ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଦୁଇଟି ପାଓ୍ଵାର ହାଉସ୍ରୁ ଦୈନିକ ୩୪୭.୫ ମେଗାଓ୍ଵାଟ ବିଦ୍ୟୁତ ଉତ୍ପାଦନ ପାଇଁ ୧୦ଟି ୟୁନିଟ୍ ସ୍ଥାପନ କରାଯାଇଥିଲା। ମାତ୍ର ଗତ ୭ ମାସ ମଧ୍ୟରେ ବୁର୍ଲା ଓ ଚିପିଲିମା ପାଓ୍ଵାର ହାଉସ୍ରୁ ମାତ୍ର ୬୬୬.୮୮୧ ମେଗାଓ୍ଵାଟ ବିଦ୍ୟୁତ ଉତ୍ପାଦନ ହୋଇଛି। ଗୋଟିଏ ପଟେ ରାଜ୍ୟ ସରକାରଙ୍କ ଶିଳ୍ପପ୍ରେମ ତ ଅନ୍ୟ ପଟେ ଚାଷୀମାନଙ୍କ ଆନ୍ଦୋଳନ। ରାଜ୍ୟ ସରକାର ଶିଳ୍ପାନୁଷ୍ଠାନ ଓ ଚାଷୀମାନଙ୍କୁ ଅସନ୍ତୁଷ୍ଟ କରିବାକୁ ନଚାହିଁ ବିଦ୍ୟୁତ ଉତ୍ପାଦନ ଉପରେ ଅଂକୁଶ ଲଗାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ହୀରାକୁଦ ବନ୍ଧର ସର୍ବୋଚ୍ଚ ସ୍ତର ହେଉଛି ୬୩୦ ଫୁଟ୍। ହୀରାକୁଦ ଜଳଭଣ୍ଡାରରେ ପଟୁ ମାଟିରେ ଧୀରେ ଧୀରେ ପୋତି ହେବାରେ ଲାଗିଛି। ବନ୍ୟା ଜଳରେ ପଟୁ ମାଟି ଆସି ସର୍ବମୋଟ୍ ଜଳଭଣ୍ଡାର ଜଳ ଧାରଣ କ୍ଷମତା ୨୭ ପ୍ରତିଶତ ଏବଂ ବ୍ୟବହାର ହେଉଥିବା ଜଳ ଧାରଣ କ୍ଷମତାର ୧୭ ପ୍ରତିଶତ ହ୍ରାସ ପାଇଛି। ଜଳଧାରଣ କ୍ଷମତା ହ୍ରାସ ଯୋଗୁଁ ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ ପାଇଁ ପାଣି ନିଅଣ୍ଟ ପଡ଼ୁଛି। ହୀରାକୁଦ କମାଣ୍ଡ ଏରିଆରେ ଜଳସେଚନ ନିମନ୍ତେ ପାଣି ନିଅଣ୍ଟ ପଡ଼ିଥିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ଚାଷୀମାନଙ୍କୁ ଅସନ୍ତୋଷ କରିବାକୁ ନଚାହିଁ ତଥା ଶିଳ୍ପନୁଷ୍ଠାନକୁ ସେମାନଙ୍କ ଆବଶ୍ୟକତା ମୁତାବକ ପାଣି ଦେବା ପାଇଁ ରାଜ୍ୟ ସରକାର ବିକଳ୍ପ ପନ୍ଥା ଅବଳମ୍ବନ କରିଛନ୍ତି। ବିଦ୍ୟୁତ ଉତ୍ପାଦନ ପାଇଁ ପାଓ୍ଵାର ଚାନେଲରେ ଏହାର କ୍ଷମତା ମୁତାବକ ପାଣି ଛାଡ଼ୁ ନାହାନ୍ତି।
ବିଦ୍ୟୁତ ଉତ୍ପାଦନ ପାଇଁ ହୀରାକୁଦ ଜଳଭଣ୍ଡାରର ବୁର୍ଲା ପାଓ୍ଵାର ହାଉସ୍ରେ ୭ଟି ୟୁନିଟ୍ ଓ ଚିପିଲିମା ପାଓ୍ଵାର ହାଉସ୍ରେ ୩ଟି ୟୁନିଟ୍ ସ୍ଥାପିତ ହୋଇଛି। ବୁର୍ଲା ଓ ଚିପିଲିମା ପାଓ୍ଵାର ହାଉସ୍ରୁ ଯଥାକ୍ରମେ ୨୭୫.୫ ଏବଂ ୭୨ ମେଗାଓ୍ଵାଟ ବିଦ୍ୟୁତ ଉତ୍ପାଦନ ହୋଇପାରିବ। ତେବେ ବୁର୍ଲା ପାଓ୍ଵାର ହାଉସ୍ର ୪ଟି ଏବଂ ଚିିପିଲିମା ପାଓ୍ଵାର ହାଉସ୍ର ୨ଟି ୟୁନିଟ୍ର ଟର୍ବାଇନ ଚାଲୁଛି। ଗତ ୭ ମାସ ହେଲା ୧୦ଟି ୟୁନିଟ୍ରୁ ମାତ୍ର ୬ଟି ୟୁନିଟ୍ ଚାଲିଛି। ମାତ୍ର ସେଥିରୁ ବି ପୂର୍ଣ୍ଣ କ୍ଷମତା ଅନୁଯାୟୀ ବିଦ୍ୟୁତ ଉତ୍ପାଦନ କରାଯାଉ ନାହିଁ। ବୁର୍ଲା ଓ ଚିପିଲିମା ପାଓ୍ଵାର ହାଉସ୍ରୁ ଯଥାକ୍ରମେ ଗତ ଅପ୍ରେଲ ମାସରେ ୨୫.୩୮୨ ଓ ୧୬.୯୫୫ ମେଗାଓ୍ଵାଟ, ମେ ମାସରେ ୨୭.୦୮୭ ଓ ୧୩.୨୫୧ ମେଗାଓ୍ଵାଟ, ଜୁନ୍ରେ ୫୦.୧୮୯ ଓ ୧୫.୬୦୬ ମେଗାଓ୍ଵାଟ, ଜୁଲାଇରେ ୮୪.୨୩୪ ଓ ୧୬.୫୧୫ ମେଗାଓ୍ଵାଟ, ଅଗଷ୍ଟରେ ୯୭.୧୦୭ ଓ ୩୩.୭୨୩ ମେଗାଓ୍ଵାଟ, ସେପ୍ଟେମ୍ବରରେ ୧୧୮.୧୧୫ ଓ ୩୧.୭୨୩ ମେଗାଓ୍ଵାଟ, ଅକ୍ଟୋବରରେ ୧୦୮.୩୩୧ ଓ ୨୯ ମେଗାଓ୍ଵାଟ ବିଦ୍ୟୁତ ଉତ୍ପାଦନ ହୋଇଛି।
ରାଜ୍ୟ ସରକାର ବିଜେପୁର ଅଂଚଳକୁ ଭୂତଳ ଉଠା ସେଚ ପ୍ରକଳ୍ପ ଜରିଆରେ ଜଳସେଚନ ସୁବିଧା ଯୋଗାଇବା ପାଇଁ ୧୨୪୬ କୋଟି ୫୬ ଲକ୍ଷ ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି। ବରଗଡ଼ କେନାଲକୁ ନବୀକରଣ କରାଯାଇ ସେଥିରୁ ୨୯ କ୍ୟୁମେକ(୧୦୦୦.୫୪ କ୍ୟୁସେକ) ପାଣି ଟଣାଯିବାର ଯୋଜନା ରହିଛି। ତେଣୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟ ସରକାର ବିଦ୍ୟୁତ ଉତ୍ପାଦନ ଆହୁରି ହ୍ରାସ ପାଇବ ବୋଲି କୁହାଯାଇଛି।