ମହାପ୍ରଭୁଙ୍କ ରତ୍ନ ଭଣ୍ଡାରରେ ଅଛି ୪୦ କୋଟିରୁ ଅଧିକ ଟଙ୍କାର ରତ୍ନ : ଅଳଙ୍କାର ସ୍ଥିତିକୁ ନେଇ ସନ୍ଦେହ; କ୍ରାଇମବ୍ରାଞ୍ଚ ତଦନ୍ତ ଦାବି

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଚାବି ମିଳୁନାହିଁ। ମହାପ୍ରଭୁଙ୍କ ରତ୍ନ ଭଣ୍ଡାରର ଚାବି ଜିଲ୍ଲା କୋଷାଗାର(ଟ୍ରେଜେରୀ)ରେ ମଧ୍ୟ ନାହିଁ। ଏ ପ୍ରକାର କଥା ଶ୍ରୀମନ୍ଦିର ପରିଚାଳନା କମିଟି ରିପୋର୍ଟରୁ ସ୍ପଷ୍ଟ ହେବା ପରେ ଏହାକୁ ନେଇ ଏକ ବଡ଼ ବିବାଦ ମୁଣ୍ଡ ଟେକିଛି। ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଆଜି ସେବାୟତ ସମାଜ ଏକାଠି ହୋଇଛନ୍ତି। ସେବାୟତମାନେ ଏହି ଘଟଣାରେ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନକୁ ଦାୟୀ କରିଛନ୍ତି। ପ୍ରାୟ ୪୦ କୋଟିରୁ ଅଧିକ ମୂଲ୍ୟର ମହାପ୍ରଭୁଙ୍କ ଦୁର୍ଲଭ ଅଳଙ୍କାର ଏବେ ଭଣ୍ଡାର ଘରେ ଅଛି କି ନାହିଁ ପ୍ରଶାସନ ତୁରନ୍ତ ତାହା ସ୍ପଷ୍ଟ କରୁ ବୋଲି ସେବାୟତମାନେ କହିଛନ୍ତି। ଅନ୍ୟପକ୍ଷରେ ଭଣ୍ଡାର ଚାବି କିଏ ହଜାଇଲା? ତୁରନ୍ତ ସଂପୃକ୍ତ ଅଧିକାରୀଙ୍କୁ ଚିହ୍ନଟ କରିବାକୁ ଦାବି ହୋଇଛି। ମହାପ୍ରଭୁଙ୍କ ଅଳଙ୍କାରକୁ ସୁରକ୍ଷିତ ରଖିବା ଦିଗରେ ପ୍ରଶାସନ ବିଫଳ ହୋଇଛି। ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ଦାବି ହୋଇଛି। ମୁକ୍ତି ମଣ୍ଡପ ପଣ୍ଡିତ ସଭାର କିଛି ସଦସ୍ୟ ମଧ୍ୟ ଏହି ଘଟଣାକୁ ଅତି ସମ୍ବେଦନଶୀଳ ପ୍ରସଙ୍ଗ ବୋଲି କହିବା ସହିତ ଏହାର ସିବିଆଇ ତଦନ୍ତ କରିବାକୁ ମଧ୍ୟ ଦାବି କରିଛନ୍ତି। ଦୀର୍ଘ ୩୫ ବର୍ଷ ହେବ ଚାବି ଉଭାନ ହୋଇଥିବାରୁ ରତ୍ନ ଭଣ୍ଡାରରେ ଅଳଙ୍କାର ସୁରକ୍ଷା ନେଇ ଏଭଳି ପ୍ରଶ୍ନ ଉଠିଛି। ରତ୍ନ ଅଳଙ୍କାରକୁ ମେଳ କରାଗଲେ ଯଦି ଏହା ତାଲିକା ମୁତାବକ ମେଳ ନ ଖାଏ ତେବେ ଏହାକୁ କିଏ ଭରଣା କରିବ ସରକାର ସ୍ପଷ୍ଟ କରନ୍ତୁ ଓ ଭଣ୍ଡାର ଆକଳନ କରନ୍ତୁ ବୋଲି ସେବାୟତ ମତ ରଖିଛନ୍ତି।

ଅନ୍ୟପକ୍ଷରେ ପ୍ରତି ତିନି ବର୍ଷରେ ଥରେ ରତ୍ନ ଭଣ୍ଡାର ଖୋଲିବା ଓ ଏହା ନୂତନ ପରିଚାଳନା କମିଟି ଦ୍ଵାରା ଅଧିକୃତ ହେବାର ନିୟମ ଥିବା ବେଳେ ଗତ ୩୪ବର୍ଷ ଧରି ଶ୍ରୀମନ୍ଦିର ପ୍ରଶାସନ ଏ ନିୟମ କାହିଁକି ପାଳନ କରୁନଥିଲା ତାକୁ ନେଇ ମଧ୍ୟ ସେବାୟତ, ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। ପ୍ରଶାସନ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଚାବି ହଜାଇ ଦେଇ ବସିଛି। ଦାୟିତ୍ଵରେ ଥିବା ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେବାୟତ ବିଶ୍ୱାବସୁ ବିନାୟକ ଦାସ ମହାପାତ୍ର ଦାବି କରିଛନ୍ତି। ଚାବି ହଜିବା ଘଟଣାକୁ ନିନ୍ଦା କରିବା ସହିତ ତୁରନ୍ତ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ଦାବି କରିଛନ୍ତି। ରତ୍ନ ଭଣ୍ଡାର ଚାବି ହଜାଇ ଦେବା ଏକ ଅକ୍ଷମଣୀୟ ଅପରାଧ। ଏହା ପ୍ରଶାସନର ଚରମ ଦାୟିତ୍ଵହୀନତା । ଏ ପ୍ରସଙ୍ଗକୁ ସରକାର ଗୁରୁତର ସହ ଗ୍ରହଣ କରିବାକୁ ପୁରୀ ନଗର କଂଗ୍ରେସ ପକ୍ଷରୁ ମଧ୍ୟ ଦାବି କରାଯାଇଛି। ଯଦି ଜଣେ କିରାଣୀ ଏ ଭୁଲ କରିଥାନ୍ତା ତେବେ ସେଥିପାଇଁ ତାଙ୍କୁ ଦଣ୍ଡ ମିଳିସାରନ୍ତାଣି । ମାତ୍ର ଅଧିକାରୀଙ୍କ ମସ୍ତବଡ ଭୁଲ ପାଇଁ ଦଣ୍ଡ ମିଳିବା ଆବଶ୍ୟକ ବୋଲି ଶ୍ରୀ ଦାସ ମହାପାତ୍ର ଦାବି କରିଛନ୍ତି। ଅନ୍ୟପକ୍ଷରେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଗଜପତି ମହାରାଜା ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ମତ ରଖାଯାଇ ନାହିଁ।

ସମ୍ବନ୍ଧିତ ଖବର