କଟକ : ରାଜ୍ୟ ଅବକାରୀ ବିଭାଗ ଏବେ ବି ଚାଲିଛି ପୁରୁଣା ବ୍ରିଟିଶ ଅମଳର ନିୟମରେ। ବିଭାଗର ଅଫିସର ମାନଙ୍କୁ ମାସକୁ ୩୦ ଟଙ୍କା ସାଇକଲ୍ ଭତ୍ତା ମିଳୁଥିବା ବେଳେ ବଂଧୁକ ବଦଳରେ ଲାଠି ଧରି ସେମାନେ ମୁକାବିଲା କରୁଛନ୍ତି ନିଶା ବେପାରୀଙ୍କୁ। ବାରମ୍ବାର ଦାବି ପରେ ବି ଏଭଳି ସ୍ଥିତି ସୁଧୁରୁ ନାହିଁ। ରାଜ୍ୟ ସରକାରଙ୍କ ରାଜସ୍ୱ ଆୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏହି ବିଭାଗର ଏଭଳି ସ୍ଥିତିକୁ ନେଇ ଅଫିସର ଓ କର୍ମଚାରୀ ମହଲରେ ଅସନ୍ତୋଷ ବଢିବାରେ ଲାଗିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ ରାଜ୍ୟ ଅବକାରୀ ବିଭାଗ ଅଧୀନରେ ୩୧ଟି ଜିଲ୍ଲା ଅବକାରୀ ବିଭାଗ କାର୍ଯ୍ୟାଳୟ ସମେତ ସମ୍ବଲପୁର ଉତ୍ତରାଞ୍ଜଳ ଅବକାରୀ ଗୁଇନ୍ଦା ସଂସ୍ଥା, ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ସଂସ୍ଥା ଏବଂ କଟକ କେନ୍ଦ୍ରାଞ୍ଚଳ ଗୁଇନ୍ଦା ସଂସ୍ଥା ଏବଂ ଫ୍ଲାଇଂ ସ୍କ୍ଵାଡ୍କୁ ମିଶାଇ ମୋଟ ୩୫ଟି କାର୍ଯ୍ୟାଳୟ କାର୍ଯ୍ୟ କରୁଛି। ବିଭାଗ ଅଧୀନରେ ୯୫ ଜଣ ଇନ୍ସ୍ପେକ୍ଟର, ୨୪୦ ଜଣଏସ୍ଆଇ ଏବଂ ୨୧୮ ଏଏସ୍ଆଇ ରହିଛନ୍ତି। କିନ୍ତୁ ଅଫିସର ପାହ୍ୟାର ଏହି କର୍ମଚାରୀ ମାନଙ୍କୁ ଏବେ ପାଟ୍ରୋଲିଂ ପାଇଁ ମିଳୁଛି ସାଇକଲ୍ ଭତ୍ତା। ସିଏ ପୁଣି ମାସକୁ ୩୦ ଟଙ୍କା। ୧୯୧୫ରେ ଅବକାରୀ ବିଭାଗ ଆରମ୍ଭ ସମୟରୁ ହିଁ ଅଫିସରଙ୍କୁ ସମାନ ହାରରେ ଭତ୍ତା ପ୍ରଦାନ କରାଯାଉଛି। ପୁଲିସ ବିଭାଗରେ ଅଫିସରଙ୍କୁ ବାଇକ୍ ଭତ୍ତା ଆକାରରେ ମାସକୁ ୭୫୦ ଟଙ୍କା ମିଳୁଥିବା ବେଳେ ଅବକାରୀ ବିଭାଗରେ ବ୍ରିଟିଶ ସମୟର ନିୟମ ନ ବଦଳିବା ଘଟଣା ଅନେକଙ୍କୁ ଚକିତ କରୁଛି। ଅବକାରୀ ବିଭାଗର ମୋଟ ୩୫ଟି ୟୁନିଟ୍ରେ ୭୦ଟି ପୁରୁଣାକାଳିଆ ଚାରି ଚକିଆ ଜିପ୍ ରହିଛି। ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ଏବେ ଅଚଳ ହୋଇପଡ଼ିଛି। ଅତ୍ୟାଧୁନିକ ଗାଡ଼ିରେ ନିଶା ବେପାରୀ ଚୋରା କାରବାର କରୁଥିବା ବେଳେ ଜିଲ୍ଲା ସ୍ତରରେ ଅବକାରୀ ଅଧିକାରୀ ଭଡ଼ା ଗାଡ଼ିରେ ସେମାନଙ୍କୁ ପିଛା କରୁଛନ୍ତି। କିନ୍ତୁ ସେହି ଗାଡ଼ ବଢା ସରକାର ପୈଠ କରୁ ନଥିବା ବେଳେ ବିଭିନ୍ନ ଜିଲ୍ଲାରେ ଲକ୍ଷାଧିକ ଟଙ୍କା ବାକି ଗଡୁଛି।
ଅନ୍ୟପଟେ ନିୟମ ଅନୁଯାୟୀ ଅବକାରୀ ବିଭାଗ ଅଫିସରଙ୍କୁ ପ୍ରତିବର୍ଷ ସାତ ଦିନିଆ ବନ୍ଧୁକ ଚାଳନା ତାଲିମ ଦେବାର ବ୍ୟବସ୍ଥା ରହିଛି। କିନ୍ତୁ ୨୦୧୧ ପରଠାରୁ କୌଣସି ଅବକାରୀ ଅଫିସରଙ୍କୁ ଆଉ ତାଲିମ ଦିଆଯାଇ ନାହିଁ। ଅଫିସରଙ୍କୁ ଦିଆଯାଇଥିବା ବନ୍ଧୁକର ରକ୍ଷଣାବେକ୍ଷଣ ହେଉ ନଥିବାରୁ ଅଧାରୁ ଅଧିକ ବନ୍ଧୁକ ଅଚଳ ହୋଇପଡ଼ିିଛି। ଏଭଳି ସ୍ଥିତିରେ ଅଧିକାରୀମାନେ ବଂଧୁକ ଧରିବାର ବି ସୁଯୋଗ ନାହିଁ। ଅବକାରୀ ବିଭାଗକୁ ଫୋନ୍ ଟ୍ରାକିଂ ବ୍ୟବସ୍ଥା ଏଯାଏ ଯୋଗାଇ ଦିଆଯାଇ ନାହିଁ।
୨୦୧୩-୧୪ରେ ୨୨୮୪.୯୧ କୋଟି, ୨୦୧୪-୧୫ରେ ୨୭୦୯.୭୩ କୋଟି, ୨୦୧୫-୧୬ରେ ୩୩୮୮.୯୦ କୋଟି, ୨୦୧୬-୧୭ରେ ୩୮୭୭.୮୭ କୋଟି ଟଙ୍କା ରାଜସ୍ୱ ଆଦାୟ କରିଥିବା ଅବକାରୀ ବିଭାଗର ଏଭଳି ଦୟନୀୟ ସ୍ଥିତି ଗୋଟିଏ ପଟେ ଅଧିକାରୀ ଓ କର୍ମଚାରୀଙ୍କୁ ହତାଶ କରୁଥିବା ବେଳେ ସରକାରୀସ୍ତରରେ ନିଷ୍କ୍ରିୟତା ଏବଂ ଯୋଜନାର ଅଭାବକୁ ପଦାରେ ପକାଇଛି।