ଏଥର ସ୍ବାଭାବିକ ମୌସୁମୀ : ଖରିଫ ଚାଷ ପାଇଁ ଅନୁକୂଳ ହେବ ପାଗ

ଦକ୍ଷିଣ ଓଡ଼ିଶାରେ ବର୍ଷା କମ୍‌ ରହିପା‌ରେ, ନିର୍ଧାରିତ ସମୟରେ ଆସିପାରେ ମୌସୁମୀ

ଭୁବନେଶ୍ବର : ଏଥର ମୌସୁମୀ ସ୍ବାଭାବିକ ରହିବ। ଖରିଫ ଚାଷ ପାଇଁ ଏହା ଅନୁକୂଳ ହେବ। ଜୁନ୍‌ରୁ ସେପ୍ଟେମ୍ବର ମାସ ମଧ୍ୟରେ ଓଡ଼ିଶା ସମେତ ଦେଶର ସମସ୍ତ ରାଜ୍ୟରେ ସ୍ବାଭାବିକ ବର୍ଷା ହେବ। ଯାହାକି ଚାଷ ପାଇଁ ବେଶ୍‌ ସହାୟକ ହେବ।

ଭାରତୀୟ ପାଣିପାଗ ବିଭାଗର ପ୍ରାରମ୍ଭିକ ଆକଳନ ଅନୁଯାୟୀ ନିର୍ଧାରିତ ସମୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ। ମୌସୁମୀ ସମୟରେ ଦୀର୍ଘକାଳୀନ ହାରାହାରି(ଏଲ୍‌ପିଏ) ବର୍ଷା ୯୬ ପ୍ରତିଶତ ରହିବ।

ଆହୁରି ବି ପୂର୍ବାନୁମାନ କରାଯାଇଛି ଯେ, ସାରା ଦେଶରେ ବିସ୍ତୀର୍ଣ୍ଣ ଭାବେ ମୌସୁମୀ ବର୍ଷା ହେବ। ଯାହାକି ଦେଶର ଚାଷୀଙ୍କ ଲାଗି ବେଶ ଉପଯୋଗୀ ରହିବ। ମୌସୁମୀ ବର୍ଷାର ପ୍ରଭାବ ସ୍ବାଭାବିକଠାରୁ ଅଧିକ ରହିବାର ସମ୍ଭାବନା ବହୁତ କମ୍‌। ସ୍ବଳ୍ପ ବୃଷ୍ଟି(୯୦%ରୁ କମ୍‌) ହେବାର ୧୭ ପ୍ରତିଶତ ସମ୍ଭାବନା ଥିବା ବେଳେ ସ୍ବାଭାବିକ୍‌ଠାରୁ କମ୍‌ ବର୍ଷା( ୯୦ରୁ ୯୬% ମଧ୍ୟରେ) ହେବାର ୩୨ ପ୍ରତିଶତ ସମ୍ଭାବନା ରହିଛି। ‌ତେବେ ସ୍ବାଭାବିକ୍‌ ବର୍ଷା(୯୬ରୁ ୧୦୪%) ହେବାର ସମ୍ଭାବନା ୩୯ ପ୍ରତିଶତ ଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସ୍ବାଭାବିକଠାରୁ ଅଧିକ(୧୦୪ରୁ ୧୧୦%) ବର୍ଷା ହେବାର ସମ୍ଭାବନା ୧୦ ପ୍ରତିଶତ ଥିବା ବେଳେ ପ୍ରବଳ(୧୧୦ ପ୍ରତିଶତରୁ ଅଧିକ) ବର୍ଷା ହେବାର ସମ୍ଭାବନା ମାତ୍ର ଦୁଇ ପ୍ରତିଶତ ରହିଛି। ତେବେ ଓଡ଼ିଶା ଉପରେ ମୌସୁମୀ ବର୍ଷାର ପ୍ରଭାବ ସ୍ବାଭାବିକ ରହିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ପାଣିପାଗ ବିଶେଷଜ୍ଞ ତଥା ଓୟୁଏଟିର ପୂର୍ବତନ କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବା କଥା ହେଉଛି ଚଳିତବର୍ଷ ମୌସୁମୀ ବର୍ଷା ସାରା ଦେଶରେ ସ୍ବାଭାବିକ ରହିବ। ଭାରତୀୟ ପାଣିପାଗ ବିଭାଗ ଆକଳନ ମୁଖ୍ୟତଃ ଦୁଇ ପ୍ରକାର ମଡେଲ ଉପରେ ଆଧାରିତ। ଗୋଟିଏ ହେଉଛି ୫ଟି ପାରାମିଟରରେ ଆଧାରିତ ଷ୍ଟାଟିଷ୍ଟିକାଲ ମଡେଲ। ସାଧାରଣ ଭ‌ାବେ ସ୍ବାଭାବିକ ବର୍ଷା(୯୬%ରୁ ୧୦୪%) ହେବା ପାଇଁ ଚଳିତବର୍ଷ ସମ୍ଭାବନା ୩୯ ପ୍ରତିଶତ ରହିଛି। ସେହିପରି ଅନ୍ୟଟି ଡାଇନାମିକ ମଡେଲ ମଧ୍ୟ କହୁଛି ଯେ, ଦୀର୍ଘ ଅବଧି ସ୍ବାଭାବିକ୍‌ ବର୍ଷାର ୯୪%(୫% ଏପାଖ ସେପାଖ) ରହିବ। ଏଥିସହ ଏଲ୍‌ନିନୋ ପ୍ରଭାବକୁ ମଧ୍ୟ ଆକଳନକୁ ନିଆଯାଇଛି।

ଜଣାପଡ଼ୁଛି ରାଜ୍ୟରେ ମୌସୁମୀ ବର୍ଷା ସ୍ବାଭାବିକ ରହିବ। ମାର୍ଚ୍ଚ ମାସରେ ଏଲ୍‌ନିନୋ ୯୦% ଥିବା ବେଳେ କ୍ରମାଗତ ଭାବେ ତାହା ହ୍ରାସ ପାଇ ସେପ୍ଟେମ୍ବର ବେଳକୁ ୫୫ରୁ ୬୫% ଭିତରେ ରହିପାରେ। ଅର୍ଥାତ୍‌ ଏଲ୍‌ନିନୋ ଓଡ଼ିଶାରେ ଦୁର୍ବଳ ରହିବ। ପ୍ରଶାନ୍ତ ମହାସାଗର ଓ ଭାରତ ମହାସାଗରର ଜଳପତ୍ତନର ତାପମାତ୍ରା ସ୍ବାଭାବିକ୍‌ଠାରୁ ଅଧିକ ରହିଲେ ଏଲ୍‌ନିନୋ ପ୍ରଭାବ ପଡ଼ିଥାଏ। ଏହା ମୌସୁମୀ ସମୟରେ ୦.୫ରୁ ୦.୭ ଡିଗ୍ରି ସେଲ୍‌ସିୟସ୍‌ ଅଧିକ ରହିଲେ ବି ଏହାର ମୌସୁମୀ ବର୍ଷା ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବାର ସମ୍ଭାବନା କମ୍‌।

ରାଜ୍ୟର ହାରାହାରି ବାର୍ଷିକ ବର୍ଷା ୧୪୫୦ ମିମି ହୋଇଥାଏ ସେଥିରୁ ପ୍ରାୟ ୮୨ ପ୍ରତିଶତ ମୌସୁମୀ ୪ ମାସ ମଧ୍ୟରେ ହୋଇଥାଏ। ଯଦିଓ ଚଳିତବର୍ଷ ରାଜ୍ୟରେ ସାମଗ୍ରିକ ଭାବେ ବର୍ଷା ସ୍ବାଭାବିକ ରହିବାର ସମ୍ଭାବନା ରହିଛି ତେବେ ଉତ୍ତର ଓଡ଼ିଶା ଅପେକ୍ଷା ଦକ୍ଷିଣ ଓଡ଼ିଶାରେ ମୌସୁମୀ ବର୍ଷା କମ୍‌ ରହିପା‌ରେ। ମଡେଲରୁ ଆହୁରି ମଧ୍ୟ ଜଣାପଡ଼ିଛି ଏପ୍ରିଲରୁ ମେ’ ମାସ ମଧ୍ୟରେ ହେବାକୁ ଥିବା କାଳବୈଶାଖୀ ଓ ପ୍ରାକ୍‌ ମୌସୁମୀ ବର୍ଷା ପ୍ରାୟତଃ ସ୍ବାଭାବିକ ରହିବ। ଏହାଦ୍ବାରା ଖରାଟିଆ ଚାଷ ପାଇଁ ଅନୁକୂଳ ରହିବ। ମୌସୁମୀ ବର୍ଷା ଆରମ୍ଭ ହେବା ପରେ ଚାଷ ଶୀଘ୍ର କରିବାକୁ ସାହାଯ୍ୟ କରିବ। ଆକଳନ କରାଯାଇଥିବା ସମ୍ଭାବ୍ୟ ‌ସ୍ବାଭାବିକ ମୌସୁମୀ ବର୍ଷା ରାଜ୍ୟ ଲାଗି ଖୁସି ଖବର। ତେବେ ସାଧାରଣତଃ ଜୁନ୍‌ ୧ରେ ମୌସୁମୀ ବାୟୁ କେରଳ ଛୁଇଁଥାଏ। ଓଡ଼ିଶାରେ ଜୁନ୍‌ ୧୦ରେ ପହଞ୍ଚିଥାଏ। ତେବେ ଏହାର ଆଗମନ ମେ’ ୧୫ ପରେ ଅଧିକ ସଠିକ୍‌ କହି ହେବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁଙ୍କ କହିବା କଥା ହେଉଛି, ମୌସୁମୀ ବର୍ଷା ସ୍ବାଭାବିକ ରହିବ। ଏଲ୍‌ନିନୋ ପ୍ରଭାବ କମ୍‌ ରହିବ। ତେଣୁ ଓଡ଼ିଶାରେ ସ୍ବାଭାବିକ ବର୍ଷା ହୋଇପାରେ। କେବେ ମୌସୁମୀ ଓଡ଼ିଶାରେ ପହଞ୍ଚିବ ତାହା ଏବେଠାରୁ କହିବା ମୁସ୍କିଲ୍‌। ତେବେ ବର୍ତମାନ ଗରମ ରହୁଥିବାରୁ ନିର୍ଧାରିତ ସମୟରେ ମୌସୁମୀ ଆସିପାରେ।

ସମ୍ବନ୍ଧିତ ଖବର