ଭିତ୍ତିଭୂମି ନ ସଜାଡ଼ିବା ମହଙ୍ଗା ପଡ଼ିଲା : ୨୬ଟି ଯୁକ୍ତ୨ କଲେଜକୁ ନୋଟିସ୍‌, ତାଲିକାରେ ଗଞ୍ଜାମ ଜିଲ୍ଲାର ସର୍ବାଧିକ ୮ କଲେଜ

୧୫ ଦିନ ମଧ୍ୟରେ ଉତ୍ତର ନ ଦେଲେ ନାମଲେଖା ବନ୍ଦ

ଭୁବନେଶ୍ୱର : ୨୦୧୮-୧୯ ଶିକ୍ଷାବର୍ଷ ଆରମ୍ଭ ହେବା ପୂର୍ବରୁ ଯୁକ୍ତ୨ କଲେଜ ଉପରେ ପଡ଼ିଛି ଚଡ଼କ। ଭିତ୍ତିଭୂମି ନ ସଜାଡ଼ି ଛାତ୍ରଛାତ୍ରୀଙ୍କ ନାମଲେଖା କରାଇ କୋଟି କୋଟି ଟଙ୍କା ନେଉଥିବା କଲେଜଗୁଡ଼ିକ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଯେଉଁ କଲେଜଗୁଡ଼ିକ ୭ ବର୍ଷ ହେଲା ସ୍ୱୀକୃତି ପାଇଥିଲେ ମାତ୍ର ଗୁଣାତ୍ମକ ଶିକ୍ଷା ଦେଉ ନ ଥିଲେ ସେପରି ୨୬ଟି କଲେଜକୁ ଏପରି କାରଣଦର୍ଶାଅ ନୋଟିସ୍‌। ୧୫ ଦିନ ମଧ୍ୟରେ ଉତ୍ତର ନ ରଖିଲେ ଆସନ୍ତା ଶିକ୍ଷାବର୍ଷରୁ ପିଲାଙ୍କ ନାମଲେଖା ନ କରାଇବାକୁ ବି ଧମକ ଦେଇଛି ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ।

କାରଣଦର୍ଶାଅ ନୋଟିସ୍‌ ଜାରି ହୋଇଥିବା ୨୬ଟି କଲେଜ ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ସବୁଠାରୁ ଅଧିକ ୮ଟି କଲେଜ ରହିଛି। ସମ୍ବଲପୁର ଓ ବଲାଙ୍ଗୀରର ୪ଟି ଲେଖାଏ, ସୁବର୍ଣ୍ଣପୁରର ୩ଟି, କଳାହାଣ୍ଡିର ୨ଟି ଓ ଦେବଗଡ଼, ବରଗଡ଼, ଗଜପତି, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାର ଗୋଟିଏ ଲେଖାଏ କଲେଜ ରହିଛି। ଏହି କଲେଜଗୁଡ଼ିକ ୨୦୧୧ ପୂର୍ବରୁ ରାଜ୍ୟ ସରକାରଙ୍କଠାରୁ ଅସ୍ଥାୟୀ ସ୍ୱୀକୃତି ପାଇଥିଲେ। ସ୍ୱୀକୃତି ନେବା ସମୟରେ ସେମାନେ ସର୍ତ ରଖିଥିଲେ ଯେ, ୭ ବର୍ଷ ମଧ୍ୟରେ ନିଜସ୍ୱ ଜମି, ନିଜସ୍ୱ କୋଠା, ଯୋଗ୍ୟତାଧାରୀ ଅଧ୍ୟାପକଙ୍କୁ ନିଯୁକ୍ତି, ଛାତ୍ରଛାତ୍ରୀଙ୍କ ଲାଗି ଉପଯୁକ୍ତ ଲାଇବ୍ରେରି ଓ ଲାବୋରୋଟାରି ପ୍ରତିଷ୍ଠା କରିବେ। ଇତି ମଧ୍ୟରେ ୭ ବର୍ଷ ବିତିଯାଇଥିଲେ ମଧ୍ୟ ସମ୍ପୃକ୍ତ କଲେଜଗୁଡ଼ିକ ଭିତ୍ତିଭୂମି ଠିକ୍‌ କରିପାରି ନାହାନ୍ତି। ନୋଟିସ୍‌ ଜାରି ହୋଇଥିବା କଲେଜଗୁଡ଼ିକ ମଧ୍ୟରେ ଅଧିକାଂଶ ସେଲ୍ଫ ଫାଇନାନ୍ସିଂ କଲେଜ ରହିଛି। କେତେକ ଘରୋଇ କଲେଜକୁ ମଧ୍ୟ କାରଣଦର୍ଶାଅ ନୋଟିସ୍‌ ଜାରି ହୋଇଛି। ଏଥିରେ କୁହାଯାଇଛି ଯେ ନିର୍ଧାରିତ ସମୟରେ ଭିତ୍ତିଭୂମି ସଜାଡ଼ି ନ ଥିବାରୁ କାହିଁକି ସ୍ୱୀକୃତି ପ୍ରତ୍ୟାହାର କରା ନ ଯିବ? ନାମଲେଖା ଉପରେ କାହିଁକି ରୋକ ଲଗା ନ ହେବ? ୧୫ ଦିନ ମଧ୍ୟରେ ଏହାର ଉତ୍ତର ଦେବାକୁ କଲେଜଗୁଡ଼ିକୁ କୁହାଯାଇଛି। ଯଦି ୧୫ ଦିନ ମଧ୍ୟରେ ଉତ୍ତର ନ ଦିଅନ୍ତି ତେବେ ନୂତନ ନାମଲେଖା ଉପରେ କଟକଣା ଜାରି ହେବ। ଯେଉଁ ଛାତ୍ରଛାତ୍ରୀ ଏବେ ଶିକ୍ଷା ଗ୍ରହଣ କରୁଛନ୍ତି ସେମାନଙ୍କ ବ୍ୟତୀତ ନୂଆ ପିଲାଙ୍କ ନାମଲେଖା ଲାଗି ସୁଯୋଗ ଦିଆଯିବ ନାହିଁ ବୋଲି କଡ଼ା ନିର୍ଦେଶ ଦିଆଯାଇଛି।

ନିୟମ ଅନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ କଲେଜଗୁଡ଼ିକୁ ସ୍ୱୀକୃତି ପ୍ରଦାନ କରାଯିବା ସମୟରେ ଉପଯୁକ୍ତ ଭିତ୍ତିଭୂମି, ନିଜସ୍ୱ ଘର, ଯୋଗ୍ୟତାପ୍ରାପ୍ତ ଅଧ୍ୟାପକ, ଲାଇବ୍ରେରି, ଲାବୋରୋଟାରି ଆଦି ଠିକ୍‌ ରହିବା ଆବଶ୍ୟକ। ଯେଉଁ କଲେଜଗୁଡ଼ିକର ଉପଯୁକ୍ତ ଭିତ୍ତିଭୂମି ନ ଥିବ ସେମାନେ ୭ ବର୍ଷ ମଧ୍ୟରେ ଭିତ୍ତିଭୂମି ସୁଦୃଢ଼ କରିବା ଆବଶ୍ୟକ। ନିଜସ୍ୱ ଜମି ଓ ବିଲ୍‌ଡିଂ ପ୍ରତିଷ୍ଠା କରି ସେଠାରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରିବା ବାଧ୍ୟତାମୂଳକ। ଯଦି ନିର୍ଧାରିତ ସମୟ ମଧ୍ୟରେ କଲେଜଗୁଡ଼ିକ ସେମାନଙ୍କ ଭିତ୍ତିଭୂମି ଠିକ୍‌ ନ କରନ୍ତି ତେବେ ସ୍ୱୀକୃତି ପ୍ରତ୍ୟାହାର କରାଯିବ।

ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ ଏବେ ସାରା ରାଜ୍ୟରେ ୧୫୬୦ରୁ ଅଧିକ ଯୁକ୍ତ୨ କଲେଜ ରହିଛି। ସେଥିମଧ୍ୟରୁ ଅଧିକାଂଶ କଲେଜର ଭିତ୍ତିଭୂମି ଠିକ୍‌ ନାହିଁ। କାହାର ନିଜସ୍ୱ ଜମି ନାହିଁ ତ ଆଉ କାହାର ଲାଇବ୍ରେରି, ଲାବୋରୋଟାରି ଖରାପ ହୋଇ ପଡ଼ିଛି। କେତେକ ସେଲ୍ଫ ଫାଇନାନ୍ସିଂ କଲେଜ ଏବେ ବି ଭଡ଼ା ଘରେ ଚାଲିଛି। ୨୦୧୧ଠାରୁ ରାଜ୍ୟ ସରକାରଙ୍କ ସ୍ୱୀକୃତି ପାଇଥିଲେ ମଧ୍ୟ ୧୫୦ରୁ ଅଧିକ କଲେଜ ଆଜି ପର୍ଯ୍ୟନ୍ତ ଭିତ୍ତିଭୂମି କରିପାରି ନାହାନ୍ତି। ନିୟମକୁ ଉଲ୍ଲଂଘନ କରିଚାଲିଛନ୍ତି। ଅଧିକାଂଶ ସେଲ୍ଫ ଫାଇନାନ୍ସିଂ କଲେଜ ରହିଛନ୍ତି। ଗତବର୍ଷ କିଛି କଲେଜକୁ କାରଣ ଦର୍ଶାଅ ରିପୋର୍ଟ ପଠାଯାଇଥିଲେ ମଧ୍ୟ ସେମାନେ ଭୁଆଁ ବୁଲାଇ ଦେଇଥିଲେ। ଏଥର କିନ୍ତୁ ଶିକ୍ଷାବର୍ଷ ଆରମ୍ଭରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର