ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଅଣପଞ୍ଜୀକୃତ ମୋବାଇଲ୍‌ ନିଷେଧ

ଧରାପଡ଼ିଲେ କାର୍ଯ୍ୟାନୁଷ୍ଠାନ, ମୋବାଇଲ୍‌ ପଞ୍ଜୀକରଣ ନେଇ ବଢ଼ୁଛି ଦ୍ୱନ୍ଦ୍ୱ

ପୁରୀ: ନୂଆ ବର୍ଷରୁ ଶ୍ରୀମନ୍ଦିରରେ ନୂଆ କଟକଣା ଲାଗୁ ହେବାକୁ ଯାଉଛି। କୌଣସି ଅଣପଞ୍ଜୀକୃତ ମୋବାଇଲ୍‌ ହାଣ୍ଡସେଟ୍‍ ଶ୍ରୀମନ୍ଦିର ପ୍ରବେଶ କରିବ ନାହିଁ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱୀକୃତିପ୍ରାପ୍ତ ଦୁଇ ସଂସ୍ଥା ପକ୍ଷରୁ ଯୋଗାଇ ଦିଆଯାଉଥିବା ପଞ୍ଜୀକୃତ ମୋବାଇଲ୍‌ ହାଣ୍ଡ୍‌ସେଟ୍‌ ଛଡ଼ା କେହି ଅନ୍ୟ ମୋବାଇଲ ଫୋନ୍‌ ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସକ(ନୀତି) ପ୍ରଦୀପ କୁମାର ଦାଶ ସୂଚନା ଦେଇଛନ୍ତି। କେବଳ ନିର୍ଦ୍ଦିଷ୍ଟ ଅଧିକାରୀ, କର୍ମଚାରୀ, ସେବକଙ୍କ ଛଡ଼ା କେହି ମୋବାଇଲ ବ୍ୟବହାର କରିପାରିବେ ନାହିଁ।

ଅନ୍ୟପଟେ ଏଭଳି ନିଷ୍ପତ୍ତିକୁ ନେଇ ସେବାୟତ ମହଲରେ ଅସନ୍ତୋଷ ଓ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି। ଦାମୋଦର ମହାସୁଆର ନୂଆ ମୋବାଇଲ୍‌ ସଂଯୋଗ ଓ ହ୍ୟାଣ୍ଡସେଟ୍‌ ନ ନେବା ପାଇଁ ସେବାୟତମାନଙ୍କୁ ଅନୁରୋଧ କରିଥିବାବେଳେ ଭକ୍ତମାନଙ୍କୁ ମଧ୍ୟ ଅନୁରୂପ ସୁଯୋଗ ଦେବାପାଇଁ ଦାବି କରିଛନ୍ତି। ଏହି ମୋବାଇଲ ହାଣ୍ଡସେଟ୍‌କୁ ନେଇ ମଧ୍ୟ ଭିନ୍ନ ବିବାଦ ଦେଖାଦେଇଛି। ଭୋଡାଫୋନ୍‍ କମ୍ପାନି ଯୋଗାଉଥିବା ଚାଇନା ମୋବାଇଲ୍‌ର ଆଇଏମ୍‍ଇଆଇ ନମ୍ବର ଟ୍ୟାମ୍ପରିଂ ହୋଇପାରିବ ବୋଲି କୁହାଯାଉଛି। ଏଣୁ ସେବାୟତଙ୍କୁ ଯୋଗାଇ ଦିଆଯାଉଥିବା ମୋବାଇଲ୍‌ ଆଉ କାହା ନାମରେ ମଧ୍ୟ ବ୍ୟବହାର କରାଯାଇ ପାରିବ। ଏଣୁ ସେବାୟତଙ୍କ ପାଇଁ ଏହା ବିପଦ ହେବା ଆଶଙ୍କା ରହିଛି। ଗୋଟିଏ ପଟେ କଟକଣା। ଅନ୍ୟପଟେ ଯୋଗାଇ ଦିଆଯାଉଥିବା ପଞ୍ଜୀକୃତ ମୋବାଇଲର ଅପବ୍ୟବହାର ଏହି ଦୁଇଟି ପ୍ରସଙ୍ଗ ଏକ ବିରାଟ ସମସ୍ୟା ଛିଡ଼ା କରିଛି।

ଏହାଛଡ଼ା ଆଜି କାଉଣ୍ଟର୍‌ରେ ମୋବାଇଲ ବିକ୍ରିକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଭୋଡାଫୋନ୍‍ ସଂସ୍ଥା ଆଜି ମୋବାଇଲ ହାଣ୍ଡସେଟ୍‍ ବିକ୍ରି କରିଛି। ଏହା ପଛରେ ଏକ କାଗଜରେ ନୀଳଚକ୍ର ଲୋଗୋ ଥାଇ ବିକ୍ରି କରୁଥିବାରୁ ତାହା ବିବାଦୀୟ ହୋଇଛି। ଯେକୌଣସି ଲୋକ ଏଭଳି ଜେରକ୍ସ କରି ଅଠାରେ ଲଗାଇ ବ୍ୟବହାର କରିପାରିବା ଆଶଂକା ଥିବା ନେଇ ଚର୍ଚା ହେବା ପରେ ଏହି ବିକ୍ରିକୁ ବନ୍ଦ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନର ଏକ ସ୍ୱତନ୍ତ୍ର ସ୍ୱୀକୃତିପ୍ରାପ୍ତ ଲୋଗୋ ଯୋଗାଇ ଦିଆଯିବା ପରେ ଏହା ବିକ୍ରି ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଦାମୋଦର ମହାସୁଆର ଏହି ମୋବାଇଲ୍‌କୁ ବ୍ୟବହାର ନ କରି ନିଜ ନିଜର ବିନା କ୍ୟାମେରା ମୋବାଇଲକୁ ପ୍ରଶାସନ ପଞ୍ଜୀକରଣ କରିବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର