ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି

୬ ଲୋକସଭା ଓ ୪୨ ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ, ୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସକାଳ ୭ଟାରୁ ୪ଟା ଭୋଟ ଗ୍ରହଣ

ଭୁବନେଶ୍ବର : ଓଡ଼ିଶାରେ ଆସନ୍ତା ଏପ୍ରିଲ ୨୩ ତାରିଖରେ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଏଥିପାଇଁ ଆଜି ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ୬ଟି ଲୋକସଭା ସମେତ ୪୨ଟି ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି। ସୁରକ୍ଷା ଦୃଷ୍ଟିରୁ ୭ଟି ବିଧାନସଭା ଆସନ ପାଇଁ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ।

ଗୁରୁବାର ପ୍ରକାଶିତ ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ଅନୁଯାୟୀ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ବର ଲୋକସଭା ଆସନ ପାଇଁ ମାର୍ଚ୍ଚ ୨୮ ତାରିଖରୁ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ହେବ। ସମ୍ବଲପୁର ଲୋକସଭା ଆସନ ଅନ୍ତର୍ଗତ କୁଚିଣ୍ଡା, ରେଙ୍ଗାଳି, ସମ୍ବଲପୁର, ରେଢ଼ାଖୋଲ, ଦେବଗଡ଼, ଛେଣ୍ଡିପଦା ଓ ଆଠମଲ୍ଲିକ ବିଧାନସଭା ପାଇଁ ମଧ୍ୟ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି। କେନ୍ଦୁଝର ଲୋକସଭା ଆସନ ଅଧୀନରେ ଆସୁଥିବା ତେଲକୋଇ, ଘଷିପୁରା, ଆନନ୍ଦପୁର, ପାଟଣା, କେନ୍ଦୁଝର, ଚମ୍ପୁଆ, କରଞ୍ଜିଆ ଆସନ ସହିତ ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀରେ ଆସୁଥିବା ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ପାଲଲହଡ଼ା, ତାଳଚେର ଓ ଅନୁଗୁଳ ବିଧାନସଭା ଆସନରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। କଟକ ଲୋକସଭା ଆସନ ଅଧୀନରେ ଥିବା ବଡ଼ମ୍ବା, ବାଙ୍କୀ, ଆଠଗଡ଼, ବାରବାଟୀ-କଟକ, ଚୌଦ୍ବାର-କଟକ, କଟକ-ସଦର ଓ ଖଣ୍ଡପଡ଼ା ଆସନ ପାଇଁ ନିର୍ବାଚନ କମିସନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ପୁରୀ ଲୋକସଭା ଆସନ ଅନ୍ତର୍ଗତ ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଚିଲିକା, ରଣପୁର ଓ ନୟାଗଡ଼ ସହିତ ଭୁବନେଶ୍ବର ଲୋକସଭା ଆସନ ଅଧୀନରେ ଆସୁଥିବା ଜୟଦେବ, ଭୁବନେଶ୍ବର-ମଧ୍ୟ, ଭୁବନେଶ୍ବର-ଉତ୍ତର, ଭୁବନେଶ୍ବର-ଏକାମ୍ର, ଜଟଣୀ, ବୋଲଗଡ଼-ବେଗୁନିଆ ଓ ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୭ଟି ସମ୍ବେଦନଶୀଳ ବିଧାନସଭା ନିର୍ବାଚନ ପାଇଁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ନିର୍ବାଚନ କମିସନଙ୍କ ବିଜ୍ଞପ୍ତି ଅନୁଯାୟୀ ସମ୍ବଲପୁର ଲୋକସଭା ଆସନ ଅନ୍ତର୍ଗତ କୁଚିଣ୍ଡା, ରେଢ଼ାଖୋଲ, ଦେବଗଡ଼ ଓ ଆଠମଲ୍ଲିକ ବିଧାନସଭା ଆସନ ପାଇଁ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ହେବ। ସେହିପରି କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚମ୍ପୁଆ ସମେତ ଢେଙ୍କାନାଳ ଲୋକସଭା ଆସନ ଅଧୀନରେ ଆସୁଥିବା ପାଲଲହଡ଼ା, ଅନୁଗୁଳ ବିଧାନସଭା ଆସନ ପାଇଁ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ବାକି ବିଧାନସଭା ନିର୍ବାଚନ ମଣ୍ଡଳୀ ଗୁଡ଼ିକରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ ବୋଲି ନିର୍ବାଚନ କମିସନ ସ୍ଥିର କରିଛନ୍ତି।

ଏହି ପର୍ଯ୍ୟାୟ ପାଇଁ ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ମୁତାବକ ଏପ୍ରିଲ ୫ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବା ସହ ଏପ୍ରିଲ ୮ ତାରିଖକୁ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଶେଷଦିନ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର