ସିସୋର, ଅର୍ଥତତ୍ତ୍ୱ ମୁଖ୍ୟଙ୍କ ସମେତ ସମସ୍ତ ନିର୍ଦ୍ଦେଶକଙ୍କୁ ନୋଟିସ୍‌

ଏସଏଫ୍‌ଆଇଓ ମାମଲା

କଟକ : କମ୍ପାନି ଆଇନ ଉଲ୍ଲଘଂନକୁ ନେଇ ରୁଜୁ କଂପ୍ଲେନ୍‌ ମାମଲାର ଶୁଣାଣି କରି କଟକ ସ୍ପେଶାଲ ସିଜେଏମ୍‌ ଅଦାଲତ ସିସୋର ଓ ଅର୍ଥତତ୍ତ୍ୱ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକଙ୍କ ସହିତ ଅନ୍ୟ ସମସ୍ତ ନିର୍ଦ୍ଦେଶକଙ୍କୁ ନୋଟିସ୍‌ ଜାରି କରିଛନ୍ତି। କେନ୍ଦ୍ର ସରକାରଙ୍କ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ଥିବା ସିରିୟସ୍‌ ଫ୍ରଡ୍‌ ଇନଭେଷ୍ଟିଗେସନ୍‌ ଅଫିସ (ଏସଏଫ୍‌ଆଇଓ)ର ଯୁଗ୍ମ ନିର୍ଦ୍ଦେଶକ ଜଗମୋହନ ହୁଡାଙ୍କ ପକ୍ଷରୁ ଦୁଇଟି ପୃଥକ କଂପ୍ଲେନ୍‌ କେସ୍‌ ରୁଜୁ କରାଯାଇଥିଲା। ଏହି ଦୁଇ ସଂସ୍ଥା କମ୍ପାନି ଆଇନ, ୧୯୫୬ର ଧାରା ୫୮ଏ, ୫୮ଏଏଏ, ୧୫୯, ୧୬୨, ୨୦୯, ୨୧୧, ୨୧୭, ୨୨୭, ୨୨୬, ୨୩୩ର ଉଲ୍ଲଘଂନ କରିଛନ୍ତି ବୋଲି ଆବେଦନରେ ଦର୍ଶାଯାଇଥିଲା।

ଅଦାଲତ ମାମଲା ଦୁଇଟିର ଶୁଣାଣି କରି ସିସୋର ଗ୍ରୁପର ମୁଖ୍ୟ ପ୍ରଶାନ୍ତ ଦାଶଙ୍କ ସହିତ ଅନ୍ୟ ସମସ୍ତ ନିର୍ଦ୍ଦେଶକ ଓ ଅର୍ଥତତ୍ତ୍ୱ ଗ୍ରୁପର ମୁଖ୍ୟ ପ୍ରଦୀପ ସେଠୀଙ୍କ ସହିତ ଅନ୍ୟ ନିର୍ଦ୍ଦେଶକଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଏହି ଦୁଇ ମାମଲାରେ ପକ୍ଷଭୁକ୍ତ ହୋଇଥିବା ଉଭୟ ସଂସ୍ଥାର ମୁଖ୍ୟ ଓ ନିର୍ଦ୍ଦେଶକଙ୍କ ବିରୋଧରେ ଅଦାଲତ କମ୍ପାନି ଆଇନ, ୧୯୫୬ର ବିଭିନ୍ନ ଧାରାରେ କଗନିଜାନ୍ସ ଗ୍ରହଣ କରିଛନ୍ତି। ସିସୋର ମୁଖ୍ୟ ପ୍ରଶାନ୍ତ ଦାଶ ଓ ଅର୍ଥତତ୍ତ୍ୱ ମୁଖ୍ୟ ପ୍ରଦୀପ ସେଠୀଙ୍କ ସହିତ ଦୁଇ ସଂସ୍ଥାର ସମସ୍ତ ନିର୍ଦ୍ଦେଶକଙ୍କୁ ୨୦୧୮, ଜାନୁଆରି ୩୦ରେ ହାଜର ହେବା ପାଇଁ ନୋଟିସ୍‌ ଜାରି କରାଯାଇଛି। ଏସଏଫଆଇଓ ପକ୍ଷରୁ ଆଇନଜୀବୀ ଜ୍ଞାନାଲୋକ ମହାନ୍ତି ମାମଲା ପରିଚାଳନା କରୁଛନ୍ତି।

ଉଭୟ ସିସୋର ଓ ଅର୍ଥତତ୍ତ୍ୱ ସଂସ୍ଥା କମ୍ପାନି ଆଇନର ଉଲ୍ଲଘଂନ କରିଛନ୍ତି ବୋଲି ଅଭିଯୋଗ ରହିଛି। ଦୁଇ ସଂସ୍ଥାର ଆର୍ଥିକ କାରବାରର ତଦନ୍ତ ଏସଏଫଆଇଓ କରିଥିଲା। ସେମାନେ ଆଇନ ଉଲ୍ଲଘଂନ କରି ଜନସାଧାରଣଙ୍କ ନିକଟରୁ ପ୍ରଚୁର ଅର୍ଥ ଆଦାୟ କରିଥିଲେ। ଦୁଇ ସଂସ୍ଥାର ଆର୍ଥିକ କାରବାରରେ ବ୍ୟାପକ ଅନିୟମିତତା ତଦନ୍ତରୁ ସ୍ପଷ୍ଟ ହୋଇଥିଲା। ଦୁଇ ସଂସ୍ଥାକୁ ଯେଉଁ ବ୍ୟବସାୟ ପାଇଁ ମଞ୍ଜୁରୀ ମିଳିଥିଲା ତା ବହାରକୁ ଯାଇ ସେମାନେ ବିଭିନ୍ନ ପ୍ରକାର କାରବାର କରିଥିଲେ। ସେମାନେ ବିଭିନ୍ନ ସମୟରେ ଦାଖଲ କରିଥିବା ତଥ୍ୟରେ ଏ ସବୁ କାରବାର ସଂପର୍କରେ ସୂଚନା ନଥିଲା। କମ୍ପାନି ଆଇନର ଉଲ୍ଳଘଂନ ନେଇ ସିସୋର ଓ ଅର୍ଥତତ୍ତ୍ୱ ବିରୋଧରେ ତଦନ୍ତରୁ ପ୍ରମାଣ ମିଳିଥିଲା। ଏପରି ପରିସ୍ଥିତିରେ ଉଭୟ ସିସୋର ଗ୍ରୁପ୍‌ ଓ ଅର୍ଥତତ୍ତ୍ୱ ଗ୍ରୁପର ମୁଖ୍ୟ ଓ ନିର୍ଦ୍ଦେଶକଙ୍କ ବିରୋଧରେ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ ପ୍ରାର୍ଥନା କରି ଏସ୍‌ଏଫ୍‌ଆଇଓ ପକ୍ଷରୁ ଅଦାଲତରେ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର