୩୧ ଖଣି ବିରୋଧରେ ଜିଲ୍ଲା ମାଜିଷ୍ଟ୍ରେଙ୍କ କୋର୍ଟରେ ସାର୍ଟିଫିକେଟ କେସ୍‌ : ୨୩ ଲିଜ୍‌ଧାରୀଙ୍କୁ ନୋଟିସ୍‌

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ମୋଟ ୩୧ଟି ଖଣିର ୨୩ ଜଣ ଖିଲାପକାରୀ ଖଣି ଲିଜ୍‌ଧାରୀମାନଙ୍କୁ ଆଜି ଜିଲ୍ଲା ମାଜିଷ୍ଟ୍ରେଙ୍କ କୋର୍ଟରୁ ନୋଟିସ୍‌ ହୋଇଛି। ଯୋଡା ଖଣି ମଣ୍ଡଳର ୨୮ଟି ଖଣିର ୨୦ ଜଣ ଲିଜ୍‌ଧାରୀ ଏବଂ କେନ୍ଦୁଝର ଖଣି ମଣ୍ଡଳର ୩ଟି ଖଣିର ୩ ଜଣ ଲିଜ୍‌ଧାରୀ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶମତେ ଜରିମାନା ଦାଖଲ ନ କରିବାକୁ ଗତ ମେ ୨୪ ତାରିଖରେ ଖଣି ବିଭାଗ ପକ୍ଷରୁ କେନ୍ଦୁଝର ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରେ ଏକ ସାର୍ଟିଫିକେଟ କେସ୍‌ କରାଯାଇଥିଲା। ଏହି କେସ୍‌ ଆଧାରରେ ଆଜି କେନ୍ଦୁଝର ଜିଲ୍ଲା ମାଜିଷ୍ଟ୍ରେଟଙ୍କ କୋର୍ଟରୁ ନୋଟିସ୍‌ ଜାରି କରାଯାଇଛି।

ସୂଚନା ଅନୁସାରେ, ଡବ୍ଲ୍ୟୁପି(ସି) ନଂ-୧୧୪/୨୦୧୪ ମାମଲାର ବିଚାର କରି ୨୦୧୭ ମସିହା ଅଗଷ୍ଟ ୨ ତାରିଖରେ ସୁପ୍ରିମକୋର୍ଟ ବେଆଇନ ଖଣି ଖନନ କରିଥିବା ଲିଜ୍‌ଧାରୀମାନଙ୍କଠାରୁ କ୍ଷତିପୂରଣ ଆଦାୟ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ଆଧାରରେ କେନ୍ଦୁଝର ଜିଲ୍ଲାର ଯୋଡା ଖଣି ମଣ୍ଡଳ ଏବଂ କେନ୍ଦୁଝର ଖଣି ମଣ୍ଡଳର ମୋଟ ୩୧ଟି ଖଣିର ୨୩ଜଣ ଲିଜ୍‌ ଧାରୀ ନିର୍ଦ୍ଧାରିତ ସମୟରେ ଜରିମାନା ଦାଖଲ କରି ନ ଥିଲେ। ଫଳରେ ମେ ୨୪ ତାରିଖରେ ଏହି ୨୩ ଜଣ ଲିଜ୍‌ଧାରୀଙ୍କ ବିରୋଧରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କୋର୍ଟରେ ସାର୍ଟିଫିକେଟ କେସ୍‌ ହୋଇଥିଲା।
ଫଳରେ ଆଜି ଜିଲ୍ଲା ମାଜିଷ୍ଟ୍ରେଟଙ୍କ କୋର୍ଟରୁ ଏହି ୨୩ଜଣ ଲିଜ୍‌ଧାରୀଙ୍କୁ ନୋଟିସ୍‌ ହୋଇଛି। ଏଠାରେ ସୂଚନାଯୋଗ୍ୟ ଯେ ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ୨୮ ଖଣି ବାବଦକୁ ୨୦ଜଣ ଲିଜ୍‌ଧାରୀଙ୍କ ଉପରେ ୬୦୪୧କୋଟି,୯୮ଲକ୍ଷ ୩୯ହଜାର ୪୦୨ ଟଙ୍କା ବକେୟା ରହିଥିବା ବେଳେ କେନ୍ଦୁଝର ମଣ୍ଡଳର ୩ଟି ଖଣି ବାବଦକୁ ୩ଜଣ ଲିଜ୍‌ଧାରୀଙ୍କ ନାମରେ ୨୮୨ କୋଟି ୩୬ଲକ୍ଷ ୫୨ ହଜାର ୦୨୦ ଟଙ୍କା ବକେୟା ରହିଛି। ଏହିପରି ମୋଟ ୬୩୨୪କୋଟି ୩୪ ଲକ୍ଷ ୯୧ ହଜାର ୪୨୨ ଟଙ୍କା ବକେୟା ରହିଥିବା ଜଣାପଡିଛି।

ଏ ସଂପର୍କରେ ଆମେ ଜିଲ୍ଲା ମାଜିଷ୍ଟ୍ରେଟ ତଥା ଜିଲ୍ଲାପାଳ ଆଶିଷ୍‌ ଠାକ୍‌ରେଙ୍କୁ ପଚାରିବାରୁ ସେ ୨୩ ଜଣ ଲିଜ୍‌ଧାରୀକୁ ନୋଟିସ୍‌ ହୋଇଥିବା କହିଛନ୍ତି।

ଜୁଲାଇ ୨୮ ତାରିଖ ସୁଦ୍ଧା ଲିଜ୍‌ଧାରୀମାନେ ଉତ୍ତର ଦେବେ। ଯଦି ଉତ୍ତର ସନ୍ତୋଷଜନକ ନହୁଏ ଓପିଡିଆର୍‌ ଆକ୍ଟ-୧୯୬୨ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର