ଚିଟ୍‌ଫଣ୍ଡ ତଦନ୍ତ: ୧୫୬ ସଂସ୍ଥାର ଠିକଣା ମିଳୁନି

କଟକ : ରାଜ୍ୟରେ ଚିଟ୍‌ଫଣ୍ଡ୍‌ କାରବାର କରୁଥିବା ସଂସ୍ଥାଗୁଡିକ ମଧ୍ୟରୁ ୧୫୬ଟିର ଠିକଣା ମିଳୁ ନାହିଁ। ରାଜ୍ୟରେ ଚିଟ୍‌ଫଣ୍ଡ ଠକେଇ ଘଟଣାର ତଦନ୍ତ ପାଇଁ ଗଠିତ ହୋଇଥିବା ଜଷ୍ଟିସ ମଦନ ମୋହନ ଦାସ କମିସନଙ୍କ କାର୍ଯ୍ୟାଳୟରେ ପଞ୍ଚମ ପର୍ଯ୍ୟାୟ ସତ୍ୟପାଠ ଯାଞ୍ଚ୍‌ ସମୟରେ ଏହା ସ୍ପଷ୍ଟ ହୋଇଛି। ପଞ୍ଚମ ପର୍ଯ୍ୟାୟରେ ୨ ଲକ୍ଷ ୫୨ ହଜାର ସତ୍ୟପାଠ ଯାଞ୍ଚ୍‌ କରାଯାଉଛି। ଏହି ପର୍ଯ୍ୟାୟରେ ୪୮୬ ଅର୍ଥଲଗାଣକାରୀ ସଂସ୍ଥାକୁ କ୍ଷୁଦ୍ର ଜମାକାରୀ (୧୦ ହଜାର ଟଙ୍କା ବା ତା’ଠାରୁ କମ୍‌ ନିବେଶ କରିଥିବା ବ୍ୟକ୍ତି)ଙ୍କ ପ୍ରସଂଗରେ କମିସନ୍‌ ନୋଟିସ୍‌ ଜାରି କରିବେ। କିନ୍ତୁ ୧୫୬ଟି ସଂସ୍ଥାର ପଦାଧିକାରୀଙ୍କ ସଠିକ ଠିକଣା ଜଣାପଡୁ ନାହିଁ। ଏପରି ପରିସ୍ଥିତିରେ ଏହି ସଂସ୍ଥାଗୁଡିକର ପରିଚାଳନା ନିର୍ଦ୍ଦେଶକ, ନିର୍ଦ୍ଦେଶକ, ଅଧ୍ୟକ୍ଷ ଓ ପଦାଧିକାରୀଙ୍କ ସଠିକ ଠିକଣା ଦେବାକୁ କମିସନ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅତୀତରେ ମଧ୍ୟ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି। ବିଭିନ୍ନ ପର୍ଯ୍ୟାୟରେ ଏପରି କେତେକ ସଂସ୍ଥାର ଠିକଣା ଦେବାରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ମଧ୍ୟ ବିଫଳ ହୋଇଥିଲା। କମିସନ୍‌ ଖବରକାଗଜ ପ୍ରକାଶନ ଜରିଆରେ ଏପରି ସଂସ୍ଥାଗୁଡିକୁ ନୋଟିସ୍‌ ଜାରି କରିଥିଲେ।

ସମ୍ବନ୍ଧିତ ଖବର