କଣାସ : ଶୁଖିଲା ପଡ଼ିଛି କେନାଲ, ଚାଷ ପାଇଁ ପାଣି ନାହିଁ, ବଢ଼ୁଛି ଚାଷୀ ଅସନ୍ତୋଷ

କଣାସ : କୃଷି ଓ କୃଷକର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି। କିନ୍ତୁ କଣାସ ବ୍ଲକ୍‌ରେ ଚାଷୀମାନେ ଏହାର ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ଠିକାଦାର ନିମ୍ନମାନର କେନାଲ ଖୋଳି କାମ ସାରି ଦେଇଥିବା ବେଳେ ଏବେ ଏହା ଶୁଖିଲା ପଡ଼ିଛି। ଫଳରେ ଚାଷ ଜମିକୁ ପାଣି ଯାଇପାରୁ ନଥିବାରୁ ଫସଲ ଉଜୁଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି। ଏ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରୁନଥିବାରୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ, ସ୍ଥାନୀୟ ଗଡ଼ବଡ଼ପୁଟ, ବାରଦା, ବାଦଲପୁର, ବେହେଟା, ନୂଆସାହି, ଗଡ଼ମାଟିଆପଡ଼ା, ବାଙ୍କତଳ, ବଗିପଡ଼ା, ଘରଛିଆ , ପାଣ୍ତିଆକେରା, ସିମିଳିପାଟଣା, ନାନକେରା ଆଦି ଗ୍ରାମର ହଜାର ହଜାର ହେକ୍ଟର୍‌ ଚାଷ ଜମିକୁ କେନାଲ ମାଧ୍ୟମରେ ପାଣି ଯୋଗାଇ ଦେବା ପାଇଁ ରାଜୁଆ ନଦୀର ଗଡ଼ବଡ଼ପୁଟଠାରୁ ପାଣ୍ତିଆକେରା ପର୍ଯ୍ୟନ୍ତ କୋଟି କୋଟି ଟଙ୍କା ବ୍ୟୟରେ କେନାଲ ଖୋଳା ଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଚାଷୀ ନିଜ ଜମି ପାଇଁ ଟୋପେ ପାଣି ପାଇପାରିଲେ ନାହିଁ। ଭବିଷ୍ୟତକୁ ଦୃଷ୍ଟିରେ ରଖି କେନାଲ ଖୋଳା ସମୟରେ ଚାଷୀମାନେ ନିଜ ଜମି ଛାଡ଼ିଥିଲେ। କେନାଲ ଖୋଳା କାର୍ଯ୍ୟ ନିମ୍ନମାନର ହୋଇଥିବା ନେଇ ସେସମୟରେ ନୂଆସାହିର ଚାଷୀମାନେ ଅଭିଯୋଗ କରିଥିଲେ। କିନ୍ତୁ ଏଥିପ୍ରତି ବିଭାଗୀୟ ଯନ୍ତ୍ରୀ କର୍ଣ୍ଣପାତ କଲେ ନାହିଁ। ଅନ୍ୟପକ୍ଷରେ କେନାଲରେ ପାଣି ନ ଆସିଲେ ମଧ୍ୟ ପ୍ରତିବର୍ଷ ମରାମତି ନାଁରେ ଟଙ୍କା ହରିଲୁଟ୍‌ ହେଉଥିବା ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ବାଦାମ ଚାଷ ପାଇଁ ଜମିକୁ ପାଣି ଦରକାର ପଡ଼ୁଥିବା ବେଳେ କେନାଲ ଶୁଖିଲା ପଡ଼ିଛି। ପାଣି ପାଇଁ ଚାଷୀମାନେ ଚାତକ ପରି ଚାହିଁ ରହିଛନ୍ତି। ଏ ସମ୍ପର୍କରେ ଖୋର୍ଦ୍ଧା ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଶୁଶିଲ କୁମାର ବେହେରା କହିଛନ୍ତି, କେନାଲ ଶୁଖିଲା ପଡ଼ିଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି। ଚଳିତ ବର୍ଷ ବାଦାମ ଚାଷ ପାଇଁ କେନାଲରେ ପାଣି ଦେବା ପାଇଁ ଚେଷ୍ଟା କରୁଛୁ। କେନାଲ ସଫା କରି ୩ ଦିନ ଭିତରେ ପାଣି ଛଡ଼ାଯିବାର ବ୍ୟବସ୍ଥା କରାଯିବ।

ସମ୍ବନ୍ଧିତ ଖବର