ଭୁବନେଶ୍ୱର ଓ କଟକରେ ପରିବା, ତେଜରାତି, ଔଷଧ ଆଦି କିଣିଯିବାକୁ ବାଇକ୍ ଓ କାର୍ ବ୍ୟବହାର ମନା

ଭୁବନେଶ୍ୱର: ଭୁବନେଶ୍ୱର ଓ କଟକ ସହରରେ ପନିପରିବା, ତେଜରାତି ସଉଦା ଏବଂ ଔଷଧପତ୍ର ଆଦି ଖରିଦ କରିବାକୁ ଯିବାଲାଗି ବାଇକ୍ କିଂବା କାର୍ ବ୍ୟବହାର କରି ହେବନାହିଁ ବୋଲି ପୁଲିସ କମିସନର୍ କହିଛନ୍ତି ।

ଭୁବନେଶ୍ୱର ଓ କଟକ ପୁଲିସ କମିସନର୍ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ଟୁଇଟ୍ କରି ଲେଖିଛନ୍ତି ଯେ ପରିବା, ତେଜରାତି, ଔଷଧ ଆଦି କିଣିବାକୁ ବାଇକ୍ କିଂବା କାର ବ୍ୟବହାର ନିମନ୍ତେ ଅନୁମତି ଦିଆଯିବ ନାହିଁ ।

ପାସ୍ ଥାଉ କି, ନ ଥାଉ ବଜାରକୁ ଯାଇଥିବା ଯେ କୌଣସି ଯାନବାହାନକୁ ଜବତ କରାଯିବ । କିଣାକିଣି କରିବାକୁ ଚାଲି ଚାଲି ନିକଟବର୍ତ୍ତୀ ଦୋକାନମାନଙ୍କୁ ଯିବା ପାଇଁ ସେ ଅନୁରୋଧ କରିଛନ୍ତି । ଅଧିକ କିଛି ଜରୁରୀ ପରିସ୍ଥିତି ଥିଲେ ୧୦୦କୁ ଡାଏଲ୍ କରିବାକୁ ସେ କହିଛନ୍ତି ।

ଅନ୍ୟ ଏକ ଟୁଇଟରେ ସେ ଲେଖିଛନ୍ତି ଚାଲିବା ଭୁବନେଶ୍ୱରେ ଏମିତି କୌଣସି ଜାଗା ନାହିଁ ଯେଉଁଠି ଚାଲିଯିବା ଦୂରତ୍ୱରେ ପରିବାପତ୍ର ମିଳୁନାହିଁ । ବିକଳ୍ପ ଭାବେ ଆପଣ ସଉଦାପତ୍ର ପାଇଁ ବିଏମସିର ଭ୍ରାମ୍ୟମାଣ ଗାଡ଼ିକୁ ଫୋନ୍ କରି ବରାଦ ଦେଇ ପାରିବେ । ହାତପାଆନ୍ତାରେ ଥିବା ସ୍ଥାନୀୟ ଦୋକାନରୁ କିଣାକିଣି କରିବା ପରେ ହିଁ ବଡ଼ ତଥା କେନ୍ଦ୍ରୀୟ ବଜାରରେ ଭିଡ଼ ଭାଙ୍ଗିବ ଓ ଖାଉଟି ବିକେନ୍ଦ୍ରୀକରଣ ହେବ ।

କଟକ ଡେପୁଟି ପୁଲିସ କମିସନର୍ ମଧ୍ୟ ଏ ସଂକ୍ରାନ୍ତରେ ଏକ ଟୁଇଟ୍ କରିଛନ୍ତି । ସେ ଲେଖିଛନ୍ତି ଯେ ଆଜି ଠାରୁ ପନିପରିବା, ତେଜରାତି ଓ ଔଷଧପତ୍ର କିଣାକିଣି କରିବାକୁ ଯିବା ପାଇଁ ଯାନବାହନ ନେଇ ଯିବାକୁ ଅନୁମତି ମିଳିବନି । ଜନ ସହଯୋଗ ବିନା ଲକଡାଉନ ଚାଲୁ ରଖିବା ସମ୍ଭବପର ନୁହେଁ । ସହଯୋଗ କରିବାକୁ ଆମେ କଟକବାସୀଙ୍କୁ ଅନୁରୋଧ କରୁଛୁ ।

ସମ୍ବନ୍ଧିତ ଖବର