ନିୟମ ଖିଲାପି ଚାଳକଙ୍କୁ ଧରାଇଲେ ମିଳିବ ଟଙ୍କା, ଗୋଆ ପରେ ଓଡ଼ିଶାରେ ଲାଗୁ ହେବ ଦେଶର ଦ୍ବିତୀୟ ‘ସିଟିଜେନ୍‌ ରିପୋର୍ଟି˚’

ରାମେଶ୍ବର-ଚଣ୍ତିଖୋଲ ରାସ୍ତାରେ ଲାଗିବ ଏନ୍‌ପିଆର‌୍‌ କ୍ୟାମେରା

କଟକ: ପୁଲିସ କି ଏମ୍‌ଭିଆଇ (ମୋଟର ଭେହିକିଲ ଇନ୍‌ସ୍ପେକ୍ଟର) ନୁହନ୍ତି, ଏଣିକି ଟ୍ରାଫିକ୍‌ ନିୟମ ଭାଙ୍ଗୁଥିବା ଗାଡ଼ି ଚାଳକଙ୍କୁ ଧରିବେ ସାଧାରଣ ନାଗରିକ। ଗାଡ଼ି ଚଳାଉଥିବା ବେଳେ ନିୟମ ଖିଲାପ କରୁଥିବା ଚାଳକଙ୍କ ଫଟୋ କିମ୍ବା ଭିଡିଓ ଯେ କୌଣସି ନାଗରିକ ନିଜ ମୋବାଇଲ୍‌ରେ ରେକର୍ଡ କରି ପରିବହନ କମିସନଙ୍କ କାର୍ଯ୍ୟାଳୟକୁ ପଠାଇ ପାରିବେ। ଏଥିପାଇଁ ‘ସିଟିଜେନ୍‌ ରିପୋର୍ଟି˚’ ନାମରେ ଏକ ମୋବାଇଲ୍‌ ଆପ୍ଲିକେସନ୍‌ ରାଜ୍ୟରେ ପ୍ରଥମ ଥର ଆରମ୍ଭ ହେବାକୁ ଯାଉଛି। ଏହି ଆପ୍ଲିକେସନ୍‌ ଜରିଆରେ ଖିଲାପିଙ୍କ ଗାଡ଼ି ନମ୍ବର ସହିତ କି ପ୍ରକାର ଟ୍ରାଫିକ ନିୟମ ସମ୍ପୃକ୍ତ ଚାଳକ ଖିଲାପ କରିଛନ୍ତି, ଏହାର ଫଟୋ କିମ୍ବା ଭିଡିଓ ରେକର୍ଡ କରି ଉକ୍ତ ଆପ୍ଲିକେସନ୍‌ରେ ଅପ୍‌ଲୋଡ୍‌ କରିବେ। ଏ ପ୍ରକାର ଯୋଜନା ଗୋଆ ପରେ ଦେଶର ଦ୍ବିତୀୟ ରାଜ୍ୟ ଭାବେ ଓଡ଼ିଶାରେ ଲାଗୁ ହେବାକୁ ଯାଉଛି। ଫଟୋ କିମ୍ବା ଭିଡିଓ ପଠାଇଥିବା ସାଧାରଣ ନାଗରିକଙ୍କୁ ପରିବହନ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ପୁରସ୍କୃତ କରାଯିବାକୁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି।
ଗୋଆରେ ଟ୍ରାଫିକ ନିୟମ ଖିଲାପିଙ୍କୁ ସାବାଡ଼ କରିବା ପାଇଁ ‘ସିଟିଜେନ୍‌ ରିପୋର୍ଟି˚’ ବ୍ୟବସ୍ଥା ଚଳିତ ବର୍ଷ ଆରମ୍ଭ ହୋଇଛି। ଏନ୍‌ଆଇସି (ନ୍ୟାସ୍‌ନାଲ ଇନ୍‌ଫର‌୍‌ମେସନ୍‌ ସେଣ୍ଟର) ପକ୍ଷରୁ ‘ସିଟିଜେନ୍‌ ରିପୋର୍ଟି˚’ ନାମରେ ଏକ ମୋବାଇଲ୍‌ ଆପ୍ଲିକେସନ୍‌ ପ୍ରସ୍ତୁତ କରାଯାଇଛି। ମୋଟର ଯାନ ଆଇନର ଭିନ୍ନ ଭିନ୍ନ ନିୟମ ଖିଲାପର ଫଟୋ ଏବ˚ ଭିଡିଓ ରେକର୍ଡ ପାଇଁ ପୃଥକ ପଏଣ୍ଟ ରେକର୍ଡ କରୁଥିବା ସାଧାରଣ ନାଗରିକଙ୍କୁ ଦିଆଯିବ। ପ୍ରତି ୧୦୦ ପଏଣ୍ଟରେ ୧ ହଜାର ଟଙ୍କା ଲେଖାଏ ଅର୍ଥରାଶୀ ଦେବାକୁ ଯୋଜନା କରାଯାଉଥିବା କୁହାଯାଉଛି। କିନ୍ତୁ ଅର୍ଥରାଶୀ ବୃଦ୍ଧି ହେବାର ସମ୍ଭାବନା ରହିଛି।

ଆପ୍ଲିକେସନ୍‌ ମାଧ୍ୟମରେ ଫଟୋ କିମ୍ବା ଭିଡିଓ ପରିବହନ ବିଭାଗକୁ ପଠାଇବା ପୂର୍ବରୁ ପ୍ରଥମେ ନାମ ପଞ୍ଜିକରଣ କରିବାକୁ ପଡ଼ିବ। ପରେ ଏକ ୟୁଜର ନେମ ଏବ˚ ପାସ୍‌ଵାର୍ଡ ମିଳିବ। କେହି ଚାହିଁଲେ ନିଜ ନାମ ମଧ୍ୟ ଗୋପନ ରଖିପାରିବେ। ପରିବହନ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ନାମ ପ୍ରକାଶ କରାଯିବ ନାହିଁ। ଫଟୋ ସହିତ ଜିଓ ଟ୍ୟାଗି˚ କରାଯିବ। ଏଭଳି କଲେ ନିର୍ଦ୍ଦିଷ୍ଟ ଭାବେ କେଉଁ ସ୍ଥାନରୁ ଫଟୋ ଉଠାଯାଇଛି, ସେ ସମ୍ପର୍କରେ ସ୍ପଷ୍ଟ ଭାବେ ଜଣାପଡ଼ିପାରିବ। ଗାଡ଼ି ନମ୍ବର ସହିତ ଚାଳକ କେଉଁ ପ୍ରକାର ଟ୍ରାଫିକ ନିୟମ ଉଲ୍ଲଘଂନ କରିଛନ୍ତି, ପରିବହନ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ଯାଞ୍ଚ କରି ନିୟମ ଖିଲାପିଙ୍କ ଠିକଣାରେ ଚାଲାଣ ପଠାଇବାକୁ ନିଷ୍ପତ୍ତି ନେଇଛି। ପୂର୍ବରୁ ଏ ପ୍ରକାର କାର୍ଯ୍ୟକ୍ରମ ଗୋଆରେ ସଫଳ ହୋଇଥିବା ବେଳେ ସେହି ଶୈଳୀରେ ଓଡ଼ିଶାରେ ଆରମ୍ଭ ହେବାକୁ ଥିବାରୁ ପରିବହନ କମିସନଙ୍କ କାର୍ଯ୍ୟାଳୟର ୩ ଜଣ ବରିଷ୍ଠ ଅଧିକାରୀ ଖୁବ ଶୀଘ୍ର ଗୋଆ ଯାଇ ବ୍ୟବସ୍ଥାର ଅନୁଧ୍ୟାନ କରିବେ।

ଅନ୍ୟପଟେ ଭୁବନେଶ୍ବରର ରାମେଶ୍ବର-ଚଣ୍ତିଖୋଲ ରାସ୍ତାର ୨୫ଟି ପଏଣ୍ଟରେ ଏନ୍‌ପିଆର‌୍‌ (ଅଟୋମେଟିକ୍‌ ନମ୍ବର ପ୍ଲେଟ୍‌ ରେକଗନାଇଜେସନ୍‌) କ୍ୟାମେରା ଲଗାଯିବ। ଗାଡ଼ିର ସାମ୍‌ନା ପଟେ ଲାଇଟ୍‌ ଜଳୁଥିଲେ ସୁଦ୍ଧା କ୍ୟାମେରାରେ ଥିବା ଅତ୍ୟାଧୁନିକ ବ୍ୟବସ୍ଥା ଦ୍ବାରା ଗାଡ଼ି ନମ୍ବର ପଢ଼ି ହେବ। ତୁରନ୍ତ ନମ୍ବର ପ୍ଲେଟ୍‌ର ଫଟୋ ଉଠାଇ ପରିବହନ କମିସନଙ୍କ କାର୍ଯ୍ୟାଳୟରେ ଥିବା ସର୍ଭରକୁ ପଠାଇବ। ଏମିତିକି ଗାଡ଼ି ଡ୍ରାଇଭରଙ୍କ ନମ୍ବର ମଧ୍ୟ ଉଠାଇବାର କ୍ଷମତା ରଖିଛି ଏନ୍‌ପିଆର‌୍‌ କ୍ୟାମେରା। ୨୫ଟି ପଏଣ୍ଟରେ ଲାଗିବାକୁ ଥିବା କ୍ୟାମେରା ପାଇଁ ଯଦିଓ ୧୨ କୋଟି ଟଙ୍କାର ଖର୍ଚ୍ଚ ଆକଳନ କରାଯାଉଛି, ଏଥିପାଇଁ ଖୁବ ଶୀଘ୍ର ଟେଣ୍ତର କରାଯିବ। ପୂର୍ବରୁ ସିଙ୍ଗଲ ଟେଣ୍ତର ହେବାରୁ ପ୍ରକଳ୍ପ ବାତିଲ ହୋଇଯାଇଥିଲା। ଏବେ ପୁଣି ଥରେ ଏଥିପାଇଁ ଟେଣ୍ତର କରାଯିବ। ଏହି କ୍ୟାମେରା ମୁଖ୍ୟତଃ ଦ୍ରୁତ ଗତିରେ ଗାଡ଼ି ଚାଳନା, ୩ ଜଣିଆ ଗାଡ଼ି ଚାଳନା, ଚୋରା ଗାଡ଼ି, ବିନା ହେଲ୍‌ମେଟ୍‌ରେ ଗାଡ଼ି ଚାଳନା କରୁଥିବା ଗାଡ଼ି ଗୁଡ଼ିକ ଉପରେ ନଜର ରଖିବ। ଉକ୍ତ ଗାଡ଼ିର ନମ୍ବର ପ୍ଲେଟ୍‌ ପରିବହନ ବିଭାଗର ସର୍ଭରକୁ ପଠାଇବ। ଚାଳକ ଯେଉଁ ନିୟମ ଉଲ୍ଲଂଘନ କରିଥିବେ, ସେହି ଆଧାରରେ ସମ୍ପୃକ୍ତ ଚାଳକଙ୍କ ଘର ଠିକଣାରେ ଚାଲାଣ ପଠାଯିବାକୁ ଯୋଜନା କରାଯାଉଛି। ପରିବହନ କମିସନଙ୍କ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଦ୍ବାରା ବ୍ୟବସ୍ଥାରେ ସ୍ବଚ୍ଛତା ଆସିବ ବୋଲି କୁହାଯାଉଛି। ତଳସ୍ତରର କର୍ମଚାରୀ ଲାଞ୍ଚ ନେଇ ଚାଳକଙ୍କୁ ଛାଡ଼ି ଦେଉଥିବା ସଂପର୍କରେ ଯେଉଁ ଅଭିଯୋଗ ଆସୁଥିଲା,ତାହା ଉପରେ ରୋକ୍‌ ଲଗାଯାଇପାରିବ ବୋଲି ଜଣେ ବରିଷ୍ଠ ପରିବହନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର