ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଅଖିଆ, ଅପୂଜା ରଖିବା ଘଟଣା : ଭିତରଚ୍ଛଙ୍କ ସମେତ ୯ ସେବାୟତଙ୍କୁ ନୋଟିସ୍

ପୁରୀ:‌ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ୧୪ ଘଣ୍ଟା ଅଖିଆ, ଅପୂଜା ରଖିବା ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ଭିତରଚ୍ଛଙ୍କ ସମେତ ୯ ଜଣ ସେବାୟତଙ୍କୁ ‌କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। କେଉଁ ପରିସ୍ଥିତି ଏବଂ କାହା ପ୍ରରୋଚନାରେ ଏଭଳି ଏକ ବଡ଼ ଅଘଟଣ ଘଟିଲା ସେ ସଂପର୍କରେ ୭ ଦିନ ମଧ୍ୟରେ ଜବାବ ରଖିବାକୁ ଚିଠିରେ କୁହାଯାଇଛି। ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଜବାବ ନରଖିଲେ ଶ୍ରୀମନ୍ଦିର ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦିଆଯାଇଛି। ସୂଚନାଯୋଗ୍ୟ, ଗତ ଡିସେମ୍ବର ୨୭ରେ ପଶ୍ଚିମବଙ୍ଗର କିଛି ଭକ୍ତଙ୍କ ଶ୍ରୀମନ୍ଦିର ପ୍ରବେଶକୁ ନେଇ ଭିତରଚ୍ଛ ଓ ସୁରକ୍ଷା ଦାୟିତ୍ବରେ ନିୟୋଜିତ କର୍ମଚାରୀଙ୍କ ମଧ୍ୟରେ ଧସ୍ତାଧସ୍ତି, ମାଡ଼ ମରାମରି ହୋଇଥିଲା। ଏହାକୁ କେନ୍ଦ୍ର କରି ଡିସେମ୍ବର ୨୮ରେ ଭିତରଚ୍ଛଙ୍କ ସମେତ ସମସ୍ତ ସେବାୟତ ଆନ୍ଦୋଳନକୁ ଓହ୍ଲାଇଥିଲେ। ମହାପ୍ରଭୁଙ୍କ ଦ୍ବାରଫିଟାଠାରୁ ଆରମ୍ଭ କରି ଦିନଯାକର ସମସ୍ତ ନୀତି ବନ୍ଦ କରି ଦେଇଥିଲେ। ଭୋର ୩ଟା ବଦଳରେ ୧୪ ଘଣ୍ଟା ବିଳମ୍ବରେ ଅର୍ଥାତ ସଂଧ୍ୟା ୫ଟାରେ ମହାପ୍ରଭୁଙ୍କ ଦ୍ବାରଫିଟା ନୀତି ଅନୁ‌ଷ୍ଠିତ ହୋଇଥିଲା। ଏଥି ପାଇଁ ମହାପ୍ରଭୁ ୧୪ ଘଣ୍ଟା ଅଖିଆ, ଅପୂଜା ରହିଥିଲେ। ଯାହାକୁ ନେଇ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଏହି ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ଭିତରଚ୍ଛଙ୍କ ସମେତ ୯ ଜଣ ସେବାୟତଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରି କାହିଁକି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବନି ବୋଲି ଉତ୍ତର ଲେଖି ଜଣାଇବାକୁ କହିଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଗତ ୨୭ ଓ ୨୮ ତାରିଖରେ ସେବା ଦାୟିତ୍ବରେ ଥିବା କମାଣ୍ଡର, ଡେପୁଟି କମାଣ୍ଡର, ଚର୍ଚ୍ଚା ଓ ଜେଟିପିଙ୍କ ବୟାନ ରେକର୍ଡ଼ କରି ସାରିଛି।

ସମ୍ବନ୍ଧିତ ଖବର