ଲୋକାର୍ପଣ ହେବ ପୂର୍ବ ଭାରତର ସର୍ବବୃହତ୍‌ ବିଲ୍‌ଡିଂ

ଏନ୍‌ଏସ୍‌ଆଇସିର ଏସ୍‌ସିଏସ୍‌ଟି କନ୍‌କ୍ଳେଭ ୩୦ରେ

ଭୁବନେଶ୍ୱର: ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତିର ଯୁବ ଉଦ୍ୟୋଗୀ ଓ ମହିଳାମାନଙ୍କୁ ଶିଳ୍ପ କ୍ଷେତ୍ରରେ ସାମିଲ୍‌ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଭୁବନେଶ୍ୱରଠାରେ ଏକ ବିଶାଳ ଏନ୍‌ଏସ୍‌ଆଇସି ଏସ୍‌ସିଏସ୍‌ଟି କନକ୍ଲେଭ୍‌ର ଆୟୋଜନ କରିବାକୁ ଯାଉଛନ୍ତି। ଏହି କନ୍‌କ୍ଲେଭ୍‌ ଆସନ୍ତା ୩୦ ତାରିଖରେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ଏନ୍‌ଏସ୍‌ଆଇସି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହେବ ଏବଂ ସେହିଦିନ ମଧ୍ୟ ନୂତନ କରି ନିର୍ମାଣ କରାଯାଇଥିବା ଏନ୍‌ଏସ୍‌ଆଇସିର ନିଜସ୍ୱ ବିଲ୍‌ଡିଂ ଲୋକାର୍ପିତ ହେବ। ଏନ୍‌ଏସ୍‌ଆଇସିର ଏହି ଅଫିସ ବିଲ୍‌ଡିଂ ପୂର୍ବ ଭାରତର ସର୍ବବୃହତ୍‌ ବିଲ୍‌ଡିଂ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏନ୍‌ଏସ୍‌ଆଇସିର ସିଏମ୍‌ଡ଼ି ରବୀନ୍ଦ୍ର ନାଥ ସୂଚନା ଦେଇଛନ୍ତି। ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତିର ଲୋକ ସଂଖ୍ୟା ଶତକଡ଼ା ୪୦ ପ୍ରତିଶତ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଜୁଏଲ୍‌ ଓରାମ୍‌, କେନ୍ଦ୍ର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି କନ୍‌କ୍ଲେଭରେ ରାଜ୍ୟର ବିଭିନ୍ନ କୋଣରୁ ପାଖାପାଖି ଦୁଇ ହଜାର ଅନୁସୂଚିତ ଜାତି ଓ ଜନଜାତିର ଯୁବ ଉଦ୍ୟୋଗୀ ଓ ମହିଳା ପ୍ରତିନିଧିମାନେ ଯୋଗଦେବେ। ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏନ୍‌ଏସ୍‌ଆଇସିର ଆଞ୍ଚଳିକ ମୁଖ୍ୟ ପି.ସି. ନାୟକ, ସିଜିଏମ୍‌ ନବୀନ ଚୋପ୍ରା, ଜେଡ୍‌ଜିଏମ ସଞ୍ଜୟ ରାଉତେଲା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର