ପ୍ରାର୍ଥୀଙ୍କୁ ଚିନ୍ତାରେ ପକାଇଛି ‘ନୋଟା’ ଭୋଟ୍‌

୨ ଆସନରେ ହାରଜିତ୍‌ ଫଇସଲାକାରୀ ଭୋଟ୍‌ ସଂଖ୍ୟାଠାରୁ ଅଧିକ ପଡ଼ିଥିଲା ‘ନୋଟା’ରେ

ରାଉରକେଲା : ମତଦାତାଙ୍କ ପସନ୍ଦର କୌଣସି ପ୍ର‌ାର୍ଥୀ ନ ଥି‌େଲ ଏକ ବିକଳ୍ପ ଭାବେ କରିବାକୁ ‘ନୋଟା’ର ପ୍ରଚଳନ ହୋଇଥିଲା। ଗତ କେତୋଟି ନିର୍ବାଚନରେ ଏହାର ଉତ୍ସାହଜନକ ଫଳ ମିଳିଛି। ସୁନ୍ଦରଗଡ଼ ଜିଲ୍ଲାର ଲୋକସଭା ଓ ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ବିଚାରକୁ ନେଲେ ଏହି ସୁଯୋଗକୁ ମତଦାତା ହାତଛଡ଼ା କରୁ ନ ଥିବା ଦେଖିବାକୁ ମିଳୁଛି। ତେଣୁ ବିକଳ୍ପ ‘ନୋଟା’ ଏଥର ପ୍ରାର୍ଥୀମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି।

ଗତ ୨୦୧୪ ସାଧାରଣ ନିର୍ବାଚନରେ ‘ନୋଟା’ରେ ମିଳିଥିବା ଭୋଟ୍‌ ସଂଖ୍ୟାକୁ ଦେଖିଲେ ପ୍ରାର୍ଥୀମାନେ ଚିନ୍ତା କରିବା ସ୍ବାଭାବିକ। ଗତ ନିର୍ବାଚନରେ ସୁନ୍ଦରଗଡ଼ ଲୋକସଭା ସାଂସଦ ନିର୍ବାଚନରେ ‘ନୋଟା‌’ରେ ମୋଟ୍‌ ୧୫ ହଜାର ୮୨୦ ଭୋଟ୍‌ ପଡ଼ିଥିଲା। ସେହିଭଳି ଜିଲ୍ଲାର ୭ଟି ବିଧାନସଭା, ଯଥା ରାଉରକେଲା, ରଘୁନାଥପଲ୍ଲୀ, ବୀରମିତ୍ରପୁର, ବଣାଇଁ, ରାଜଗାଙ୍ଗପୁର, ତଲସରା ଓ ସୁନ୍ଦରଗଡ଼ ପାଇଁ ମୋଟ୍‌ ୧୪,୫୧୮ ମତଦାତା ‘ନୋଟା’ରେ ଭୋଟ ଦେଇଥିଲେ। କୌତୂହଳର ବିଷୟ ହେଲା ‘ନୋଟା’ରେ ଭୋଟ୍‌ ଦେଇଥିବା ମତଦାତା ଯଦି ଦ୍ବିତୀୟ ସ୍ଥାନରେ ରହିଥିବା ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଥାନ୍ତେ, ତା’ହେଲେ ଜିଲ୍ଲା‌ର ଅନ୍ୟୂନ ୨ଟି ବିଧାନସଭା କ୍ଷେତ୍ରରେ ଫଳାଫଳ ଭିନ୍ନ ହୋଇଥାନ୍ତା।

୨୦୧୪ରେ ତଲସରା ନିର୍ବାଚନ ମଣ୍ଡଳୀରେ ବିଜୟୀ ପ୍ରାର୍ଥୀ ପ୍ରଫୁଲ୍ଲ ମାଝୀ ୪୫,୬୮୯ ଖଣ୍ଡ ଭୋଟ ପାଇଥିବାବେଳେ ଦ୍ବିତୀୟ ସ୍ଥାନରେ ରହିଥିବା ବିନୟ ଟପ୍ପୋ ୪୪,୨୫୧ଟି ଭୋଟ୍‌ ପାଇ, ମାତ୍ର ୧,୪୩୮ ଖଣ୍ଡରେ ପରାସ୍ତ ହୋଇଥିଲେ। ତେବେ ଏହି ନିର୍ବାଚନମଣ୍ଡଳୀରେ କିନ୍ତୁ ‘ନୋଟା’ରେ ୧,୭୯୦ ଭୋଟ୍‌ ପଡ଼ିଥିଲା, ଯାହାକି ବିଜେତା ଓ ଦ୍ବିତୀୟ ସ୍ଥାନରେ ରହିଥିବା ପ୍ରାର୍ଥୀଙ୍କ ଭୋଟ୍‌ ଫରକ୍‌ଠାରୁ ଅଧିକ। ବଣାଇଁ ନିର୍ବାଚନମଣ୍ଡଳୀରେ ମଧ୍ୟ ସମାନ ଦୃଶ୍ୟ ପରିଲକ୍ଷିତ ହୋଇଥିଲା। ଏଠାକାର ବିଜୟୀ ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡା ୩୯,୧୨୫ଟି ଭୋଟ୍‌ ପାଇଥିବାବେଳେ ଦ୍ବିତୀୟ ସ୍ଥାନରେ ରହିଥିବା ଦୟାନିଧି କିଶାନ ୩୭,୧୮୧ ଭୋଟ୍‌ ପାଇଥିଲେ। ଅର୍ଥାତ୍‌, ଶ୍ରୀ ମୁଣ୍ଡା ମାତ୍ର ୧,୯୪୪ଟି ଅଧିକ ଭୋଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଅପରପକ୍ଷରେ ଏହି ନିର୍ବାଚନ ମଣ୍ଡଳୀ‌ରେ ୩,୮୦୩ଟି ଭୋଟ୍‌ ‘ନୋଟା’ରେ ପଡ଼ିଥିଲା। ଅତଏବ ‘ନୋଟା’ରେ ମିଳିଥିବା ଭୋଟ୍‌ ହାର୍‌ଜିତ୍‌ର ଫଇସଲା କରିଥିବା ଭୋଟ୍‌ ସଂଖ୍ୟାଠାରୁ ଢ଼େର୍‌ ଅଧିକ ଥିଲା। ଲୋକସଭା ସାଂସଦ ପାଇଁ ମଧ୍ୟ ‘ନୋଟା’ ବ୍ୟବହାରକାରୀଙ୍କ ସଂଖ୍ୟା କିଛି କମ୍‌ ନ ଥିଲା। ବିଜେପି ସାଂସଦ ପ୍ରାର୍ଥୀ ଜୁଏଲ ଓରାମ ମୋଟ୍‌ ୩,୪୦,୫୦୮ଟି ଭୋଟ୍‌ ପାଇଥିବାବେଳେ ବିଜେଡି ପ୍ରାର୍ଥୀ ଦିଲୀପ ତିର୍କୀ ୩,୨୧,୬୭୯ଟି ଭୋଟ୍‌ ପାଇଥିଲେ, ଅର୍ଥାତ୍‌ ୧୮,୮୨୯ଟି ଭୋଟ୍‌ରେ ପରାସ୍ତ ହୋଇଥିଲେ। ତେବେ ଏହି ଲୋକସଭାରେ ମୋଟ୍‌ ୧୫,୮୩୫ଟି ଭୋଟ୍‌ ନୋଟାରେ ପଡ଼ିଥିଲା।

ସାରା ସୁନ୍ଦରଗଡ଼ ଜିଲ୍ଲାରେ ‘ନୋଟା’ର ବହୁଳ ବ୍ୟବହାର ଦେଖିବାକୁ ମିଳିଥିଲା। ରାଉରକେଲା ନିର୍ବାଚନମଣ୍ଡଳୀରେ ମୋଟ୍‌ ୧,୦୯୧ଟି ଭୋଟ୍‌ ‘ନୋଟା’ରେ ପଡ଼ିଥିବାବେଳେ ରଘୁନାଥପାଲୀରେ ୧,୫୨୩, ରାଜଗାଙ୍ଗପୁରରେ ୧,୧୦୫, ବଣାଇଁରେ ୩,୮୦୩, ବୀରମିତ୍ରପୁରରେ ୧,୪୯୬, ତଲସରାରେ ୧,୭୯୦ ଓ ସୁନ୍ଦରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨,୩୫୮ ଖଣ୍ଡ ଭୋଟ୍‌ ‘ନୋଟା’ରେ ପଡ଼ିଥିଲା।

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଲୋକଙ୍କ ଭିତରେ ସଚେତନତା ଏବଂ ରାଜନୀତି ଓ ରାଜନେତାଙ୍କର କଳା ଦିଗଗୁଡ଼ିକ ପ୍ରତି ଅସନ୍ତୁଷ୍ଟି ଓ ବିରକ୍ତି ବଢ଼ିବାରେ ଲାଗିଛି। ସେମାନେ ଦଳକୁ ନୁହେଁ, ପ୍ରସଙ୍ଗକୁ ନେଇ ଭୋଟ୍ ଦେବାକୁ ଶିଖୁଛନ୍ତି। ତେଣୁ ଏଥର ଏହି ‘ନୋଟା’ ଭୋଟ୍‌ର ସଂଖ୍ୟା ବଢ଼ିବାର ସବୁ ଆଶଙ୍କା ରହିଛି। ଉଲ୍ଲେଖନୀୟ ଯେ ମତଦାତା କେବଳ ମତଦାନ କେନ୍ଦ୍ରକୁ ଯାଇ ‘ନୋଟା’ରେ ଭୋଟ୍‌ ଦେଉନାହାନ୍ତି, ପୋଷ୍ଟାଲ୍‌ ଭୋଟିଂ ମାଧ୍ୟମରେ ମଧ୍ୟ ‘ନୋଟା’କୁ ବ୍ୟବହାର କରୁଛନ୍ତି। ଗତ ନିର୍ବାଚନରେ ପୋଷ୍ଟାଲ୍‌ ଭୋଟିଂ ଜରିଆରେ ସୁନ୍ଦରଗଡ଼ ଜିଲ୍ଲାର ମୋଟ୍‌ ୭ଟି ବିଧାନସଭା କ୍ଷେତ୍ରରେ ୪୦ଟି ଭୋଟ୍‌ ‘ନୋଟା’ରେ ପଡ଼ିଥିଲା। ୫ଟି ଭୋଟ୍‌ ଲୋକସଭା ପାଇଁ ପଡ଼ିଥିଲା।

ସମ୍ବନ୍ଧିତ ଖବର