ବିଶିଷ୍ଟ ନାଟ୍ୟକାର ଓ ନିର୍ଦ୍ଦେଶକ ଅନନ୍ତ ଓଝାଙ୍କ ପରଲୋକ

କେନ୍ଦ୍ରାପଡ଼ା: ଓଡ଼ିଆ ଯାତ୍ରା ଦୁନିଆର ବିଶିଷ୍ଟ ନାଟ୍ୟକାର ଅନନ୍ତ ଓଝାଙ୍କର ୫୯ ବର୍ଷ ବୟସରେ ପରଲୋକ ହୋଇ ଯାଇଛି। ବେଙ୍ଗାଲୁରର ଏଚ୍‌ସିଜି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିବା ଓଝାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଓଝା ଇଷ୍ଟର୍ଣ୍ଣ ମିଡିଆ ଏଣ୍ଟରଟେନମେଣ୍ଟରେ ନିର୍ଦ୍ଦେଶକ ଭାବରେ ଯୋଗ ଦେଇଥିଲେ। ଓଡ଼ିଶାର ବିଭିନ୍ନ ଯାତ୍ରାନୁଷ୍ଠାନଗୁଡ଼ିରେ ମଞ୍ଚସ୍ଥ ହୋଇଥିବା ନାଟକ ଗୁଡ଼ିକ ଯେଉଁ ଦର୍ଶକମାନେ ଦେଖିଛନ୍ତି, ସେମାନେ ହିଁ ବୁଝିପାରିବେ ଅନନ୍ତ ଓଝାଙ୍କ ନିର୍ଦ୍ଦେଶନାରେ ନାଟକ କେମିତି ପ୍ରସ୍ଫୁଟିତ ହେଉଥିଲା।

ସୂଚନାଯୋଗ୍ୟ, ନାଟ୍ୟକାର ଅନନ୍ତ ଓଝା ପ୍ରାୟ ୩ ଦଶନ୍ଧି ଧରି ନାଟ୍ୟ ଜଗତରେ ସକ୍ରିୟ ଥିଲେ। ସେ ୨୦୦ରୁ ଅଧିକ ହିଟ୍‌ ନାଟକର ରଚନା ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ‘ଖଜୁରୀ ଗଛର କି ଗୁଣ ଗାଇବି ମୂଳରୁ ପାହଚ ପାହଚ’, ‘ମୋ ସ୍ତ୍ରୀର ବାହାଘର’, ‘ମୋ ଶବ ମୋ କାନ୍ଧରେ’, ‘ଭଲ ମଣିଷ ଖୋଜା ଚାଲିଛି’, ‘ମାଂସ କଣ୍ଢେଇ’, ‘ଜୀଅନ୍ତା ଶବ’, ‘କଂସେଇ ଖାନା’, ‘ବିଦେଶିନୀ’ ଓ ‘ମାଇଚିଆ ଗୋଖେଇ ସାହୁ’ ଭଳି ତାଙ୍କ ରଚିତ ହିଟ୍‌ ନାଟକର ତାଲିକାରହିଛି।

ସ୍ୱର୍ଗତଃ ଅନନ୍ତ ଓଝାଙ୍କ ଚିକିତ୍ସା ପାଇଁ ନାଟ୍ୟକାର ତଥା ଅଭିନେତା ଦୈତାରୀ ପଣ୍ଡା କିଛି ଅର୍ଥ ରାଶି ସାହାଯ୍ୟ କରିଥିଲେ। କେବଳ ଏତିକି ନୁହେଁ ତାଙ୍କର ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ ସାଜି ଥିବା ନେଇ ବିଭିନ୍ନ ଆଡୁ ସାହାଯ୍ୟର ହାତ ବଢ଼ି ଆସିଥିଲା। ତେବେ ପ୍ରାୟ ଅଢେଇ ମାସ ଧରି ହସ୍ପିଟାଲରେ ଚିକିତ୍ସାଧୀନ ରହିବା ପରେ ଆଜି ତାଙ୍କର ଦେହାନ୍ତ ହୋଇଛି। ଅନନ୍ତଙ୍କ ମୃତ୍ୟୁରେ ସାରା ଜଲିଉଡ୍‌ ଜଗତରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର