ଟିକେଟ ପାଇଲେ ନାହିଁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସରେ ଯେଉଁମାନେ ବର୍ଷ ତମାମ ଟିଭି ପରଦାରେ ଦଳର ପ୍ରତିନିଧିତ୍ୱ କରୁଥିଲେ

ଭୁବନେଶ୍ୱର : ଟିଭି ଚେହେରାଙ୍କୁ ମିଳିଲା ନାହିଁ ଟିକେଟ । ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସରେ ଯେଉଁମାନେ ବର୍ଷ ତମାମ ଟିଭିରେ ଚେହେରା ବନିଥିଲେ, ସେମାନେ କିନ୍ତୁ ଏଥର ଟିକେଟ ପାଇ ନାହାନ୍ତି । ପ୍ରଶ୍ନ ଉଠୁଛି ଟିଭି ଷ୍ଟୁଡିଓରେ ଲଢେଇ କରୁଥିବା ନେତାଙ୍କୁ କାହିଁକି ମୈଦାନରେ ନିର୍ବାଚନ ଲଢେଇ ପାଇଁ ଆଗ୍ରହୀ ହେଉ ନାହାନ୍ତି ସେହି ଦଳର ସର୍ବୋଚ୍ଚ ନେତା ।

ବିଜେଡି ନେତା ସୁବାସ ସିଂହ । ନ୍ୟୁଜ ଚ୍ୟାନେଲଗୁଡିକରେ ଶାସକ ଦଳ ପାଇଁ ଶାଣିତ ଯୁକ୍ତି ବାଢ଼ନ୍ତି । ଉଚ୍ଚ କଣ୍ଠସ୍ୱରରେ ବିରୋଧୀଙ୍କ ଆକ୍ରମଣର କଡ଼ା ଜବାବ ଦିଅନ୍ତି । କଟକ ବାରବାଟୀ ଆସନରୁ ଦଳୀୟ ଟିକେଟ ପାଇଁ ଥିଲେ ଅନ୍ୟତମ ଦାବିଦାର । ହେଲେ ସୁବାସଙ୍କୁ ଏଥର ମିଳିନାହିଁ ଟିକେଟ୍ ।

ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ଦଳର ନୀତି ସଂପର୍କରେ ଟିଭି ଷ୍ଟୁଡିଓରେ ବାଖ୍ୟା କରନ୍ତି ସସ୍ମିତ । ସବୁବେଳେ ନିଜ ଯୁକ୍ତିରେ ବିରୋଧୀଙ୍କୁ ମାତ୍ ଦେବାକୁ କରିଥାନ୍ତି ଉଦ୍ୟମ । କନ୍ଧମାଳ ଲୋକସଭା ପାଇଁ ତାଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଥିଲା । ହେଲେ ତାଙ୍କୁ ମିଳିଲା ନାହିଁ ଦଳୀୟ ଟିକେଟ୍ ।

କେବଳ ବିଜେଡି ନୁହେଁ ବିଜେପିରେ ମଧ୍ୟ ଏକା ଅବସ୍ଥା । ଟିଭି ପରଦା ଉପରେ ହେଉ କିମ୍ବା ପ୍ରେସ ମିଟ୍, ଦଳ ପାଇଁ ଦୃଢ଼ ଯୁକ୍ତି ରଖୁଥିବା ରାଜ୍ୟ ଉପସଭାପତି ସମୀର ମହାନ୍ତି ଏଥର ନିର୍ବାଚନ ମଇଦାନରେ ନାହାନ୍ତି । ତାଙ୍କୁ ଦଳୀୟ ଟିକେଟ୍ ମିଳିନାହିଁ । ସେହିପରି ବିଜେପି ମୁଖପାତ୍ର ଗୋଲକ ମହାପାତ୍ରଙ୍କୁ ମଧ୍ୟ ଦଳ ପ୍ରାର୍ଥୀ କରିନାହିଁ ।

ବିଜେଡିର ଯୁବ ନେତା ତେଜେଶ୍ୱର ପରିଡ଼ା । ଦୀର୍ଘ ଦିନ ଧରି ଟିଭି ପରଦାରେ ଦଳର ପ୍ରତିନିଧିତ୍ୱ କରିଥାନ୍ତି । ପାଟକୁରା ଆସନରୁ ଟିକେଟ ପାଇଁ ଲବି ମଧ୍ୟ କରୁଥିଲେ । ହେଲେ ତାଙ୍କୁ ଦଳୀୟ ଟିକେଟ ମିଳିନାହିଁ ।

ସୁଲୋଚନା ଦାସ । କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେବା ପରେ ତାଙ୍କୁ ମିଳିଥିଲା ଦଳର ମୁଖପାତ୍ର ଦାୟିତ୍ୱ । ପ୍ରତିଦିନ ସଂଧ୍ୟାରେ ତାଙ୍କୁ କୌଣସି ନା କୌଣସି ଟିଭି ଚ୍ୟାନେଲରେ ଦେଖିବାକୁ ମିଳିଥାଏ, ହେଲେ ଏଥର ତାଙ୍କୁ ମଧ୍ୟ ନିରାଶ ହେବାକୁ ପଡ଼ିଛି ।

ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର । ପ୍ରାଇମ୍ ଟାଇମ୍ ବୁଲେଟିନରେ ଅଧିକାଂଶ ସମୟରେ ତାଙ୍କୁ ଦେଖିବାକୁ ମିଳିଥାଏ । ଯେକୌଣସି ପ୍ରସଙ୍ଗ ହେଉ, ଦଳ ସପକ୍ଷରେ ଶାଣିତ ଯୁକ୍ତି ବାଢ଼ିଥାନ୍ତି ଲେଖାଶ୍ରୀ । ଅନେକ ସମୟରେ ତାଙ୍କ କଟାକ୍ଷର ସାମନା କରିବାକୁ ପଡ଼ିଥାଏ ବିରୋଧୀଙ୍କୁ । ହେଲେ ତାଙ୍କର ନିର୍ବାଚନ ଲଢ଼ିବା ଇଚ୍ଛା ଏଥର ପୂରଣ ହୋଇନାହିଁ । ସେହିପରି ବିଜେପିର ଆଉ ଜଣେ ଟିଭି ଚେହେରା ବିଶ୍ୱଜିତ୍ ମହାନ୍ତିଙ୍କୁ ମଧ୍ୟ ଦଳ ଟିକେଟ୍ ଦେଇନାହିଁ ।

ଲେନିନ୍ ମହାନ୍ତି । ବିଜେଡି ମୁଖପାତ୍ର ଭାବେ ଯୁକ୍ତି ବାଢ଼ିଥାନ୍ତି ଟିଭିରେ । ଟିକେଟ ରେସରେ ମଧ୍ୟ ଥିଲେ ଲେନିନ୍ । ତେବେ ଦଳୀୟ ସୁପ୍ରିମୋଙ୍କ ଶୁଭଦୃଷ୍ଟି ପଡିନାହିଁ ତାଙ୍କ ଉପରେ । ସେହିପରି ବିଜେଡିର ଆଉ ଜଣେ ଟିଭି ଚେହେରା ହେଉଛନ୍ତି ସୁଲତା ଦେଓ । ଏଥର ତାଙ୍କୁ ମଧ୍ୟ ନିରାଶ ହେବାକୁ ପଡ଼ିଛି । ଏହି ତାଲିକାରେ ରହିଛନ୍ତି କଂଗ୍ରେସ ନେତ୍ରୀ ସୋନାଲି ସାହୁ । ତାଙ୍କୁ ମଧ୍ୟ ଟିକେଟ ଦେଇନାହିଁ କଂଗ୍ରେସ ।

ସମ୍ବନ୍ଧିତ ଖବର