ଇଲେକ୍ସନ ୱାଚର ଏଡିଆର ରିପୋର୍ଟ : ବର୍ତମାନ ବିଧାନସଭାରେ ୬୫ ପ୍ରତିଶତ ବିଧାୟକ ହେଉଛନ୍ତି କୋଟିପତି; ହେଲେ ଟଙ୍କାର ପାହାଡ଼ ଉପରେ ବସିଥିବା ନେତା ବି ନିର୍ବାଚନ ହାରନ୍ତି ଏବଂ ଟଙ୍କା ନଥାଇ ବି ଜିତି ହୁଏ ନିର୍ବାଚନ

ଭୁବନେଶ୍ୱର : ଚଳିତ ନିର୍ବାଚନରେ ବିଧାୟକମାନେ ନିର୍ବାଚିତ ହେବା ପରେ ଏବେ ଆସିଛି ସେମାନଙ୍କ ଏଡିଆର ରିପୋର୍ଟ । ଇଲେକ୍ସନ ୱାଚର ଏଡିଆର ରିପୋର୍ଟ ଅନୁସାରେ ବର୍ତମାନ ବିଧାନସଭାରେ ୬୫ ପ୍ରତିଶତ ବିଧାୟକ ହେଉଛନ୍ତି କୋଟପତି ବିଧାୟକ । ମୋଟ ୧୪୬ ବିଧାୟକଙ୍କ ମଧ୍ୟରୁ ୯୫ ଜଣ ହେଉଛନ୍ତି କୋଟିପତି ବିଧାୟକ । ବିଜେଡିର ୭୯ ଜଣ, ବିଜେପିର ୯ ଜଣ ଏବଂ କଂଗ୍ରେସର ୭ ଜଣ ହେଉଛନ୍ତି କୋଟିପତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ରାୟଗଡ଼ା ବିଧାନସଭାରୁ ଜିତିଥିବା ମକରନ୍ଦ ମୁଦୁଲିଙ୍କ ସଂପତି ହେଉଛି ମାତ୍ର ୧୫ ହଜାର ଟଙ୍କା । ପାଖରେ ଟଙ୍କା ନଥିବା ସତ୍ୱେ ମଧ୍ୟ ଭୋଟରଙ୍କ ଭରସା ଜିତି ପାରିଛନ୍ତି ମକରନ୍ଦ । ଯାହା ଏକ ବଡ ସନ୍ଦେସ ଦେଇଛି।

ମକରନ୍ଦ ମୁଦୁଲି । ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ରାୟଗଡ଼ା ବିଧାନସଭାରୁ ଜିତିଛନ୍ତି ମକରନ୍ଦ । ସତ୍ୟପାଠ ଅନୁସାରେ ତାଙ୍କର ମୋଟ ସଂପତି ପରିମାଣ ହେଉଛି ମାତ୍ର ୧୫ ହଜାର ଟଙ୍କା। ନା’ ପାଖରେ ଟଙ୍କା ଅଛି, ନା’ ପଛରେ ରହିଥିଲା ରାଜନୈତିକ ଦଳର ବଳ । ଏହା ସତ୍ୱେ ଭୋଟରଙ୍କ ଭରସା ଜିତି ପାରିଛନ୍ତି ମକରନ୍ଦ । ସେପଟେ ବଡ଼ମ୍ବା ବିଧାନସଭା ଆସନରେ ସବୁଠୁ ଧନୀ ପ୍ରାର୍ଥୀ ଭାବେ ଲଢ଼ିଥିଲେ କଂଗ୍ରେସର ବବି ମହାନ୍ତି । ତାଙ୍କର ମୋଟ ସଂପତି ପରିମାଣ ୧୦୬ କୋଟି ଟଙ୍କା । ଏସବୁ ସତ୍ୱେ ଜନତାଙ୍କ ଆସ୍ଥା ଜିତିବାରେ ସଫଳ ହୋଇନାହାନ୍ତି ବବି।

ସେହିପରି ବାଲେଶ୍ୱର ଲୋକସଭାରୁ ଜିତି ସାଂସଦ ହୋଇଛନ୍ତି ବିଜେପିର ବରିଷ୍ଠ ନେତା ପ୍ରତାପ ଷଡଙ୍ଗୀ । ତାଙ୍କର ମୋଟ ସଂପତି ପରିମାଣ ମାତ୍ର ୧୩ ଲକ୍ଷ ୪୧ ହଜାର ଟଙ୍କା । ହେଲେ ଦୁଇ କୋଟିପତି ପ୍ରାର୍ଥୀ ବିଜେଡିର ରବୀନ୍ଦ୍ର ଜେନା ଓ କଂଗ୍ରେସର ନବଜ୍ୟୋତି ପଟ୍ଟନାୟକଙ୍କୁ ନିର୍ବାଚନ ରଣାଙ୍ଗନରେ ପଛରେ ପକାଇ ଦେଇଛନ୍ତି ପ୍ରତାପ ଷଡ଼ଙ୍ଗୀ।

ବର୍ଷକୁ ବର୍ଷ ନେତାଙ୍କ ପକେଟ୍ ଗରମ ହେଉଥିବା ଖବର ଭିତରେ ଏପରି କିଛି ଘଟଣା, ବଡ଼ ସନ୍ଦେଶ ଦେଉଛି । ଟଙ୍କାର ପାହାଡ଼ ଉପରେ ବସିଥିଲେ ବି ନେତା ନିର୍ବାଚନ ହାରନ୍ତି, ପକେଟ୍ ଖାଲି ଥିଲେ ବି ନିର୍ବାଚନ ଜିତି ହୁଏ, ଏକଥା ପ୍ରମାଣ କରିଛନ୍ତି ମକରନ୍ଦ ମୁଦୁଲି ଓ ପ୍ରତାପ ଷଡଙ୍ଗୀ।

ତେବେ ଗତ ତିନିଟି ନିର୍ବାଚନକୁ ହିସାବକୁ ନେଇ ଓଡ଼ିଶା ଇଲେକ୍ସନ ୱାଚ୍ ଓ ଏଡିଆର୍ ରିପୋର୍ଟ କହୁଛି, ବଢ଼ିଚାଲିଛି ବିଧାୟକଙ୍କ ସଂପତି । ନଜର ପକାନ୍ତୁ, ଓଡ଼ିଶା ଇଲେକ୍ସନ ୱାଚ୍ ଓ ଏଡିଆରର ଏହି ତଥ୍ୟ ଉପରେ।

କୋଟିପତି ବିଧାୟକ :
୨୦୦୯ ମସିହାରେ ମାତ୍ର ୩୩ ଜଣ ବିଧାୟକ ଥିଲେ କୋଟିପତି
୨୦୧୪ରେ ଏହି ସଂଖ୍ୟା ବଢ଼ି ୭୬ରେ ପହଁଚିଥିଲା
ଆଉ ୨୦୧୯ରେ ୯୫ ଜଣ ବିଧାୟକ ହେଉଛନ୍ତି କୋଟିପତି
ଯାହା ମୋଟ ବିଧାୟକଙ୍କର ୬୫ ପ୍ରତିଶତ ।

ଏଥର ନିର୍ବାଚିତ ହୋଇଥିବା ୧୪୬ ଜଣ ବିଧାୟକଙ୍କ ହାରାହାରି ସଂପତି ପରିମାଣ ହେଉଛି ୪ କୋଟି ୪୧ ଲକ୍ଷ ଟଙ୍କା ।

ସମ୍ବନ୍ଧିତ ଖବର