ରାଜ୍ୟରେ ୧୧ ହଜାର ପରିବାରଙ୍କ ବାସୋପଯୋଗୀ ଜମି ନାହିଁ

ଭୁବନେଶ୍ୱର : ୨୦୧୫ ମସିହାରେ କରାଯାଇଥିବା ସର୍ଭେ ଅନୁଯାୟୀ ରାଜ୍ୟରେ ୧,୧୧,୩୨୫ ବାସଗୃହହୀନ ପରିବାର ଚିହ୍ନଟ କରାଯାଇଛି। ଏହା ମଧ୍ୟରୁ ୧,୦୦,୨୮୧ଟି ପରିବାରଙ୍କୁ ବାସୋପଯୋଗୀ ଜମି ଯୋଗାଇ ଦିଆଯାଇଛି। ବସୁନ୍ଧରା ଯୋଜନାରେ ଏହି ଘରଡିହ ପଟ୍ଟା ଦେବାର ବ୍ୟବସ୍ଥା କରାଯାଇଛି। ବିଧାୟକ କନକ ବର୍ଦ୍ଧନ ସିଂହଦେଓଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ୨୦୧୫ ମସିହା ସର୍ଭେରେ ସମ୍ବଲପୁର ଜିଲ୍ଲାରେ ସର୍ବାଧିକ ବାସଗୃହହୀନ ପରିବାର ଥିଲେ। ଏହି ସଂଖ୍ୟା ୨୨,୩୪୬। ତାହା ପଛକୁ ରହିଛି କଳାହାଣ୍ଡି(୧୩,୪୨୧) ଓ ନବରଙ୍ଗପୁର(୧୨,୪୬୬)। ୨୦୧୮ ମାର୍ଚ୍ଚ ସୁଦ୍ଧା ଏହି ତିନିଟି ଜିଲ୍ଲାରେ ଯଥାକ୍ରମେ ୨୨,୦୨୨, ୧୩,୧୬୮ ଓ ୧୦,୯୬୨ ବାସଗୃହହୀନ ପରିବାରକୁ ବାସୋପଯୋଗୀ ଜମି ଯୋଗାଇଦିଆଯାଇଛି। ସେହିପରି ସର୍ବନିମ୍ନ ବାସଗୃହହୀନ ପରିବାର ଥିବା ଜିଲ୍ଲା ହେଲା ଜଗତସିଂହପୁର। ଏହି ଜିଲ୍ଲାରେ ୨୦୧୫ରେ ୩୨ ଜଣ ବାସଗୃହହୀନ ପରିବାର ଥିଲେ। ଏହା ମଧ୍ୟରୁ ୩୧ ଜଣଙ୍କୁ ଜମି ଦିଆସରିଛି।

ସମ୍ବନ୍ଧିତ ଖବର