ଗାଁ’କୁ ରାସ୍ତା ନାହିଁ, ପୁଣି ଭୋଟ ବର୍ଜନ କରିବେ ନାଗୁପଡ଼ା ଗ୍ରାମବାସୀ

ଜୟପାଟଣା : ଉଦୟଗିରି ପାହାଡ଼ର ଠୁଙ୍ଗିଗଡ଼ର ପାଦ ଦେଶରେ ଅବସ୍ଥିତ ନାଗୁପଡ଼ା ଗାଁ। ଗାଁ’କୁ ସିଧା ସଳଖ ସଂଯୋଗ ନଥିବାରୁ ବର୍ଷା ଦିନେ ଲୋକେ ଏକ ପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ପଡ଼ିନ୍ତି। ଚିରସ୍ରୋତା ଛଞ୍ଚାଣଗାଡ଼ ଝରଣା ବର୍ଷକୁ ଛଅ ମାସ ଗାଁ ପାଇଁ ପ୍ରତିବନ୍ଧକ ସାଜି ଥାଏ। ସେହି ଚିରସ୍ରୋତା ଝରଣା ଉପରେ ପୋଲ ନିର୍ମାଣ ପାଇଁ ଲୋକଙ୍କ ସମସ୍ତ ପ୍ରକାର ଉଦ୍ୟମ ସତ୍ୱେ କେବେ ହେଲେ ପୋଲ ନିର୍ମାଣ ହୋଇପାରି ନାହିଁ। ଗତ ପଞ୍ଚାୟତ ନିର୍ବାଚନରେ ଏହି ଗାଁ ଲୋକେ ଭୋଟ ବର୍ଜନ କରି ସରକାରଙ୍କୁ ନିଜର ପ୍ରତିକ୍ରିୟା ଜଣାଇଥିଲେ। ଭୋଟ ବର୍ଜନ ପରେ ମନ୍ତ୍ରୀ ନିରଞ୍ଜନ ପୂଝାରୀ, ବିଧାୟକ ବଳଭଦ୍ର ମାଝୀ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସିଇଓଙ୍କ ଠାରୁ ଜିଲ୍ଲା ପ୍ରଶାସନ ଗାଁ’ରେ ପହଞ୍ଚି ଲୋକଙ୍କୁ ଆଶ୍ୱସନାରେ ପୋତି ଦେଲେ। ଏବେ ୨୦୧୯ ସାଧାରଣ ନିର୍ବାଚନ ମୁଣ୍ଡ ଉପରେ। ହେଲେ ଗାଁ ପାଇଁ ପ୍ରତିବନ୍ଧକ ସାଜି ଥିବା ଛଞ୍ଚଣଗାଡ଼ ନାଲା ନିର୍ମାଣ ହୋଇ ପାରିଲା ନାହିଁ। ବରଂ ବ୍ଳକ୍ ଦ୍ୱାରା ଗାଁ ମଧ୍ୟରେ ବିଭାଜନ କରୁଥିବା ଧୋବେନ ଝରନ୍ ଉପରେ ଏକ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା। ଫଳରେ ଗାଁ ପାଇଁ ସଂଯୋଗ ଖୋଜୁଥିବା ମଣିଷ ମାନଙ୍କୁ ସମ୍ପର୍ଣ୍ଣ ନିରାଶ ହେବାକୁ ପଡ଼ିଲା। ମୁଖିଗୁଡ଼ାସ୍ଥିତ ଇନ୍ଦ୍ରାବତୀ ପ୍ରକଳ୍ପ ଠାରୁ ମାତ୍ର ଦେଢ଼ କିଲୋମିଟର ଦୂରେ ଅବସ୍ଥିତ ନାଗୁପଡ଼ା ଗାଁ। ଏହି ଗାଁର ପରିଚୟ ଗଙ୍ଗ ବଂଶ ଠାରୁ ଆରମ୍ଭ କରି ନାଗ ବଂଶ ପର୍ଯ୍ୟନ୍ତ ପରିବ୍ୟାପ୍ତ। ଇନ୍ଦ୍ରାବତୀ ପ୍ରକଳ୍ପ ସାଙ୍ଗରେ ସିଧା ସମ୍ପର୍କ ରଖି ଆସିଥିବା ନାଗୁପଡ଼ା ଲୋକେ ବିଶ୍ୱାସ ରଖିଥିଲେ ଯେ ଏକ ବିଶାଳ ପ୍ରକଳ୍ପର ପାରିପାର୍ଶ୍ବିକ ଅନୁଦାନ ପାଣ୍ଠିରୁ ନାଗୁପଡ଼ାର ନିଶ୍ଚିତ ବିକାଶ ହେବ। କିନ୍ତୁ ତାହା ମଧ୍ୟ ପାଣିରଗାର ପାଲଟିଗଲା। ଇନ୍ଦ୍ରାବତୀ ଯୋଗୁଁ ଭିଟାମାଟି ହରାଇ ଥିବା ବୁଢ଼ୀ ଅଞ୍ଚଳର ଲୋକେ ମଧ୍ୟ ଏଠରେ ବସବାସ କରିବା ସତ୍ୱେ ସରକାରଙ୍କ ଚେତା ପଶିଲାନି। ଗତ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ ପରେ ନେତା ଓ ଅଧିକାରୀଙ୍କ ଯାବତୀୟ ଆଶ୍ୱାସନା ଶୀତଳ ଭଣ୍ଡାରକୁ ଚାଲିଗଲା। ଆଗକୁ ସାଧାରଣ ନିର୍ବାଚନ। ଏଥିପାଇଁ ପ୍ରଶାସନଠାରୁ ରାଜନୈତିକ ନେତାମାନେ ତତ୍ପର। ହେ‌ଲେ ଗାଁ’କୁ ରାସ୍ତା ନ ଥିବାରୁ ଦ୍ବିତୀୟ ଥର ଲୋକେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏହି ନାଗୁପଡ଼ାବାସୀଙ୍କ ଆଗାମୀ ନିର୍ବାଚନରେ ଭୋଟ ବର୍ଜନର ଚରମ ଚେତାବନୀ ପ୍ରଶାସନକୁ କେତେ ଦୂର ପ୍ରଭାବିତ କରୁଛି ତାହା ଦେଖିବାର ବେଳ ଆସିଛି।

ସମ୍ବନ୍ଧିତ ଖବର