ଖଣି ବନ୍ଦ ଯୋଗୁଁ ଏନ୍‌ଟିପିସିରେ କୋଇଲା ସଙ୍କଟ ସାଙ୍ଘାତିକ, ୬ରୁ ୪ଟି ୟୁନିଟ୍ ବନ୍ଦ

କଣିହାଁ : ଭରତପୁର ଖଣି ଦୁର୍ଘଟଣା ପରେ ୧୦ ଦିନ ହେଲା ଖଣି ବନ୍ଦ ଆନ୍ଦୋଳନ ଯୋଗୁଁ କଣିହାଁସ୍ଥିତ ଏନଟିପିସିରେ କୋଇଲା ସଙ୍କଟକୁ ନେଇ ସ୍ଥିତି ସାଙ୍ଘାତିକ ହେଲାଣି। ଗତ ୧୦ ଦିନ ଧରି କୋଇଲା ଖଣିରୁ ଉତ୍ପାଦନ ଓ ପରିବହନ ବନ୍ଦ ରହିଥିବାରୁ ପ୍ଲାଣ୍ଟରେ କୋଇଲା ଷ୍ଟକ୍‌ ଶେଷ ହେବାରେ ଲାଗିଛି। ଷ୍ଟକ୍‌ୟାର୍ଡରେ ବର୍ତ୍ତମାନ ମାତ୍ର ୪ ହଜାର ମେଟ୍ରିକ ଟନ୍ କୋଇଲା ମହଜୁଦ ରହିଛି। ପରିସ୍ଥିତି ଏତେ ସଙ୍ଗିନ ଆଡକୁ ଗତି କଲାଣି ଯେ ଆଉ ୨/୩ ଦିନ ଖଣି ବନ୍ଦ ରହିଲେ କୋଇଲା ଅଭାବରୁ ବିଦ୍ୟୁତ୍‌ ଉତ୍ପାଦନ ସଂପୂର୍ଣ୍ଣ ଠପ୍‌ ହୋଇଯିବାର ଆଶଙ୍କା ଦେଖାଦେଇଛି। ଫଳରେ ଏହାର ସିଧାସଳଖ ପ୍ରଭାବ ଦକ୍ଷିଣ ଏବଂ ପୂର୍ବ ଭାରତବାସୀଙ୍କ ଉପରେ ପଡ଼ିବ । ପ୍ରକାଶଯୋଗ୍ୟ ଯେ ଏନ୍‌ଟିପିସି କଣିହାଁରୁ ଦେଶର ୧୭ଟି ରାଜ୍ୟକୁ ବିଜୁଳି ଯୋଗାଇ ଦିଆଯାଉଛି । ଏନ୍‌ଟିପିସି କଣିହାଁ ତାର ୬ଟି ୟୁନିଟକୁ ଚଳାଇବା ପାଇଁ ଦିନକୁ ୫୫ ହଜାର ମେଟ୍ରିକ୍‌ ଟନ୍ କୋଇଲାର ଆବଶ୍ୟକ ଥିଲା ବେଳେ ଷ୍ଟକ୍‌ୟାର୍ଡରେ ବର୍ତ୍ତମାନ ମାତ୍ର ୪ ହଜାର ମେଟ୍ରିକ୍‌ ଟନ୍ କୋଇଲା ମହଜୁଦ ରହିଛି। କୋଇଲା ଅଭାବରୁ ଏନ୍‌ଟିପିସି ବର୍ତ୍ତମାନ ୬ଟି ୟୁନିଟ ମଧ୍ୟରୁ ୪ଟି ୟୁନିଟ୍‌କୁ ବନ୍ଦ କରିଦେଇଛି। ୬ଟି ୟୁନିଟ୍ ଚାଲିଲେ ଦିନକୁ ୩ ହଜାର ମେଗାୱାଟ୍ ବିଜୁଳି ଉତ୍ପାଦନ ହୋଇଥାଏ । କୋଇଲା ଅଭାବରୁ ଗତ ମାସ ୨୯ ତାରିଖରେ ଏନ୍‌ଟିପିସି ତାର ୩ ୟୁନିଟକୁ ବନ୍ଦ କରିଦେଇଥିଲା। ବାକି ୩ଟି ୟୁନିଟରୁ ମାତ୍ର ୧୦୦୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେଉଥିଲା। ଏହା ପରେ କୋଇଲା ସଙ୍କଟ ଯୋଗୁଁ ଏନଟିପିସି ଗତକାଲି ରାତିରୁ ତାର ଆଉ ଏକ ୟୁନିଟ୍ ବନ୍ଦ କରିଦେଇଛି। ବର୍ତ୍ତମାନ ୬ରୁ ମାତ୍ର ୨ଟି ୟୁନିଟ୍ ଚାଲୁ ରହିଛି। ସେଥିରୁ ମାତ୍ର ୭୦୦ ମେଗାୱାଟ୍ ବିଜୁଳି ଉତ୍ପାଦନ ହେଉଛି । ଫଳରେ ଦିନକୁ କୋଟି କୋଟି ଟଙ୍କା କ୍ଷତି ହେଉଛି । ତାଳଚେର ଓ କଣିହାଁ ଅଞ୍ଚଳରେ କୋଇଲା ଖଣି ବନ୍ଦ ଯୋଗୁଁ ଏନ୍‌ଟିପିସିକୁ କୋଇଲା ଆସିପାରୁ ନାହିଁ। ଏନଟିପିସିକୁ ଗତକାଲି ଇବ ଭ୍ୟାଲିରୁ ୧୫ ହଜାର ମେଟ୍ରିକ ଟନ୍ କୋଇଲା ଆସିବା ଫଳରେ ପ୍ଲାଣ୍ଟଟି ଚାଲୁ ଅବସ୍ଥାରେ ରହିଛି ।

ସମ୍ବନ୍ଧିତ ଖବର