ଜୁଭେନାଇଲ୍‌ ପୁଲିସ ୟୁନିଟ୍‌ ଅଚଳ

ଶୀତଳଭଣ୍ଡାରରେ ଶିଶୁଙ୍କୁ ନ୍ୟାୟ ଯୋଜନା

କଟକ: କଟକ ପୁଲିସ ଜିଲ୍ଲାରେ କାମ କରୁନି ସ୍ୱତନ୍ତ୍ର ଜୁଭେନାଇଲ୍‌ ପୁଲିସ ୟୁନିଟ(ଏସ୍‌ଜେପିୟୁ)। ଶିଶୁଙ୍କୁ ନ୍ୟାୟ ଯୋଗାଇବାକୁ କମିଟି ଗଠନ ହୋଇଛି ସତ କିନ୍ତୁ ଶିଶୁ ନିର୍ଯାତନା ରୋକିବା ଦିଗରେ ସମ୍ପୃକ୍ତ ୟୁନିଟ୍‌ର ଅଫିସର କାର୍ଯ୍ୟ କରୁନଥିବା ଅଭିଯୋଗ ହେଉଛି। ସାଧାରଣ ଥାନା ପୁଲିସ ପୂର୍ବଭଳି ଶିଶୁଙ୍କ ସଂପର୍କିତ ମାମଲା ପରିଚାଳନା କରୁଛନ୍ତି। ଅନ୍ୟପଟେ ୟୁନିଟ୍‌ର ଅଧ୍ୟକ୍ଷଙ୍କ ପାଇଁ ଜିଲ୍ଲାରେ ଏପର୍ଯ୍ୟନ୍ତ ସ୍ୱତନ୍ତ୍ର ଅଫିସ ବ୍ୟବସ୍ଥା ହୋଇନଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଜୁଭେନାଇଲ୍‌ ଜଷ୍ଟିସ୍‌(କେୟାର ଆଣ୍ଡ ପ୍ରୋଟେକ୍ସନ ଅଫ୍‌ ଚିଲ୍‌ଡ୍ରେନ୍‌) ଆକ୍ଟ, ୨୦୧୫ ଏବଂ ଜୁଭେନାଇଲ୍‌ ଜଷ୍ଟିସ୍‌(କେୟାର ଆଣ୍ଡ ପ୍ରୋଟେକ୍ସନ ଅଫ୍‌ ଚିଲ୍‌ଡ୍ରେନ୍‌) ମଡେଲ୍‌ ରୁଲ୍‌ ୨୦୧୬ ଅନୁଯାୟୀ ପ୍ରତ୍ୟେକ ଜିଲ୍ଲାରେ ଏସ୍‌ଜେପିୟୁ ଖୋଲିବା ସମ୍ପର୍କରେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ୨୦୧୨ ସେପ୍ଟେମ୍ବର ୨୪ ତାରିଖରେ ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ରାଜ୍ୟର ପ୍ରତ୍ୟେକ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ପଠାଯାଇଥିଲା। ୨୦୧୫ରେ ୟୁନିଟ ଗଠନରେ କିଛି ପରିମାଣରେ ସଂଶୋଧନ କରାଯାଇଥିଲା। ଜିଲ୍ଲାର ରେଳବାଇ ଏସ୍‌ପି, ଗ୍ରାମାଞ୍ଚଳ ପୁଲିସ ଏବଂ କମିସନରେଟ୍‌ ପୁଲିସ ଜିଲ୍ଲାରେ ପୃଥକ୍‌ ଭାବେ ୟୁନିଟ ଗଠନ କରାଯାଇଥିଲା। ଏଥିରେ ଜିଲ୍ଲା ପୁଲିସ କାର୍ଯ୍ୟାଳୟର ଏଚ୍‌ଆର୍‌ପିସି ସେଲ୍‌ ଦାୟିତ୍ୱରେ ଥିବା ଡିଏସ୍‌ପି କିମ୍ବା ଏସିପି ପାହ୍ୟାର ଅଫିସର ୟୁନିଟ ଚେୟାରମ୍ୟାନ୍‌ ଭାବେ କାର୍ଯ୍ୟ କରିବାର ବ୍ୟବସ୍ଥା ରହିଛି। ତାଙ୍କ ସହିତ ପ୍ରତ୍ୟେକ ଥାନାର ଜଣେ ଜଣେ ଅଫିସର ୟୁନିଟ୍‌ର ସଦସ୍ୟ ରହିବା ସହିତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ (ଡିସିପିୟୁ) ପକ୍ଷରୁ ଦୁଇ ଜଣ ସମାଜସେବୀଙ୍କୁ ମଧ୍ୟ ନିଯୁକ୍ତ କରାଯିବାର ନିୟମ ରହିଛି।

ନିୟମ ଅନୁଯାୟୀ, କୌଣସି ଶିଶୁ ନିର୍ଯାତନାର ଶିକାର ହେଲେ କିମ୍ବା କୌଣସି ଅପରାଧରେ ସମ୍ପୃକ୍ତ ଥିବା ଅଭିଯୋଗ ହେଲେ ଉକ୍ତ ମାମଲାଟି କେବଳ ୟୁନିଟ୍‌ର ଚେୟାର୍‌ମ୍ୟାନଙ୍କ ଅଧ୍ୟକ୍ଷତାରେ ପରିଚାଳନା କରାଯିବ। ୟୁନିଟ୍‌ରେ ଥିବା ପୁଲିସ ଅଫିସର ଘଟଣାର ତଦନ୍ତ କରିବେ। ସମାଜସେବୀମାନେ ତାଙ୍କୁ ସହଯୋଗ କରିବେ। ଅନ୍ୟ ସାଧାରଣ ପୁଲିସ ମାମଲାର ତଦନ୍ତ ଦାୟିତ୍ୱ ନେଇ ପାରିବେ ନାହିଁ। କିନ୍ତୁ ଏସବୁ ନିୟମ କୌଣସି ଗୋଟିଏ ଘଟଣାରେ ବି କାର୍ଯ୍ୟକାରୀ କରାଯାଉ ନଥିବା ଅଭିଯୋଗ ହେଉଛି। ଅନ୍ୟପଟେ ଡିସିପି, ଗ୍ରାମାଞ୍ଚଳ ଏସ୍‌ପି କିମ୍ବା ରେଳବାଇ ଏସ୍‌ପିଙ୍କ କାର୍ଯ୍ୟାଳୟରେ ୟୁନିଟ୍‌ ଚେୟାରମ୍ୟାନଙ୍କ ପାଇଁ କୌଣସି ସ୍ୱତନ୍ତ୍ର ପ୍ରକୋଷ୍ଠ ବର୍ତ୍ତମାନ ସୁଦ୍ଧା ଖୋଲାଯାଇ ପାରିନାହିଁ। ଗତ ମାସରେ ଜିଲ୍ଲାପାଳ ଏ ସଂକ୍ରାନ୍ତରେ କଟକ ଜିଲ୍ଲାର ରେଳବାଇ ଏସ୍‌ପି, ଗ୍ରାମାଞ୍ଚଳ ଏସ୍‌ପି ଏବଂ କମିସନରେଟ୍‌ ପୁଲିସ ଡିସିପିଙ୍କୁ ଚିଠି ଲେଖିଛନ୍ତି। ପ୍ରତ୍ୟେକ ମାସ ୨୦ ତାରିଖରେ ଜିଲ୍ଲାସ୍ତରରେ ୟୁନିଟ୍‌ର ଚେୟାରମ୍ୟାନ୍‌ଙ୍କୁ ନେଇ ବୈଠକ ଅନୁଷ୍ଠିତ ହେବ। ଏଥିରେ ଜିଲ୍ଲାର ଶିଶୁଙ୍କ ସଂକ୍ରାନ୍ତ ମାମଲା ପରିଚାଳନରେ ସୃଷ୍ଟି ହେଉଥିବା ସମସ୍ୟା ସଂକ୍ରାନ୍ତରେ ସମୀକ୍ଷା କରାଯିବ। ଏହାସହିତ ପ୍ରତ୍ୟେକ ଥାନାରେ ଏକ ବୋର୍ଡ ଲଗାଯାଇ ଆଇନ ସମ୍ପର୍କରେ ସଚେତନ କରାଯିବ ବୋଲି ସୂଚନା ମିଳିଛି। ସିଡବ୍ଲୁସି ଅଧ୍ୟକ୍ଷ ବିକାଶ ମହାପାତ୍ର କହିବା ଅନୁଯାୟୀ ଏସ୍‌ଜେପିୟୁ ଶିଶୁଙ୍କ ସହିତ ଘଟୁଥିବା ହିଂସା କିମ୍ବା ଅପରାଧରେ ସମ୍ପୃକ୍ତ ଶିଶୁଙ୍କ ମାମଲା ପରିଚାଳନା କରିଥାଏ। ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ ଏବଂ ସିଡବ୍ଲୁସିରେ ଶୁଣାଣି ପାଇଁ ସେମାନଙ୍କୁ ହାଜର କରାଇଥାଏ। ଏହି ୟୁନିଟ୍‌ରେ ଥିବା ପୁଲିସ ଅଫିସର ମାମଲା ପରିଚାଳନା ବେଳେ ସିଭିଲ୍‌ ଡ୍ରେସ୍‌ରେ ରହି ସାକ୍ଷ୍ୟ ଗ୍ରହଣ କରିବେ। ପିଲାଙ୍କ ସହିତ ଧିରସ୍ଥିର ଭାବେ କଥା ହେବେ। ତାଙ୍କୁ ଥଇଥାନ ଗୃହ କିମ୍ବା ବାଳ ସୁଧାର ଗୃହରେ ଛାଡ଼ିବା ଦାୟିତ୍ୱ ମଧ୍ୟ ଏସ୍‌ଜେପିୟୁ ଉପରେ ନ୍ୟସ୍ତ କରାଯାଇଛି। କିନ୍ତୁ ୟୁନିଟ୍‌ ଏବେ କଟକ ଜିଲ୍ଲାରେ ସଂପୂର୍ଣ୍ଣ ନିଷ୍କ୍ରିୟ ଅବସ୍ଥାରେ ପଡ଼ିଛି। ସାଧାରଣ ପୁଲିସ ଶିଶୁଙ୍କ ମାମଲା ପରିଚାଳନା କରୁଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି। କଟକ ଜିଲ୍ଲା ଡିସିପିଓ ପ୍ରଗତୀ ମହାନ୍ତି କହିବା ଅନୁଯାୟୀ ଜିଲ୍ଲାରେ ଡିଏସ୍‌ପି କିମ୍ବା ଏସ୍‌ପି ପାହ୍ୟାର ଅଫିସରଙ୍କୁ ନେଇ ଗୋଟେ ସ୍ୱତନ୍ତ୍ର ପ୍ରକୋଷ୍ଠ ହେବା ଆବଶ୍ୟକ। କିନ୍ତୁ ଜିଲ୍ଲାରେ ସେଭଳି ବ୍ୟବସ୍ଥା ଏ ପର୍ଯ୍ୟନ୍ତ ହୋଇ ନାହିଁ ବୋଲି ଶ୍ରୀମତୀ ମହାନ୍ତି କହିଛନ୍ତି। ଅନ୍ୟପଟେ ମିଳିଥିବା ସୂଚନା ଅନୁଯାୟୀ ଏଭଳି ସ୍ଥିତି କେବଳ କଟକ ଜିଲ୍ଲାର ନୁହେଁ, ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ଏଭଳି ଦଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର