ପ୍ରକାଶ ପାଉନି କୃଷି ଅଧିକାରୀଙ୍କ ବରିଷ୍ଠତା ତାଲିକା : ଅଧିକାରୀ ମହଲରେ ତୀବ୍ର ଅସନ୍ତୋଷ

ଭୁବନେଶ୍ୱର : ରାଜ୍ୟ କୃଷି ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ସହକାରୀ କୃଷି ଅଧିକାରୀଙ୍କ ବରିଷ୍ଠତା ତାଲିକା ପ୍ରକାଶ ପାଉନାହିଁ। କାର୍ଯ୍ୟରତ ପ୍ରାୟ ୫୧୦ ସହକାରୀ କୃଷି ଅଧିକାରୀଙ୍କ ଦାବିକୁ ରାଜ୍ୟ ସରକାର ବାରମ୍ବାର ଅଣଦେଖା କରି ଚାଲିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଅଧିକାରୀଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି।

ସୂଚନା ଅନୁଯାୟୀ, ୧୯୯୫ ମସିହାରେ ୩୩୫ କନିଷ୍ଠ ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଅର୍ଥରେ ରାଜ୍ୟ ସରକାର ଏହି ପଦବିରେ ନିଯୁକ୍ତି ଦେଇଥିଲେ। ତେବେ ୨୦୦୦ ମସିହାରେ କେନ୍ଦ୍ର ଏଥିପାଇଁ ଅର୍ଥ ଦେବା ବନ୍ଦ କରିଦେବା ପରେ ସମସ୍ତ ଅଧିକାରୀଙ୍କୁ ରାଜ୍ୟ କୃଷି ଓ ଉଦ୍ୟାନ କୃଷି ବିଭାଗରେ କନିଷ୍ଠ କୃଷି ଅଧିକାରୀଭାବେ ନିଯୁକ୍ତି ମିଳିଥିଲା। ୨୦୦୯ ମସିହାରେ କୃଷି ବିଭାଗର ପ୍ରଥମ ପର୍ଯ୍ୟାୟ କ୍ୟାଡର୍‌ ପୁନର୍ଗଠନ କରାଯାଇଥିଲା। ପରବର୍ତୀ ସମୟରେ ସହକାରୀ କୃଷି ଅଧିକାରୀଭାବେ ପରିଗଣିତ ହୋଇଥିଲେ। ଯେଉଁମାନେ କୃଷି କିମ୍ବା ଉଦ୍ୟାନ କୃଷି ବିଭାଗରେ ରହିବାକୁ ଚାହୁଁଛନ୍ତି ସେହି ଅନୁଯାୟୀ ସେମାନଙ୍କୁ ନିଯୁକ୍ତି ମିଳିଥିଲା। ତେବେ ୨୦୧୨/୧୪ ଓ ୨୦୧୫ରେ ଓପିଏସ୍‌ସି ଜରିଆରେ ୩ଶହରୁ ଅଧିକ ସହାକାରୀ କୃଷି ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ମାତ୍ର ଏ ପର୍ଯ୍ୟନ୍ତ ସମସ୍ତ ଅଧିକାରୀଙ୍କ ବରିଷ୍ଠତା ତାଲିକା ପ୍ରକାଶ ପାଇନାହିଁ। ଚଳିତବର୍ଷ ଦ୍ୱିତୀୟ ପର୍ଯ୍ୟାୟ କ୍ୟାଡର୍‌ ପୁନର୍ଗଠନ ପାଇଁ ନିର୍ଦେଶନାମା ପ୍ରକାଶ ପାଇଥିଲେ ହେଁ ବରିଷ୍ଠତା ତାଲିକା ପ୍ରକାଶ ପାଇ ନ ଥିବାରୁ କିଭଳି କ୍ୟାଡର୍‌ ପୁନର୍ଗଠନ ହେବ ବୋଲି ଅଧିକାରୀମାନେ ପ୍ରଶ୍ନ କରିଛନ୍ତି।

ରାଜ୍ୟର ପ୍ରତ୍ୟେକ ବ୍ଲକ୍‌ରେ ୨ଜଣ ଲେଖାଏଁ ସହାକରୀ କୃଷି ଅଧିକାରୀ ରହିଛନ୍ତି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ସଘନ ଧାନ ଚାଷ, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ଜାତୀୟ ଖାଦ୍ୟ ନିରାପତ୍ତା ମିସନ୍‌, ଫସଲ ବୀମା ଯୋଜନା ଭଳି କାର୍ଯ୍ୟକ୍ରମକୁ ଏହି ଅଧିକାରୀମାନେ ତଦାରଖ କରୁଛନ୍ତି। ମାତ୍ର ଅଧିକାରୀମାନଙ୍କୁ ସରକାର ଅଣଦେଖା କରିବାକୁ ନେଇ ଅସନ୍ତୋଷ ଦେଖାଦେଇଥିବା କିଛି ସହାକାରୀ କୃଷି ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର