ଚାଷୀଙ୍କୁ ଅନ୍ଧାରରେ ରଖୁଛି ଏନ୍‌ଆର‌୍‌ଆର‌୍‌ଆଇ: ବିହନ ପାଇଁ ହ୍ବାଟ୍ସଆପ୍‌ରେ ପଞ୍ଜୀକରଣ

କଟକ-ବିଦ୍ୟାଧରପୁର : କଟକ ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ର(ଏନ୍‌ଆର୍‌ଆର୍‌ଆଇ)ରେ ଏଭଳି ଏକ ଚାଷୀମାରଣ ନୀତି ଆରମ୍ଭ ହୋଇଯାଇଥିବା ଅଭିଯୋଗ ହୋଇଛି। ତାଲାବନ୍ଦ ଯୋଗୁଁ କେନ୍ଦ୍ରର ନିର୍ଦ୍ଦେଶକ ଝାଡ଼ଖଣ୍ତରୁ ଆସିପାରୁ ନଥିବା ବେଳେ ଫାର୍ମ ମ୍ୟାନେଜରଙ୍କ ନେତୃତ୍ବରେ ବିହନ ବିକ୍ରିକୁ ନେଇ ଏଭଳି ଏକ ବିବାଦୀୟ ନିୟମ ଲାଗୁ କରାଯାଇଛି। ସବୁଠାରୁ ବଡ଼ କଥା ହେଉଛି ନିୟମ ରାଜ୍ୟବ୍ୟାପୀ ଚାଷୀମାନଙ୍କ ପାଇଁ ଲାଗୁ ହୋଇଥିଲେ ବି ବିଜ୍ଞପ୍ତିକୁ କେବଳ କେନ୍ଦ୍ର ନୋଟିସ୍‌ ବୋର୍ଡ ଓ ୱେବସାଇଟ୍‌ରେ ସୀମିତ ରଖାଯାଇଛି।

ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ପୂଜା, ଶାରଳା, ଗାୟତ୍ରୀ (ସିଆର‌୍‌ ୧୦୧୮), ସ୍ବର୍ଣ୍ଣ ସବ୍‌-୧, ମଉଡ଼ମଣି (ସିଆର‌୍‌ ଧାନ ୩୦୭), ପ୍ରଧାନ ଧାନ (ସିଆର‌୍‌ ଧାନ ୪୦୯) ର କିସମଗୁଡ଼ିକୁ ବିକ୍ରି କରାଯିବ। ଏଗୁଡ଼ିକ ମଧ୍ୟରୁ ମଉଡ଼ମଣି ଓ ପ୍ରଧାନ ଧାନ ହେଉଛି ଚଳିତବର୍ଷର ନୂଆ କିସମ। ତେବେ ଚାଷୀମାନଙ୍କ ପାଇଁ କେନ୍ଦ୍ର ପକ୍ଷରୁ ଗୋଟିଏ ହ୍ବାଟ୍ସଆପ୍‌ ନମ୍ବର (୮୧୪୪୩୭୮୭୪୪) ଜାରି ହୋଇଥିଲାବେଳେ ଏହି ନମ୍ବରରେ ଚାଷୀ ନିଜର ନାମ, ଠିକଣା ଏବ˚ ଧାନର କିସମ ଓ ପରିମାଣ ତଥ୍ୟ ଦେଇ ପଞ୍ଜୀକରଣ କରିପାରିବେ। ପଞ୍ଜୀକରଣ ଅନୁଯାୟୀ ଏକ ତାଲିକା କରାଯାଇ ଦୁଇଦିନ ପୂର୍ବରୁ ବିହନ ନେବାର ତାରିଖ ଓ ସମୟ ବିଷୟରେ ଚାଷୀଙ୍କୁ ପଞ୍ଜିକୃତ ନମ୍ବରରେ ମେସେଜ୍‌ ପଠାଯିବ। ବିହନକୁ ୩୦ କେଜି ପ୍ୟାକେଟରେ ଦିଆଯିବ ଏବ˚ ପ୍ରତି ପ୍ୟାକେଟର ମୂଲ୍ୟ ୧୨୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଟଙ୍କା କାରବାର ଏଟିଏମ୍‌ ଡେବିଟ୍‌ କାର୍ଡ, କ୍ରେଡିଟ୍‌ କାର୍ଡ କିମ୍ବା ଡିଜିଟାଲ ମାଧ୍ୟମରେ କରାଯାଇପାରିବ। କିନ୍ତୁ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ନମ୍ବରରେ କଲ୍‌ ନକରିବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି। ଏହାକୁ ଆଧାର କରି ଆସନ୍ତା ୨୭ତାରିଖରୁ ପ୍ରଥମ ପର୍ଯ୍ୟାୟରେ ବିହନ ବିକ୍ରି ଆରମ୍ଭ ହେବ ଏବ˚ ପ୍ରଥମ ଦିନରୁ କର୍ମଚାରୀଙ୍କଠୁ ବିକ୍ରି ଆରମ୍ଭ ହେବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି। କିନ୍ତୁ ଏଭଳି ନିୟମ ଦ୍ବାରା କେବଳ ବଡ଼ଚାଷୀ କିମ୍ବା କମ୍ପାନିମାନେ ଫାଇଦା ପାଇପାରିବେ। ଅଧିକା˚ଶ ଚାଷୀ ଗରିବ ହୋଇଥିବାରୁ ସେମାନେ ହ୍ବାଟ୍ସଆପ୍‌ କରିବା ସମ୍ଭବ ହେବନି।

ସେହିପରି ପୂର୍ବ ବର୍ଷମାନଙ୍କରେ ୧୫କେଜି ପ୍ୟାକେଟ ସୁବିଧା ଥିଲେ ବି ଏଥର ୩୦କେଜି ପ୍ୟାକେଟକୁ ସର୍ବନିମ୍ନ ଭାବେ ଧାର୍ଯ୍ୟ କରାଯାଇଛି। ସେହିପରି ଗତବର୍ଷ ବିହନ କେଜି ପ୍ରତି ୩୫ଟଙ୍କା ଥିବାବେଳେ ଏଥର ୪୦ ଟଙ୍କାକୁ ବୃଦ୍ଧି କରାଯଇଛି। ଯେଉଁଠାରେ ରାଜ୍ୟ ସରକାର ୧ କେଜିକୁ ୧୫ଟଙ୍କା ନେଉଛନ୍ତି, ସେଠାରେ କେନ୍ଦ୍ରୀୟ ସ˚ସ୍ଥା ୪୦ ଟଙ୍କା ନେବା କେତେଦୂର ଯଥାର୍ଥ ବୋଲି ପ୍ରଶ୍ନ ଉଠୁଛି। ପୁଣି କର୍ମଚାରୀମାନଙ୍କ ଜରିଆରେ କମ୍ପାନିମାନେ ଲାଭବାନ ହେବା ଏକପ୍ରକାର ନିଶ୍ଚିତ ହୋଇଛି। ତେଣୁ ସାଧାରଣ ଚାଷୀଙ୍କ ବେଳକୁ ବିହନ ଥିବ କି ନାହିଁ, ତାହା ମଧ୍ୟ ଆଶଙ୍କା ଭିତରେ ରହୁଛି। କାରଣ ଅନେକ ପଞ୍ଜିକୃତ ଚାଷୀଙ୍କ ନିକଟକୁ ଏବେ ବି ବିହନ ବିକ୍ରିର ମେସେଜ ଆସିନାହିଁ। ଏ ସ˚କ୍ରାନ୍ତରେ ଏନ୍‌ଆର୍‌ଆର୍‌ସି ପାଇଁ ଆଇଏମ୍‌ସି (ଇଣ୍ଡିଆନ୍ ମ୍ୟାନେଜମେଣ୍ଟ୍‌ କାଉନସିଲ୍‌) ସଦସ୍ୟ ଅମରେଶ୍ବର ମିଶ୍ର କହିଛନ୍ତି ଯେ, ବିଜ୍ଞପ୍ତି ସ˚କ୍ରାନ୍ତରେ ଖବର ପାଇବା ପରେ ସେ ଏହାର ତୀବ୍ର ବିରୋଧ କରିବା ସହ ନିର୍ଦ୍ଦେଶକଙ୍କ ନିକଟକୁ ଲିଖିତ ଭାବେ ଅଭିଯୋଗ ପଠାଇଛନ୍ତି। ରାଜ୍ୟର ଚାଷୀମାନେ ହ୍ବାଟ୍ସଆପ୍‌ ଓ ଡିଜିଟାଲ ଦୁନିଆ ସହ ଅଭ୍ୟସ୍ତ ନୁହନ୍ତି। ଏହାଦ୍ବାରା ଦଲାଲମାନେ ଅଧିକ ଲାଭବାନ ହେବେ। ତେଣୁ ଏହି ନିୟମକୁ ତୁରନ୍ତ ବଦଳାଇବାକୁ ସେ ନିର୍ଦ୍ଦେଶକଙ୍କ ନିକଟରେ ଦାବି କରିଛନ୍ତି। ଏହା କରା ନଗଲେ ସେ ଉପରସ୍ତରରେ ଅଭିଯୋଗ କରିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର