ସବୁ ବିଚ୍ଛିନ୍ନାଞ୍ଚଳର ଭାଗ୍ୟ ଫିଟାଇନି ଗୁରୁପ୍ରିୟା, ଆହୁରି ୭ ପଞ୍ଚାୟତ ଅପହଞ୍ଚ

ମାଲକାନଗିରି : ଗୁରୁପ୍ରିୟା ସେତୁ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ  ବିଚ୍ଛିନାଞ୍ଚଳର ସ୍ୱପ୍ନକୁ କେତେ ପୂରଣ କରିବ, ତାହାକୁ ନେଇ ଏବେ ମାନସମନ୍ଥନ ଆରମ୍ଭ ହୋଇଛି। ଏହି ସେତୁ ଦ୍ୱାରା ବାସ୍ତବକ୍ଷେତ୍ରରେ ୩ ଟି ପଞ୍ଚାୟତକୁ ଯୋଗାଯୋଗ ସୁଗମ ହେବ। ମାତ୍ର, ୭ ଟି ପଞ୍ଚାୟତ ପୂର୍ବଭଳି ବିଚ୍ଛିନ୍ନ ରହିବ। ଏହି ପଞ୍ଚାୟତଗୁଡ଼ିକ ଯୋଗାଯୋଗ ପାଇଁ ଆହୁରି ୭ଟି ପୋଲର ଆବଶ୍ୟକତା ରହିଛି ବୋଲି କୁହାଯାଉଛି।

ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳରେ ରହିଛି ମୋଟ ୧୦ଟି ପଞ୍ଚାୟତ। ବିଶାଳ ଜଳରାଶି ଏହି ପଞ୍ଚାୟତ ଗୁଡ଼ିକୁ ଘେରି ରହିଛି। ଯୋଗାଯୋଗର ଗୋଟିଏ ମାତ୍ର ମାଧ୍ୟ ହେଲା ଜଳପଥ। ତେବେ ଲୋକଙ୍କ ଏହି ଦୁର୍ଦଶାର ସ୍ଥାୟୀ ସମାଧାନ ପାଇଁ ଦୀର୍ଘ ବର୍ଷ ତଳେ ସରକାର ଏହି ମେଗା ପ୍ରକଳ୍ପର ପରିକଳ୍ପନା କରିଥିଲେ। ଜାନବାଇ ଘାଟରୁ ବିଚ୍ଛିନ୍ନାଞ୍ଚଳକୁ ଯୋଡ଼ିବା ପାଇଁ ୯୧୦ ମିଟର ଲମ୍ବା ପୋଲ ବି ନିର୍ମାଣ କରିଛନ୍ତି। କୁହାଯାଉଛି ଏହି ପୋଲ ବିଚ୍ଛିନ୍ନାଞ୍ଚଳବାସୀଙ୍କ ସବୁ ଦୁଃଖ ଦୂର କରିବ। କିନ୍ତୁ ବାସ୍ତବତା ହେଲା ମାତ୍ର ୩ଟି ପଞ୍ଚାୟତ ହିଁ ଏହି ପୋଲ ଦ୍ୱାରା ଉପକୃତ ହେବେ। ବଳକା ୭ଟି ପଞ୍ଚାୟତ ପୂର୍ବଭଳି ବିଚ୍ଛିନ୍ନ ହୋଇ ରହିବ। ଏହି ପଞ୍ଚାୟତ ଗୁଡ଼ିକ ହେଲା, ପଣସପୁଟ, ଅଣ୍ଡ୍ରାପାଲି, ଯୋଡାଆମ୍ବ, ବଡପଡା, ପେପରମେଟଲା, ରାଲଗେଡା ଓ ପାପଲୁର୍‌। ଏହି ୭ଟି ପଞ୍ଚାୟତ ପୂର୍ବଭଳି ବିଚ୍ଛିନ୍ନ ହୋଇ ରହିବ, ଯଦିଓ ଆସନ୍ତାକାଲି ସ୍ଥଳଭାଗ ବିଚ୍ଛିନ୍ନାଞ୍ଚଳକୁ ଛୁଇଁବ। କିନ୍ତୁ  ଲୋକଙ୍କ ସବୁ ସମସ୍ୟା ଦୂର ହେବାକୁ ଆହୁରି ସମୟ ଲାଗିବ।

ବିଚ୍ଛିନାଞ୍ଚଳ ଅଧିବାସୀଙ୍କ କହିବାନୁସାରେ, ଆନ୍ଧ୍ର ସୀମାକୁ ଲାଗି ରହିଥିବା ବିଚ୍ଛିନ୍ନାଞ୍ଚଳର ବହୁ ଗ୍ରାମକୁ ଯିବାକୁ ହେଲେ ଏବେ ବି ଜଳପଥ ହିଁ ଭରସା। ଜାନବାଇ ଓ ସ୍ପିଲୱେରୁ ଆଉ ବୋଟ ଚାଲିବ ନାହିଁ ବୋଲି କୁହାଯାଉଥିଲା। ହେଲେ ଦୁର୍ଗମ ଅଞ୍ଚଳକୁୁ ଯିବା ପାଇଁ ସେତୁ ବଦଳରେ ଏବେ ବି ବୋଟ ହିଁ ଦରକାର ପଡିବ। ଅନ୍ୟପକ୍ଷରେ ବିଚ୍ଛିନ୍ନାଞ୍ଚଳର ବିକାଶରେ ପ୍ରତିବନ୍ଧକ ସାଜିଛନ୍ତି ନକ୍ସଲ। ଲାଲ ବାହିନୀର ତାଣ୍ଡବରେ ଲୋକେ ଅତିଷ୍ଠ ହେଲେଣି। ତଥାପି ମୁହଁ ଖୋଲି ପ୍ରତିବାଦ କରିବାକୁ ସାହସ ଜୁଟାଇ ପାରୁନାହାନ୍ତି ବୋଲି ସେମାନେ କହିଛନ୍ତି।

‘ଗ୍ରାଉଣ୍ଡଜିରୋ’ର ତଥ୍ୟ ଅନୁସାରେ, ୭୦ କିଲୋମିଟରରୁ ଊର୍ଦ୍ଧ୍ୱ ବିସ୍ତତ ଜଳରାଶି ଉପରେ ବିଚ୍ଛିନ୍ନାଞ୍ଚଳର ଲୋକ ମଟର ଲଞ୍ଚ ଏବଂ ଦେଶୀ ଡଂଗା ଉପରେ ନିର୍ଭର କରନ୍ତି। ଚିତ୍ରକୋଣ୍ଡା ବଜାରରୁ ହିଁ ସପ୍ତାହକ ପାଇଁ ରାସନ କିଣନ୍ତି। ଏଥିପାଇଁ ସେମାନଙ୍କୁ ଦୁଇରୁ ତିନି ଦିନ ସମୟ ଲାଗି ଯାଉଛି। ଏବେ ଦେଖିବାକୁ ବାକି ରହିଲା ବିଚ୍ଛିନ୍ନାଞ୍ଚଳର ବାକି ୭ଟା ପଞ୍ଚାୟତ  ଆଉ କେତେ ଦିନ ବିଚ୍ଛିନ୍ନ ହୋଇ ରହିବ।

ସମ୍ବନ୍ଧିତ ଖବର