ଭୁବନେଶ୍ୱର: ବିଶିଷ୍ଟ କବି ରମାକାନ୍ତ ରଥଙ୍କୁ ଚଳିତ ବର୍ଷ ଲାଗି ଓଡ଼ିଶା ସାହିତ୍ୟ ଏକାଡେମିର ସର୍ବୋଚ୍ଚ ସାରସ୍ୱତ ସମ୍ମାନ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ପ୍ରଦାନ କରାଯିବ। ଶନିବାର ଏକାଡେମି ପକ୍ଷରୁ ଏହି ଘୋଷଣା କରାଯାଇଛି। ଏଥି ସହ ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ୨୦୧୮ ମସିହା ଲାଗି ୧୫ ଜଣ ବୟୋଜ୍ୟେଷ୍ଠ ସାହିତ୍ୟିକଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସୂଚନା ମିଳିଛି। ଏକ ସ୍ୱତନ୍ତ୍ର ଉତ୍ସବରେ କବି ରମାକାନ୍ତଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ।
ଦେଶର ଜଣେ ବିଶିଷ୍ଟ କବି ଭାବେ ଖ୍ୟାତ ଶ୍ରୀଯୁକ୍ତ ରଥ ତାଙ୍କର ଦୀର୍ଘ କବିତା ଶ୍ରୀରାଧା(୧୯୮୪) ଲାଗି ଦେଶବିଦେଶରେ ବେଶ ପରିଚିତ। ସେ ବୃତ୍ତିରେ ଜଣେ ପ୍ରଶାସକ ଓ ପ୍ରବୃତ୍ତିରେ ସାହିତ୍ୟ ଉପାସକ। ରେଭେନ୍ସା କଲେଜରୁ ଇଂରାଜୀ ଭାଷା ସାହିତ୍ୟରେ ଏମ୍.ଏ କରିବା ପରେ ସେ ଭାରତୀୟ ପ୍ରଶାସନିକ ସେବାରେ ୧୯୫୭ରେ ଯୋଗ ଦେଇଥିଲେ। ସେ କେନ୍ଦ୍ର ସାହିତ୍ୟ ଏକାଡେମିର ସଭାପତି ଓ ଉପ-ସଭାପତି ଭାବେ ଅବସ୍ଥାପିତ ହୋଇ ସାରିଛନ୍ତି। ୧୯୯୨ ମସିହାରେ ଶ୍ରୀଯୁକ୍ତ ରଥ ଓଡ଼ିଶାର ମୁଖ୍ୟ ସଚିବ ପଦବିରେ ଥାଇ ଅବସର ଗ୍ରହଣ କରିିଥିଲେ। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତ ଶ୍ରୀ ରଥ ତାଙ୍କର ସାହିତ୍ୟକୃତି ଲାଗି ବହୁ ଭାବେ ସମ୍ମାନିତ ଓ ପୁରସ୍କୃତ ହୋଇଛନ୍ତି।
ସଂକ୍ଷେପରେ ରମାକାନ୍ତ...
ଜନ୍ମ: ୧୯୩୪ ଡିସେମ୍ବର ୧୩
ପୁରସ୍କାର: ସାହିତ୍ୟ ଏକାଡେମି ପୁରସ୍କାର(୧୯୭୭), ସରସ୍ବତୀ ସମ୍ମାନ (୧୯୯୨), ପଦ୍ମ ଭୂଷଣ (୨୦୦୬), ସାହିତ୍ୟ ଏକାଡେମି ଫେଲୋସିପ୍ (୨୦୦୯)
କବିତା ସଂକଳନ...
କେତେ ଦିନର, ୧୯୬୨
ଅନେକ କୋଠରି, ୧୯୬୭
ସନ୍ଦିଗ୍ଧ ମୃଗୟା, ୧୯୭୧
ସପ୍ତମ ରୁତୁ, ୧୯୭୭
ସଚ୍ଚିତ୍ର ଅନ୍ଧାର, ୧୯୮୨
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/rama.jpg)