ମାଲକାନଗିରି : ମାଲକାନଗିରି ଜିଲ୍ଲାର ବଣ୍ଡା ଘାଟିକୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ଦୀର୍ଘ ବର୍ଷ ତଳେ ହୋଇଥିବା ବେଲି ବ୍ରିଜ୍ ପରିକଳ୍ପନା କିଛି ମାସ ତଳେ ହିଁ ସାକାର ହୋଇଛି। କିନ୍ତୁ ଖଇରପୁଟ ବ୍ଲକର ବଣ୍ଡାଘାଟି ଏବେ ବି ବାହ୍ୟ ଜଗତରୁ ଏକ ପ୍ରକାର ବିଚ୍ଛିନ୍ନ ହୋଇ ରହିଛି। ବଣ୍ଡାଘାଟିକୁ ଦୁଇ ଦୁଇଟି ବେଲିବ୍ରିଜ୍ ନିର୍ମାଣ ହୋଇଥିଲେ ହେଁ ସେଥିରୁ ଗୋଟିଏ ଏପର୍ଯ୍ୟନ୍ତ ଲୋକଙ୍କ କାମରେ ଆଦୌ ଲାଗିନାହିଁ। ବ୍ରିଜ୍ ନିର୍ମାଣ ପରେ ଉଭୟ ପାର୍ଶ୍ୱରେ ପକ୍କା ରାସ୍ତା କରିବାକୁ ଭୁଲି ଯାଇଛି ପ୍ରଶାସନ। ତେଣୁ କୋଟିଏ ଟଙ୍କା ଖର୍ଚ୍ଚରେ ନିର୍ମିତ ବେଲିବ୍ରିଜ୍ ଲୋକଙ୍କ ଯାତାୟାତକୁ ଅପେକ୍ଷା କରି ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ବଣ୍ଡାଘାଟିର ବନାପାଚେରି ଓ କନ୍ୟା କନ୍ୟାଶ୍ରମ ନିକଟରେ ଦୁଇଟି ବେଲିବ୍ରିଜ୍ ନିର୍ମାଣ କରାଯାଇଛି। ସେଥିରୁ କେବଳ କନ୍ୟାଶ୍ରମ ବେଲିବ୍ରିଜ୍ ବ୍ୟବହାର ହେଉଛି। କିନ୍ତୁ ବନାପାଚେରି ସ୍ଥିତ ବ୍ରିଜ୍ କାମ ଶେଷ ହୋଇ ବହୁ ଦିନ ବିତି ଯାଇଥିଲେ ମଧ୍ୟ ଆପ୍ରୋଚ୍ ରୋଡ୍ କାମ ଏପର୍ଯ୍ୟନ୍ତ ହୋଇପାରୁ ନାହିଁ। ଖଇରପୁଟ ଠାରୁ ପଡେଇଗୁଡା ପର୍ଯ୍ୟନ୍ତ ନିର୍ମାଣଧୀନ ରାସ୍ତା ଏହି ପୋଲକୁ ସଂଯୋଗ କରିବ ବୋଲି କୁହାଯାଉଛି। ବିଭିନ୍ନ କାରଣରୁ ଏହି ରାସ୍ତା କାମ ବିଳମ୍ବିତ ହେବାରେ ଲାଗିଛି। ରାସ୍ତାରେ ଘାଟି ପଡ଼ୁଥିବାରୁ ବଡ଼ ବଡ଼ ପଥର କଟା ଚାଲିଥିବା ଦେଖିବାକୁ ମିଳିଛି। ଘାଟି କାମ ସରିବା ପରେ ହିଁ ବେଲିବ୍ରିଜ୍ ପର୍ଯ୍ୟନ୍ତ ରାସ୍ତା ହୋଇଯିବ ବୋଲି ସୂଚନା ମିଳିଛି। ତେବେ ଏଥିପାଇଁ କେତେ ସମୟ ଲାଗିବ ଏବଂ ଅନୁନ୍ନତ ବଣ୍ଡା ସଂପ୍ରଦାୟ ବିକାଶର ଆଲୋକ କେବେ ଦେଖିବେ ସେନେଇ କେହି କିଛି ସ୍ପଷ୍ଟ କରୁନାହାନ୍ତି।
ଅନ୍ୟପକ୍ଷରେ ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁ ଶିଶା ଯଥାଶୀଘ୍ର ପୋଲକୁ ସଂଯୋଗ କରିବାକୁ ଥିବା ରାସ୍ତା କାମ ଶେଷ ହେବ ବୋଲି କହିଛନ୍ତି। ୨୨କୋଟି ଟଙ୍କା ବିନିମୟରେ ଗ୍ରାମ୍ୟ ଉନ୍ନୟନ ଏବଂ ଗୃହ ନିର୍ମାଣ ବିଭାଗ ପକ୍ଷରୁ ବଣ୍ଡାଘାଟି ଅଞ୍ଚଳରେ ରାସ୍ତା କାମ ଚାଲିଛି। ସେହିପରି ପଡେଇଗୁଡା ଠାରୁ କୋରାପୁଟ ଜିଲ୍ଲାର ଅନକାଡେଲି ପର୍ଯ୍ୟନ୍ତ ୨୧କୋଟି ଟଙ୍କା ବ୍ୟୟରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଅନ୍ୟ ଗୋଟିଏ ରାସ୍ତା କାମ ଚାଲିଛି। ଉଭୟ ରାସ୍ତା କାମ ଶେଷ ହୋଇଗଲେ ବଣ୍ଡାଘାଟିକୁ ଯାତାୟାତ ସୁବିଧା ହୋଇଯିବ ବୋଲି କହିଥିଲେ। କିଛି ମାସ ତଳେ ରାସ୍ତା କାମରେ ନିୟୋଜିତ ଥିବା ଗାଡି ଗୁଡିକକୁ ନକ୍ସଲ ପୋଡ଼ି ଦେବା ସହ କାମକୁ ବିରୋଧ କରିଥିଲେ। ପରବର୍ତୀ ସମୟରେ ରାସ୍ତା କାମ ଆରମ୍ଭ ହୋଇଯାଇଥିବା ବିଧାୟକ କହିଛନ୍ତି।