ଆଇସିଏଆର ମହାନିର୍ଦେଶକଙ୍କ ରୋକଠୋକ୍‌ ଜବାବ : ଦ୍ୱିତୀୟ କୃଷି ବିଶ୍ୱବିିଦ୍ୟାଳୟ ଏବେ ନୁହେଁ

ଯେଉଁ ଗୋଟିଏ ରହିଛି ତାହାର କ୍ୟାମ୍ପସ ଖୋଲାଯାଉ, ଆଇସିଏଆର କରିବ ଡାଲି ଗବେଷଣା କେନ୍ଦ୍ର

ଭୁବନେଶ୍ୱର : ଓଡ଼ିଶାରେ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଆଶା ଏବେ ମଉଳିଛି। ରାଜ୍ୟ ସରକାର ୪ ବର୍ଷ ହେଲା ଘୋଷଣା କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ହୋଇପାରି ନାହିଁ। ଫାଇଲ୍‌ କେଉଁଠି ପଡ଼ିଛି ତାହାର ଉତ୍ତର ବି କାହା ପାଖରେ ନାହିଁ। ଏଭଳିସ୍ଥିତିରେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ଆଇସିଏଆର)ର ମହାନିର୍ଦେଶକ ତ୍ରିଲୋଚନ ପ୍ର୍ରଧାନ ଏଭଳି ପ୍ରସ୍ତାବକୁ ରୋକଠୋକ୍‌ ମନା କରିଦେଇଛନ୍ତି।

ସେ କହିଛନ୍ତି ଯେ ଗୋଟିଏ ରାଜ୍ୟରେ ଏକାଧିକ କୃଷି ବିଶ୍ୱବିିଦ୍ୟାଳୟ ପ୍ରତିଷ୍ଠା ସପକ୍ଷରେ ଆମେ ନାହୁଁ। ସବୁ ରାଜ୍ୟକୁ ଏନେଇ ମନା କରୁଛୁ। ଏହାଦ୍ୱାରା କିଛି ଲାଭ ହେବ ନାହିଁ। ବରଂ ଯେଉଁ ବିଶ୍ୱବିଦ୍ୟାଳୟ ରହିଛି ତାହାର ଏକାଧିକ କ୍ୟାମ୍ପସ କରାଯାଇପାରିବ। ସେଠାରେ ଡିନ୍‌, ଡାଇରେକ୍ଟରଙ୍କୁ ନିଯୁକ୍ତି ଦିଆଯାଉ। ବିଶ୍ୱବିଦ୍ୟାଳୟରେ ଯଦି ଦକ୍ଷ ଗବେଷକ ନ ରହିବେ ତେବେ ଚାଷୀଙ୍କ ପାଇଁ କିଛି ବି ଗବେଷଣା ହୋଇପାରିବ ନାହିଁ। ଚାଷୀଙ୍କ ଉତ୍ପାଦନ ବଢ଼ିବ ନାହିଁ। ଯେଉଁ ବିଶ୍ୱବିିଦ୍ୟାଳୟ ରହିଛି ସେଠାରେ ଗୁଣାତ୍ମକ ଶିକ୍ଷା ଓ ଗବେଷଣାର ଆବଶ୍ୟକତା ରହିଛି। ଯେତିକି ଶିକ୍ଷକ ଓ ଲ୍ୟାବ୍‌ ଆବଶ୍ୟକ ତାହାକୁ ପୂରଣ କରନ୍ତୁ। ପାଠପଢ଼ା ସାଙ୍ଗକୁ ଲାଇବ୍ରେରି, ଫାର୍ମର ବିକାଶକୁ ପ୍ରାଧାନ୍ୟ ଦିଅନ୍ତୁ ବୋଲି ସେ କହିଛନ୍ତି। ଆଇସିଏଆର ପକ୍ଷରୁ ଓଡ଼ିଶାରେ ଏକ ଡାଲି ଗବେଷଣା ପ୍ରତିଷ୍ଠାନ ପ୍ରତିଷ୍ଠା କରାଯିବ। ଏନେଇ ପ୍ରକ୍ରିୟା ଶେଷ ହୋଇଛି। ଚଳିତବର୍ଷ ଏହାକୁ ଚୂଡ଼ାନ୍ତ ରୂପ ଦେବାକୁ ଲକ୍ଷ୍ୟ ରଖାଯାଇଥିବା ସେ କହିଛନ୍ତି।

ଅନ୍ୟପକ୍ଷରେ ଦେଶର ୧୫୦ଟି କ୍ଲାଇମେଟ୍‌ ରେସିଲିଏଣ୍ଟ ଭିଲେଜ୍‌ ପ୍ରତିଷ୍ଠା ହୋଇଛି। ୨୦୧୬ରୁ ଦେଶରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ବେଶ୍‌ ସଫଳତା ହାସଲ କରିଥିବାରୁ ବିଭିନ୍ନ ରାଜ୍ୟ ଏଦିଗରେ ପଦକ୍ଷେପ ନେଇଛନ୍ତି। ଓଡ଼ିଶା ସରକାର ମଧ୍ୟ କ୍ଲାଇମେଟ୍‌ ରେସିଲିଏଣ୍ଟ ଭିଲେଜ୍‌ ପ୍ରତିଷ୍ଠା କରିବା ଲାଗି ଆଇସିଏଆର ସହ ରାଜିନାମା କରିଛନ୍ତି। ଏବେ ରେସିଲିଏଣ୍ଟ ଭିଲେଜ୍‌ର ଢ଼ାଞ୍ଚା ପ୍ରସ୍ତୁତ ହେଉଛି। ଆଇସିଏଆର ସମସ୍ତ ପ୍ରକାର ବୈଷୟିକ ସହାୟତା ଯୋଗାଇ ଦେଉଛି। ଆସନ୍ତା କିଛି ମାସ ମଧ୍ୟରେ ତାହା ଚୂଡ଼ାନ୍ତ ରୂପ ନେବ। ରାଜ୍ୟର କେତେ ଗାଁକୁ ସାମିଲ କରାଯିବ, କେତେ ବଜେଟ ହେବ ତାହା ରାଜ୍ୟ ସରକାରଙ୍କ ହିଁ ନିଷ୍ପତ୍ତି ନେବେ।

ସେ କହିଛନ୍ତି ଯେ ଜଳବାୟୁ ପରିବର୍ତନକୁ ଆଖିରେ ରଖି ବିଭିନ୍ନ ରାଜ୍ୟରେ କ୍ଲାଇମେଟ୍‌ ରେସିଲିଏଣ୍ଟ ଭିଲେଜ୍‌ ପ୍ରତିଷ୍ଠା କରାଯାଇଥିଲା। ଏହାଦ୍ୱାରା ଚାଷୀଙ୍କ ଚାଷକୁ ଜଳବାୟୁ ପରିବର୍ତନରୁ ରୋକାଯାଇ ପାରିବ। ଦେଶର ୧୫୦ ଗାଁରେ ସଫଳତା ହେବା ପରେ ବିଶ୍ୱବ୍ୟାଙ୍କ ସହାୟତା ଯୋଗାଇଦେଇଛି। ମହାରାଷ୍ଟ୍ରର ୫ ହଜାର ଗାଁରେ ଏହାକୁ ଲାଗୁ କରିବାକୁ ସଠାକାର ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୪ ହଜାର କୋଟି ଟଙ୍କାର ବଜେଟ୍‌ ମଧ୍ୟ କରିଛନ୍ତି। ଏହି ପ୍ରକାର ଭିଲେଜ୍‌ କରାଯିବା ଦ୍ୱାରା ସେହି ଗାଁରେ ଜଳବାୟୁ ପରିବର୍ତନ ଦ୍ୱାରା କ୍ଷତି ହେଉଥିବା ଚାଷକୁ ରୋକାଯାଇପାରିବ। ଇଣ୍ଟିଗ୍ରେଟେଡ୍‌ ଫାର୍ମିଂ ସିଷ୍ଟମ ରହିବ। ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ହେବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ହେଉଥିବା ଯୋଜନା ଲୋକଙ୍କ ନିକଟରେ ପହଞ୍ଚିପାରିବ ବୋଲି ଶ୍ରୀ ମହାପାତ୍ର୍ର କହିଛନ୍ତି।

ସମ୍ବନ୍ଧିତ ଖବର