ଭୋଟଗଣତି ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ: ସିଇଓ

ଭୁବନେଶ୍ବର : ଆଜି ସାରା ରାଜ୍ୟରେ ସାଧାରଣ ନିର୍ବାଚନ ପାଇଁ ଅନୁଷ୍ଠିତ ହୋଇଥିବା ଭୋଟଗଣତି ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ରାଜ୍ୟର ୬୩ଟି ସ୍ଥାନରେ ଥିବା ୧୫୨ଟି ହଲରେ ଭୋଟଗଣତି କାର୍ଯ୍ୟ ଶେଷ ହୋଇଛି।

ଗୁରୁବାର ଭୋଟଗଣତି ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ କୁମାର କହିଥିଲେ, ସକାଳ ୮ଟାରୁ ଭୋଟଗଣତି ଆରମ୍ଭ ହୋଇଥିଲା। ସକାଳ ୫ଟା ୩୦ରୁ କାଉଣ୍ଟିଂ ସୁପରଭାଇଜର ଓ ମାଇକ୍ରୋ ଅବଜରଭରମାନେ ଭୋଟଗଣତି କେନ୍ଦ୍ରରେ ପହଞ୍ଚିବା ପରେ ଟେବୁଲ ଆବଣ୍ଟନ ହୋଇଥିଲା। ଭୋଟଗଣତି ସମ୍ପୂର୍ଣ୍ଣ ସ୍ବଚ୍ଛତା ଓ ନିରପେକ୍ଷତା ପାଇଁ କରାଯାଇଥିଲା। ପ୍ରଥମେ ଇଲେକ୍ଟ୍ରୋନିକାଲି ଟ୍ରାନସମିଟେଡ୍ ପୋଷ୍ଟାଲ ବାଲାଟ (ଇଟିପିବି) ଗଣତି ଆରମ୍ଭ ହୋଇଥିଲା। ପୋଷ୍ଟାଲ ବାଲାଟ ଗଣତି ହେବାର ଅଧଘଣ୍ଟା ପରେ ଷ୍ଟ୍ରଙ୍ଗରୁମରୁ କଡ଼ା ସୁରକ୍ଷା ଭିତରେ ଅଣାଯାଇଥିବା ଇଭିଏମ କଣ୍ଟ୍ରୋଲ ୟୁୂନିଟ ଗଣାକାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରତି ଗଣତି ହଲରେ ବିଧାନସଭା ଓ ଲୋକସଭା ପାଇଁ ପୃଥକ ଭାବେ ୭ଟି ଲେଖାଏଁ ଟେବୁଲ ଲଗାଯାଇ ଗଣତି କାର୍ଯ୍ୟକରାଯାଇଥିଲା। ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ଅବଜରଭର, ଜଣେ କାଉଣ୍ଟିଂ ସହାୟକ ଓ ଜଣେ ମାଇକ୍ରୋ ଅବଜରଭର ଉପସ୍ଥିତ ରହି ବୁଥଵାରୀ ଗଣତି କରିଥିଲେ। ଗୋଟିଏ ରାଉଣ୍ଡ ଗଣତି ସରିବା ପରେ ଆଉ ଗୋଟିଏ ରାଉଣ୍ଡ ପାଇଁ ଷ୍ଟ୍ରଙ୍ଗରୁମରୁ ଇଭିଏମ କଣ୍ଟ୍ରୋଲ ୟୁନିଟ ଗୁଡ଼ିକୁ ଗଣତି ହଲକୁ ଅଣଯାଉଥିଲା।

ସେହିପରି ଇଭିଏମ କଣ୍ଟ୍ରୋଲ ୟୁନିଟ ଗଣତି ସରିବା ପରେ ଲୋକସଭା ଓ ବିଧାନସଭା ପାଇଁ ଅଲଗା ଭାବେ ଲଟେରୀ ହୋଇଥିବା ୫ଟି ଲେଖାଏଁ ଭିଭିପାଟ ଚିରକୁଟକୁ ଗଣଯାଇଥିଲା। ଇଭିଏମ ଗଣତି ସରିବା ପରେ ରିଟର୍ଣ୍ଣିଂ ଅଫିସରଙ୍କ ଟେବୁଲରେ ପୂର୍ବରୁ ଗଣାହୋଇ ରହିଥିଲା ପୋଷ୍ଟାଲ ବାଲଟକୁ ପ୍ରାର୍ଥୀଙ୍କ ଭୋଟ ସହ ପୁଣି ଥରେ ଯୋଗ କରାଯାଇ ମୋଟ ଭୋଟ ସଂଖ୍ୟା ନିର୍ଣ୍ଣୟ କରାଯାଇଥିଲା।

ନିୟମାନୁଯାଯୀ, ୩୦ଟି ଜିଲ୍ଲାର ରିଟର୍ଣ୍ଣିଂ ଅଫିସରମାନେ ବିଭିନ୍ନ ପ୍ରାର୍ଥୀଙ୍କୁ ମିଳିଥିବା ଭୋଟ ସଂଖ୍ୟାର ପ୍ରମାଣପତ୍ର ନକଲ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିାକୀରଙ୍କ କାର୍ଯ୍ୟାଳୟକୁ ସ୍ବତନ୍ତ୍ର ମେସେଞ୍ଜରଙ୍କ ଜରିଆରେ ପଠାଇବେ। ରିଟର୍ଣ୍ଣିଂ ଅଫିସରଙ୍କଠୁ ପ୍ରମାଣପତ୍ର ପାଇବା ପରେ ସିଇଓ ବିଜୟୀ ପ୍ରାର୍ଥୀଙ୍କ ନାମ ବିଦ୍ଧିବଦ୍ଧ ଭାବେ ଘୋଷଣା କରିବେ। ରିପୋର୍ଟ ଲେଖା ହେବା ବେଳକୁ କୌଣସି ରିଟର୍ଣ୍ଣିଂ ଅଫିସରଙ୍କଠାରୁ ପ୍ରମାଣପତ୍ର ସିଇଓଙ୍କ କାର୍ଯ୍ୟାଳୟରେ ପହଞ୍ଚିନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର