ଶ୍ରୀ ଲୋକନାଥ ମନ୍ଦିରରେ ମହିଳା ଭକ୍ତ ତଣ୍ଟି କାଟିଲେ

ମାନସିକ ପୂରଣ ହେଲାନି

ପୁରୀ: ମାନସିକ ପୂରଣ ହେଲାନି ବୋଲି ଆଜି ଜଣେ ମହିଳା ଶ୍ରୀଲୋକନାଥ ଦେବଙ୍କ ମନ୍ଦିରରେ ଧାରୁଆ ଅସ୍ତ୍ର ଦ୍ୱାରା ନିଜ ତଣ୍ଟିକୁ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏହି ମହିଳାଜଣକ ଏବେ ସଦର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଗୌଡ଼ବାଡ଼ ସାହି ନିବାସୀ ସୁର ମାଝୀଙ୍କ ପତ୍ନୀ ମାମି(୪୫) ଆଜି ପୂର୍ବାହ୍ନରେ ନିଜ ଘରୁ ଶ୍ରୀଲୋକନାଥ ମନ୍ଦିରକୁ ଭିଣୋଇଙ୍କ ସହିତ ବାହାରିଥିଲେ। ଭିଣୋଇ ଦୋକାନରୁ କିଣାକିଣି କରୁଥିବା ସମୟରେ ମାମି କେଉଁଆଡ଼େ ଚାଲିଯାଇଥିଲେ। ଭିଣୋଇ ଖୋଜାଖୋଜି କରି ନପାଇବାରୁ ଘରକୁ ଚାଲିଯାଇଥିଲେ। ମାତ୍ର ଅପରାହ୍ନ ପ୍ରାୟ ତିନିଟାରେ ମାମିଙ୍କୁ ରକ୍ତାକ୍ତ ଅବସ୍ଥାରେ ଲୋକନାଥ ମନ୍ଦିରରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ଶ୍ରଦ୍ଧାଳୁମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ଲାଗି ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ତେବେ ମାମି କୌଣସି ଏକ ମାନସିକ ରଖିଥିଲେ। ଏହି ମାନସିକ ପୂରଣ ନହେବାରୁ ସେ ଏଭଳି କାଣ୍ଡ ଭିଆଇଛନ୍ତି ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି। ଖବର ପାଇ ବାସେଳି ସାହି ଥାନା ପୁଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର