ଏମ୍‌ସରେ ବର୍ଣ ୟୁନିଟ୍‌ ପ୍ରତିଷ୍ଠା : ଚୁକ୍ତିରେ ସ୍ୱାକ୍ଷର କଲା ଏନ୍‌ଟିପିସି

ଭୁବନେଶ୍ୱର : ଭୁବନେଶ୍ୱର ଏମ୍‌ସରେ ଏନ୍‌ଟିପିସି ଦ୍ୱାରା ପ୍ରତିଷ୍ଠା ହେବାକୁ ଥିବା ବର୍ଣ ୟୁନିଟ୍‌ ପାଇଁ ଗୁରୁବାର ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଏନ୍‌ଟିପିସି ଏଥିପାଇଁ ୧୪.୮୭ କୋଟି ଟଙ୍କା ବ୍ୟୟ କରିବ। ଏମ୍‌ସର ପ୍ଲାଷ୍ଟିକ୍‌ ସର୍ଜରି ବିଭାଗରେ ପ୍ରତିଷ୍ଠା ହେବାକୁ ଥିବା ଏହି ସ୍ୱତନ୍ତ୍ର ୟୁନିଟ୍‌ରେ ୫୦ ଶଯ୍ୟା ରହିବ। ଏଥିସିହିତ ୬ ଶଯ୍ୟା ବିଶିଷ୍ଟ ଏକ ଅତ୍ୟାଧୁନିକ ଆଇସିୟୁ, ଗୋଟିଏ ଅତ୍ୟାଧୁନିକ ମେସିନ୍‌ ଓ ଅନ୍ୟ ଉପକରଣ ଥିବା ଅପରେସନ୍‌ ଥିଏଟର ପ୍ରତିଷ୍ଠା ହେବ। ସେହିଭଳି ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ ରହିବାକୁ ଥିବା ଏହି ୟୁନିଟ୍‌ରେ ହ୍ଵିଲ୍‌ପୁଲ୍‌ ସାଓ୍ଵାର ଜେଟ୍‌ ଲାଗିବ ଏବଂ ଏକ ସ୍କିନ୍‌ ବ୍ୟାଙ୍କ ନିର୍ମାଣ କରାଯିବ। ତେଣୁ ସମଗ୍ର ପୂର୍ବ ଭାରତରେ ଏଭଳି ବର୍ଣ ୟୁନିଟ୍‌ ପ୍ରଥମ ହେବ ବୋଲି ଏମ୍‌ସ ପକ୍ଷରୁ କୁହାଯାଇଛି। ଏନ୍‌ଟିପିସି ଏ ବାବଦରେ ସମସ୍ତ ଅର୍ଥ ବହନ କରିବ ଓ ଆବଶ୍ୟକ ହେଲେ ଅଧିକ ବ୍ୟୟ କରିବ। ଏମ୍‌ସ ପକ୍ଷରୁ ଏଥିପାଇଁ ଓ୍ଵାର୍ଡ ଯୋଗାଇ ଦିଆଯାଉଥିବାବେଳେ ଏନ୍‌ଟିପିସି ସମସ୍ତ ଉପକରଣ, ଯନ୍ତ୍ରାଂଶ ବାବଦରେ ବ୍ୟୟ କରିବ। ନିଅାଁରେ ପୋଡ଼ି ଯାଇଥିବା ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ଏମ୍‌ସର ପ୍ଲାଷ୍ଟିକ୍‌ ସର୍ଜରି ବିଭାଗ ନିୟମାନୁସାରେ ବହନ କରିବ। ଆଜି ଏନ୍‌ଟିପିସିର ସିଏସ୍‌ଆର ଜେନେରାଲ୍‌ ମ୍ୟାନେଜର୍‌ ଡିକେ ପତନକର ଓ ଏମ୍‌ସ ନିର୍ଦେଶିକା ପ୍ରଫେସର ଗୀତାଂଜଳି ବାତ୍ମାବାନୋ ଏହି ଚୁକ୍ତିନାମାରେ ସ୍ୱାକ୍ଷରିତ କରିଛନ୍ତି। ଏହି ଅବସରରେ ଏନ୍‌ଟିପିସିର ବହୁ ପଦାଧିକାରୀ ଓ ଏମ୍‌ସର ପଦାଧିକାରୀଙ୍କ ସମେତ ପ୍ଲାଷ୍ଟିକ୍‌ ସର୍ଜରି ବିଭାଗର ଡାକ୍ତରମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର