ପରଲୋକରେ ସ୍ୱାଧୀନତା ସଂଗ୍ରାମୀ, ବିଶିଷ୍ଟ ଐତିହାସିକ ତଥା ବିପ୍ଳବୀ କବି ପ୍ରଫୁଲ୍ଲ ଦାସ

ରାଜକନିକା : ସ୍ୱାଧୀନତା ସଂଗ୍ରାମୀ, ବିଶିଷ୍ଟ ଐତିହାସିକ ତଥା ବିପ୍ଳବୀ କବି ପ୍ରଫୁଲ୍ଲ ଦାସଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା। ଦୀର୍ଘଦିନ ଧରି ଅସୁସ୍ଥତା ପରେ ଗତ ୨୨ ତାରିଖ ଦିନ ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଆଜି ଅପରାହ୍ନ ୩ଟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି।

ସ୍ୱର୍ଗତଃ ଦାସ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ଅନ୍ତର୍ଗତ ଜରିସାହିଠାରେ ଥିବା ମାମୁଁ ଘରେ ପିଲାବେଳୁ ରହି ଆସୁଥିଲେ। ଖୁବ୍‌ ଛୋଟବେଳୁ ସେ ଆନ୍ଦୋଳନାତ୍ମକ କାର୍ଯ୍ୟରେ ଯୋଗଦେବା ସହିତ ଲେଖନୀ ଚାଳନା କରି ଆସୁଥିଲେ। ଏପରିକି, କୁଷ୍ଠ ବ୍ୟାଧିଗ୍ରସ୍ତ ହୋଇ ମଧ୍ୟ ଏଦିଗରେ ରହିଥିବା ତାଙ୍କର ନିଷ୍ଠା ଓ ପ୍ରତିବଦ୍ଧତା ଉପରେ କୌଣସି ପ୍ରଭାବ ପଡ଼ିନଥିଲା। ଏକାଧାରରେ ସେ ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ, ଐତିହାସିକ ଓ ସାହିତ୍ୟିକ। କନିକାର ଅସହାୟ ତଥା ନିଷ୍ପେସିତ ଓ ଦଳିତମାନଙ୍କ ପାଇଁ ସେ ସ୍ୱର ଉତ୍ତୋଳନ କିଥିଲେ। କନିକା ରାଜାଙ୍କ ଶୋଷଣ ଓ ଅତ୍ୟାଚାର ବିରୁଦ୍ଧରେ ସେ ପ୍ରଜାମେଳି କରିଥିଲେ। ଏଥିପାଇଁ ତାଙ୍କୁ ରାଜାଙ୍କ ଦ୍ୱାରା ବିତାଡ଼ିତ ହେବାକୁ ପଡ଼ିଥିଲା।

ଜଣେ ଐତିହାସିକ ଭାବେ ସ୍ୱର୍ଗତଃ ଦାସ ବହୁ କାଳଜୟୀ ପୁସ୍ତକ ରଚନା କରିଛନ୍ତି। ସେଗୁଡ଼ିକ ମଧ୍ୟରେ ରହିଛି ଭାରତର ସଶସ୍ତ୍ର ମୁକ୍ତି ସଂଗ୍ରାମ, କଳାପାଣିରେ ଅଗ୍ନିଶିଖା, ଭୂଦାନ, ସହିଦ୍‌ ବାସୁ ବିସୁନୀ, ଫାଶୀ ମଞ୍ଚ। ‘ ଫାଶୀ ମଞ୍ଚ’ ପୁସ୍ତକ ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ମିଳିଥିଲା। ସେହିଭଳି, ମାଳତୀ ଚୌଧୁରୀଙ୍କ ଜୀବନୀକୁ ନେଇ ରଚିତ ପୁସ୍ତକ ‘ବହ୍ନିମାନ’ ପାଇଁ ତାଙ୍କୁ ସମ୍ମାନଜନକ ଶାରଳା ସମ୍ମାନ ପ୍ରଦାନ କରାଯାଇଥିଲା । କନିକା ପ୍ରଜା ଆନ୍ଦୋଳନ, ଭୂଦାନ ଆନ୍ଦୋଳନ ଜମି-ଜଳ ଓ ଜଙ୍ଗଲ ଆନ୍ଦୋଳନ ସହ ପୁଞ୍ଜିବାଦ ଓ ସାମନ୍ତବାଦ ବିରୁଦ୍ଧରେ ସେ ବହୁ ଅଗ୍ନିବର୍ଷୀ ଲେଖା ଲେଖିଛନ୍ତି। ଏଥିସହିତ, ସେ ବହୁ ବିପ୍ଳବୀ କବିତା ରଚନା କରିଥିଲେ।

ସମ୍ବନ୍ଧିତ ଖବର