ବଲାଙ୍ଗୀର/କଣ୍ଟାବାଞ୍ଜି: ‘ପୁତା, ଚାଷ୍ବାସ୍ କିଛି ନାଇଁ। କାମ୍ କବାର୍ ବି ତ ନାଇଁ ମିଲ୍ବାର୍ ଦେଖୁଛ। ମର୍ଡ଼ି ହେଲା। ଖେତେ ଧାନ୍ ନାଇଁ। କା’ଣା କର୍ମୁଁ କହ। ହେତିର୍ ଲାଗି ରାଏଜ୍ ବାହାର୍କେ ଗଲେ ଭୁତିଦୁଖ କର୍ମୁ, ଇଟା ଗଢ଼୍ମୁ ବଲି ହେଟା ଯାଉଥିଲୁଁ। ପୁଲିସ୍ ବାଲେ ଟେସନ୍ନୁ ଧରି ଆନ୍ଲେ। ରାତେ ବସାଲେ..ଏଭେ ଇଟା ଘର୍କେ ବଟେଇ ଦେଉଛନ୍।’ ୟେ ହେଉଛି ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯିବା ପାଇଁ କଣ୍ଟାବାଞ୍ଜି ଷ୍ଟେସନରେ ଟ୍ରେନ୍କୁ ଅପେକ୍ଷା କରିଥିବା ଦାଦନ ଭଏରୁ ସୁନାଙ୍କ ମତ। କେବଳ ଭଏରୁ ନୁହନ୍ତି, ତାଙ୍କ ଭଳି ଶହ ଶହ ଲୋକ ଏବେ କାମ ଧନ୍ଧା ପାଇଁ ରାଜ୍ୟ ବାହାରକୁ ଯାଉଛନ୍ତି। ତେବେ ବେଆଇନ ଭାବେ ନୁହେଁ, ଆଇନ ଅନୁସାରେ ପଂଜିକୃତ ହୋଇ ଦାଦନ ଖଟିବାକୁ ଯାଆନ୍ତୁ ବୋଲି ପୁଲିସ ଉଦ୍ୟମ କରୁଛି ବୋଲି କହିଛନ୍ତି ବଲାଙ୍ଗୀର ଏସ୍ପି କେ.ସିଭା ସୁବ୍ରମଣି।
ବୁଧବାର, କାମ ପାଇଁ ପ୍ରାୟ ୩ଶହରୁ ଅଧିକ ଦାଦନ ଶ୍ରମିକ ରାଜ୍ୟ ବାହାରକୁ ଯିବା ପାଇଁ କଣ୍ଟାବାଞ୍ଜି ଷ୍ଟେସନରେ ଅପେକ୍ଷା କରି ରହିଥିଲେ। ରାତିରେ କଣ୍ଟାବାଞ୍ଜି ପୁଲିସ ଚଢ଼ଉ କରି ସେମାନଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା। ଗୁରୁବାର ଦୀପାବଳି ଅବସରରେ ପୁଲିସ ବେଶ୍ ଉତ୍ସାହିତ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ଗୁରୁବାର ବଲାଙ୍ଗୀର ଜିଲ୍ଲା ପୁଲିସ ମୁଖ୍ୟାଳୟରେ କଣ୍ଟାବାଞ୍ଜିର ନୂଆ ଏସ୍ଡିପିଓ ପ୍ରଫୁଲ୍ଲ ମିଶ୍ର କଣ୍ଟାବାଞ୍ଜି ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ଧରି ଦାଦନ ସଂପର୍କରେ କହୁଥିବା ବେଳେ ବଲାଙ୍ଗୀରରେ ଏସ୍ପି କେ.ସିଭା ସୁବ୍ରମଣି ଦାଦନ ଉଦ୍ଧାର ସଂପର୍କରେ କହୁଥିଲେ। ଉଭୟ ପୁଲିସର ସୂଚନା ଅନୁସାରେ, ୨୦୪ ମହିଳା ଓ ପୁରୁଷଙ୍କ ସହ ୯୮ଜଣ ଶିଶୁ, ଏଭଳି ମୋଟ ୩୦୨ଜଣଙ୍କୁ ବୁଧବାର ରାତିରେ କଣ୍ଟାବାଞ୍ଜି ଷ୍ଟେସନରୁ ଉଦ୍ଧାର କରାଯାଇଛି।
ସେମାନଙ୍କୁ ଆନ୍ଧ୍ର ଓ ତେଲେଙ୍ଗାନାର ଇଟାଭାଟିକୁ ବେଆଇନ ଭାବେ ଚାଲାଣ କରାଯାଉଥିବା ସୂଚନା ଦେଇଛି ପୁଲିସ। ଗୋଟିଏ ବଲେରୋ ଓ ଦୁଇଟି ମେକ୍ସ ପିକ୍ଅପ୍ ଭ୍ୟାନ୍ ଜବତ ହୋଇଛି। କଣ୍ଟାବାଞ୍ଜି ଥାନାରେ ୧୪୯ ନମ୍ବର କେସ୍ ହୋଇଛି। ଏଥିରେ ୩୭୪, ୪୨୦ ଓ ୩୪ ଆଇପିସି, ୨୫ ଆଇଏସ୍ଏମ୍ଡବ୍ଲ୍ୟୁ ଧାରା ଲାଗିଛି। ସହକାରୀ ଶ୍ରମ ଅଧିକାରୀ ଦେବପ୍ରସାଦ ମହାନ୍ତିଙ୍କ ଏତଲାକୁ ଆଧାର କରି କାନୁଟର ଅଶୋକ ମହାପାତ୍ର, ସଲଣ୍ଡିର ଜଗ ବେହେରା, ଚଟୁଅନକାର ଶିବ ପ୍ରସାଦ ସାଙ୍କ ବିରୋଧରେ ମାମଲା ରହିଛି। ଉଦ୍ଧାର ହୋଇଥିବା ଶ୍ରମିକମାନେ ବେଲପଡ଼ା, ବଙ୍ଗୋମୁଣ୍ଡା, ସୁବର୍ଣ୍ଣପୁର ଜିଲ୍ଲାର ବିନକା, ନୂଆପଡ଼ା ଜିଲ୍ଲାର ବୋଲି ଜଣାପଡ଼ିଛି। ଚଳିତ ମାସରେ ୪୬୨ ଜଣଙ୍କୁ ପୁଲିସ ଉଦ୍ଧାର କରିବା ସହ ୧୮ଜଣ ଦାଦନ ସର୍ଦ୍ଦାରଙ୍କୁ ଗିରଫ କରିଛି। ବେଲପଡ଼ା, ପାଟଣାଗଡ଼, ଲାଠୋର, କଣ୍ଟାବାଞ୍ଜି ଥାନାରେ ୭ଟି ମାମଲା ରୁଜୁ ହୋଇଥିବା ଦର୍ଶାଯାଇଛି।
ତେବେ ଦାଦନ ଉଦ୍ଧାର, ସର୍ଦ୍ଦାରଙ୍କୁ ଗିରଫକୁ ନେଇ ଏକ ବଳିଷ୍ଠ ଯୁକ୍ତି ଉଠୁଛି। ବର୍ତ୍ତମାନ ବଲାଙ୍ଗୀର ଜିଲ୍ଲାରେ ମରୁଡ଼ି ପରିସ୍ଥିତି, ଲୋକେ କାମ ପାଉନାହାନ୍ତି। ଆଉ ଯେଉଁମାନେ କାମ କରିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି ସେମାନଙ୍କୁ ଧରପଗଡ଼ କରାଯାଉଛି। ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ କାମ ନପାଇ ଏଠାରେ ପଡ଼ି ରହୁଥିବା ଲୋକଙ୍କୁ କାମ ଯୋଗାଇ ଦେବେ କି ବୋଲି ସାମାଜିକ ଓ ମାନବାଧିକାର କର୍ମୀମାନେ ପ୍ରଶ୍ନ କରୁଛନ୍ତି। ଆଉ ଏହି ମର୍ମରେ ବଲାଙ୍ଗୀର ଏସ୍ପି ଶ୍ରୀ ସୁବ୍ରମଣି କହିଛନ୍ତି ଯେ, ସରକାରଙ୍କର ଯୋଜନା ରହିଛି। କାମ ଦେବା ସେମାନଙ୍କ ଦାୟିତ୍ୱ ନୁହେଁ, ପ୍ରଶାସନ ସହ ପୁଲିସର ସମନ୍ଵୟ ରହିଛି। ଲୋକଙ୍କୁ ରାଜ୍ୟ ବାହାରକୁ କାମ କରିବା ପାଇଁ ଯିବାକୁ ଅଟକା ଯାଉ ନାହିଁ କି ବାରଣ କରାଯାଉ ନାହିଁ। ସେମାନଙ୍କୁ ସଚେତନ କରାଯାଉଛି। ସରକାରୀ ଭାବେ ପଂଜିକୃତ ହୋଇ ରାଜ୍ୟ ବାହାରକୁ କାମ କରିବାକୁ ଗଲେ କୌଣସି ସମସ୍ୟା ନାହିଁ। କେହି ଅଟକାଇବେ ନାହିଁ ବୋଲି ଏସ୍ପି ଶ୍ରୀ ସୁବ୍ରମଣି କହିଛନ୍ତି।