରଖାନା ପ୍ରତିଷ୍ଠା କରାଯାଉ ବୋଲି ଦାବି କରିଛନ୍ତି। ସେହିପରି ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବଲାଙ୍ଗୀର ଜିଲ୍ଲାର ସାଂସଦ କଳିକେଶ ନାରାୟଣ ସିଂହଦେଓ, କଣ୍ଟାବାଞ୍ଜି ବିଧାୟକ ଆୟୁବ ଖାନ, ଲୋଇସିଂହା ବିଧାୟକ ଯୋଗେନ୍ଦ୍ର ବେହେରା, ପାଟଣାଗଡ଼ ବିଧାୟକ କନକବର୍ଦ୍ଧନ ସିଂହଦେଓ ଏହି ଦାବି ଉଠାଇ ଆସୁଛନ୍ତି। ବିଭିନ୍ନ କାର୍ଯ୍ୟକ୍ରମରେ ନେତାଗଣ ନିଜ ବକ୍ତବ୍ୟରେ ଦାବି ଉଠାଇ ଆସିଛନ୍ତି। ବଲାଙ୍ଗୀରକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କିଛି ଦିନ ପୂର୍ବରୁ ହୋଇଥିଲା। ଏହି ସମୟରେ ସାଂସଦ କଳିକେଶ ଦାବିପତ୍ର ଦେଇଥିଲେ। ୨୦୧୭ ମସିହାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଲାଙ୍ଗୀର ଗସ୍ତରେ ଆସିବା ସମୟରେ ଏକ ସଭାରେ କଣ୍ଟବାଞ୍ଜିରେ ୱାଗନ କାରଖାନା ନେଇ ସେ ପଦକ୍ଷେପ ନେବେ ବୋଲି କହି ଫେରିଥିଲେ। ବିଭିନ୍ନ ସମୟରେ ଏହି ଦାବି ନେଇ କଣ୍ଟାବାଞ୍ଜିରେ ଆନ୍ଦୋଳନ ହୋଇଆସୁଛି। ଏଥର ଏହି ୱାଗନ କାରଖାନା ନିର୍ବାଚନୀ ପ୍ରସଙ୍ଗ ହୋଇଛି। ଶାସକ ବିଜେଡି ଓ କଂଗ୍ରେସ ଦଳର ନେତା କେନ୍ଦ୍ରର ବିଜେପିକୁ ଦାୟୀ କରୁଛନ୍ତି। ଏପଟେ ରାଜ୍ୟର ଅବହେଳା ପାଇଁ ପ୍ରକଳ୍ପମାନ ଆଗେଇ ପାରୁନି ବୋଲି ବିଜେପି ନେତା କହୁଛନ୍ତି। ଏଭଳି ଭାବରେ ରାଜନୀତି ଚାଲିଥିବା ସମୟରେ ମେମୁ ସେଡ କଥା ସାମ୍ନାକୁ ଆସିଛି। ଦାବିରେ ହିଁ ସୀମିତ ରହିଥିବା ପ୍ରସଙ୍ଗ ହଜିଯାଇଛି ଓ କଣ୍ଟାବାଞ୍ଜିକୁ ମେମୁ ସେଡରେ ହିଁ ସନ୍ତୁଷ୍ଟ ହେବାକୁ ପଡ଼ିବ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର