ଅଣଗେଜେଟେଡ୍‌ କର୍ମଚାରୀ ସମନ୍ଵୟ ସମିତିର କାର୍ଯ୍ୟକାରୀ ବୈଠକ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍‌ କର୍ମଚାରୀ ସମନ୍ଵୟ ସମିତିର ରାଜ୍ୟ କାର୍ଯ୍ୟକାରୀ ପରିଷଦ ବୈଠକ ଗତକାଲି କର୍ମଚାରୀ ଭବନ ନିକଟସ୍ଥ ହନୁମାନ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ଜ୍ୟୋତିରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ରାଜ୍ୟର ୪ ଲକ୍ଷ କର୍ମଚାରୀ ଓ ଶିକ୍ଷକମାନଙ୍କ ଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରି ସମାଧାନ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ୧୧.୧୧.୨୦୧୬ରୁ ପ୍ରଚଳିତ ଦରମା ହାର ଓ ଭତ୍ତାରେ ଥିବା ବ୍ୟତିକ୍ରମଗୁଡ଼ିକର ସଂଶୋଧନ, ଏମ୍‌ଏସିପି ପରିବର୍ତ୍ତେ ଆର୍‌ଏସିପି ପୁନଃପ୍ରଚଳନ, ଅବସର ବୟସ ୬୨କୁ ବୃଦ୍ଧି, ଠିକା ପ୍ରଥା ସମ୍ପୂର୍ଣ୍ଣ ଉଚ୍ଛେଦ, ବିଭିନ୍ନ ବର୍ଗର କର୍ମଚାରୀଙ୍କ କ୍ୟାଡର୍‌ ପୁନର୍ଗଠନ ଆଦି ୧୨ ଦଫା ସମ୍ବଳିତ ଦାବି ଉପରେ ସରକାରଙ୍କ ସହ ଆଲୋଚନା କରିବାକୁ ମତପ୍ରକାଶ ପାଇଥିଲା। ସରକାର ଦାବି ପୂରଣ ନ କଲେ କର୍ମଚାରୀଙ୍କ ଅସନ୍ତୋଷ ବୃଦ୍ଧି ପାଇବାର ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ ନାହିଁ ବୋଲି ସମିତିର ସାଧାରଣ ସମ୍ପାଦକ ବ୍ରଜକିଶୋର ନନ୍ଦ କହିଛନ୍ତି। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଜୁଲାଇ ମାସରୁ ରାଜ୍ୟ କର୍ମକର୍ତ୍ତାମାନେ ସହବନ୍ଧିତ ସଂଘ, ଜିଲ୍ଲା କର୍ମକର୍ତ୍ତାମାନଙ୍କ ସହଯୋଗ ଓ ସମନ୍ଵୟରେ ୩୦ଟି ଜିଲ୍ଲାରେ ସାଂଗଠନିକ କାର୍ଯ୍ୟକ୍ରମ, ଜନସାଧାରଣଙ୍କ ଉନ୍ନତି ନିମନ୍ତେ କର୍ମଚାରୀ ଓ ଶିକ୍ଷକମାନଙ୍କ କର୍ତ୍ତବ୍ୟ ଏବଂ ସରକାରୀ ଯୋଜନାର ସଫଳତା ନିମନ୍ତେ ଖସଡ଼ା ପ୍ରସ୍ତୁତ କରାଯିବ। ବୈଠକରେ ସମିତିର ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା, କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ତ୍ରିପାଠୀ, ବରିଷ୍ଠ ଉପସଭାପତି ଜଗବନ୍ଧୁ ପାତ୍ର, ଅକ୍ଷୟ ବିଶ୍ୱାଳ, ପ୍ରଭାତୀ ମହାନ୍ତିଙ୍କ ସମେତ ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର