ଇଣ୍ଡିଆ ସ୍କିଲ ପୂର୍ବଭାରତ ପ୍ରତିଯୋଗିତା ୧୫ରୁ : ଭାଗ ନେବେ ୭ଟି ରାଜ୍ୟର ୨୫୦ ପ୍ରତିଯୋଗୀ

ବାରଙ୍ଗରେ ଏନ୍‌ଏସ୍‌ଟିଆଇର ଶିଳାନ୍ୟାସ

ଭୁବନେଶ୍ୱର : କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ତଥା ରାଷ୍ଟ୍ରୀୟ ଦକ୍ଷତା ବିକାଶ ନିଗମ (ଏନ୍‌ଏସ୍‌ଡିସି) ତରଫରୁ ଇଣ୍ଡିଆ ସ୍କିଲ ପୂର୍ବ ଭାରତ ଆଞ୍ଚଳିକ ପ୍ରତିଯୋଗିତା-୨୦୧୮ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଆସନ୍ତା ୧୫ ତାରିଖରୁ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପରିସରରେ ହେବାକୁ ଥିବା ଏହି ପ୍ରତିଯୋଗିତା ୩ ଦିନ ଧରି ଚାଲିବ। ଏହି କାର୍ଯ୍ୟକ୍ରମ ସମୟରେ ‘ସ୍କିଲ୍‌ ଇଣ୍ଡିଆ ମିସନ୍‌’ର ତୃତୀୟ ପ୍ରତିଷ୍ଠା ଦିବସ ମଧ୍ୟ ପାଳନ କରାଯିବ। ୧୫ ତାରିଖରେ କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ।

ଆଜି ମନ୍ତ୍ରଣାଳୟ ପକ୍ଷରୁ ହୋଟେଲ୍‌ ନ୍ୟୁ ମାରିଅନ୍‌ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦିଆଯାଇ କୁହାଯାଇଛି, ପେଶାଦାର ପରାମର୍ଶଦାତାମାନେ ଏହି କାର୍ଯ୍ୟକ୍ରମରେ ସାମିଲ୍‌ ହେବେ। ସେକ୍ଟର ସ୍କିଲ କାଉନ୍‌ସେଲିଂ, ପ୍ରଧାନମନ୍ତ୍ରୀ ଦକ୍ଷତା କେନ୍ଦ୍ର ତଥା ଅନ୍ୟ ବୈଷୟିକ ସହଯୋଗୀମାନଙ୍କ ଦ୍ୱାରା ୫୦ରୁ ଉର୍ଦ୍ଧ୍ୱ ପ୍ରଦର୍ଶନୀ ଷ୍ଟଲ ଖୋଲାଯିବ। ଏଠାରେ ବିଭିନ୍ନ ଅଂଶୀଦାରମାନଙ୍କ ଦ୍ୱାରା ଆଲୋଚନାଚକ୍ର ଓ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ୨୩ଟି ରାଜ୍ୟର ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ବେଳେ ପୂର୍ବ ଭାରତର ୭ଟି ରାଜ୍ୟ ଯଥା ଓଡ଼ିଶା, ବିହାର, ଆସାମ, ନାଗାଲାଣ୍ଡ, ତ୍ରିପୁରା, ଝାଡଖଣ୍ଡ ଓ ମେଘାଳୟର ପ୍ରତିଯୋଗୀମାନେ ୨୭ଟି କ୍ଷେତ୍ରରେ ପ୍ରତିଯୋଗିତା କରିବେ। ଦେଶର ୪ଟି ସ୍ଥାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର କୃତୀ ପ୍ରତିଯୋଗୀମାନଙ୍କୁ ନେଇ ଜାତୀୟ ସ୍ତରରେ ଏକ ପ୍ରତିଯୋଗିତା ୨ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଜାତୀୟ ସ୍ତରରେ ସଫଳ ପ୍ରତିଯୋଗୀଙ୍କୁ ବିଭିନ୍ନ ଉଚ୍ଚମାନର ପ୍ରଶିକ୍ଷଣ ପ୍ରଦାନ କରାଯିବା ସହ ସେମାନେ ବିଶ୍ୱ ସ୍କିଲ୍‌ ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ପାଇବେ।

୧୬ ତାରିଖରେ ବାରଙ୍ଗ ନ୍ୟାସନାଲ ସ୍କିଲ୍‌ ଟ୍ରେନିଂ ଇନଷ୍ଟିଚ୍ୟୁଟ୍‌(ଏନ୍‌ଏସ୍‌ଟିଆଇ)ର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଏହି ପ୍ରସ୍ତାବିତ ଏନ୍‌ଏସ୍‌ଟିଆଇ ଦେଶର ପ୍ରଥମ ଗ୍ରିନ୍‌ ଫିଲ୍ଡ ଅନୁଷ୍ଠାନ ହେବ। ଏଠାରେ ଦୀର୍ଘମିଆଦୀ ଓ ସ୍ୱଳ୍ପମିଆଦୀ ତଥା ଆଧୁନିକ ଡିପ୍ଲୋମା ପାଠ୍ୟକ୍ରମ, ପ୍ରଶିକ୍ଷକଙ୍କ ପାଇଁ ଶିକ୍ଷା ଓ ପାରମ୍ପରିକ ପାଠ୍ୟକ୍ରମ ରହିବ। ଏହି ଅନୁଷ୍ଠାନ ପାଇଁ ରାଜ୍ୟ ସରକାର ୫ଏକର ଜାଗା ମାଗଣାରେ ଯେଗାଇ ଦେଇଛନ୍ତି। ଅନୁଷ୍ଠାନର ସମ୍ପୂର୍ଣ୍ଣ ନିର୍ମାଣ କାର୍ଯ୍ୟ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରଣାଳୟ ପକ୍ଷରୁ କରାଯିବ। ଏହି ସାମ୍ବାଦିକ ସମ୍ମିଳନୀରେ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ବି. କେ. ରାୟ, ପିଏମକେଭିଓ୍ଵାଇର ବରିଷ୍ଠ ଅଧିକାରୀ ଜୟକାନ୍ତ ସିଂ, ଗୌରବ କାପୁର ଏବଂ ରଞ୍ଜନ ଚୌଧୁରୀ ପ୍ରମୁଖ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର