ଏନ୍‌ଟିପିସି ତାଳଚେର ପ୍ରକଳ୍ପ ପ୍ରସଙ୍ଗ : ଓଡ଼ିଶା ଉପରେ ବର୍ଷକୁ ପଡ଼ିବ ୫୦୦ କୋଟିର ବୋଝ

ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ଚିଠି ଲେଖିଥିଲେ, କେନ୍ଦ୍ର ଶକ୍ତିମନ୍ତ୍ରୀଙ୍କୁ ଚିଠି ଦେଲେ ରାଜ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କୁ ମହଙ୍ଗା ବିଜୁଳି ନେଇ ଉଦ୍‌ବେଗ

ଭୁବନେଶ୍ୱର : ତାଳଚେରରେ ଜାତୀୟ ତାପଜ ଶକ୍ତି ନିଗମ(ଏନ୍‌ଟିପିସି) ୯୭୮୫ କୋଟି ବ୍ୟୟରେ ବାର୍ଷିକ ୧୩୨୦ ମେଗାଓ୍ଵାଟ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ କ୍ଷମତା ସଂପନ୍ନ ଆଧୁନିକ ପ୍ରକଳ୍ପ ସ୍ଥାପନ କରିବ। ଏଥିପାଇଁ ସମସ୍ତ ବୈଧାନିକ ମଞ୍ଜୁରି ମିଳିସାରିଛି। କିନ୍ତୁ ରାଜ୍ୟ ସରକାର ଏହି ପ୍ରକଳ୍ପକୁ ବିଳମ୍ବିତ କରୁଥିବା ଦର୍ଶାଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ କୌଣସି ମନ୍ତବ୍ୟ ଦେଇନାହାନ୍ତି। କିନ୍ତୁ ଏହାର ଜବାବ ରଖିଛନ୍ତି ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂହ। କେନ୍ଦ୍ର ଶକ୍ତିମନ୍ତ୍ରୀଙ୍କୁ ଚିଠି ଲେଖି ମହଙ୍ଗା ବିଜୁଳି ଜନିତ ବୋଝ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ ଏନ୍‌ଟିପିସି ପକ୍ଷରୁ ବିଭିନ୍ନ ସମସ୍ୟାର ସମାଧାନ କରାନଗଲେ, ଓଡ଼ିଶାକୁ ୨୫ ବର୍ଷ ପର୍ଯ୍ୟନ୍ତ ବର୍ଷକୁ ୫୦୦ କୋଟିର ବୋଝ ବହନ କରିବାକୁ ପଡ଼ିବ ବୋଲି ସେ କହିଛନ୍ତିି।

ବୁଧବାର ଶକ୍ତିମନ୍ତ୍ରୀ ଶ୍ରୀ ସିଂହ କେନ୍ଦ୍ର ଶକ୍ତି ଏବଂ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ଆର.କେ. ସିଂହଙ୍କୁ ଚିଠି ଲେଖି ତାଳଚେର ଏନ୍‌ଟିପିସି ସଂପର୍କିତ ବିଭିନ୍ନ ସମସ୍ୟା ଉପସ୍ଥାପନ କରିଛନ୍ତି। ସେ କହିଛନ୍ତିି, ଗତ ଜୁଲାଇ ୨୮ ତାରିଖରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରସ୍ତାବିତ ତାଳଚେର ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ପ୍ରଥମ ବର୍ଷରେ ସେଥିରୁ ଉତ୍ପାଦିତ ବିଦ୍ୟୁତ୍‌ ଶକ୍ତି ୟୁନିଟ୍‌ ପିଛା ଟ ୨.୭୦ ପଇସା ହେବା କଥା ବୋଲି ସୂଚେଇ ଦିଆଯାଇଥିଲା। କିନ୍ତୁ ଏହା ୟୁନିଟ୍‌ ପ୍ରତି ଟ ୩.୪୦ ପଇସା ହେବ ବୋଲି ଏନ୍‌ଟିପିସି ପକ୍ଷରୁ ଦର୍ଶାଯାଇଥିଲା। ସେହିପରି ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ସେଥିରୁ ବିଦ୍ୟୁତ୍‌ ଶକ୍ତି ରାଜ୍ୟ ନେଟ୍‌ଓ୍ଵର୍କ ଜରିଆରେ ବାହାରକୁ ପରିବହନ କରାଯିବ। ତେବେ ସେ ବାବଦରେ ପାଓ୍ଵାରଗ୍ରୀଡ୍‌ କର୍ପୋରେସନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌(ପିଜିସିଆଇଏଲ୍‌)ର ୟୁନିଟ୍‌ ପିଛା ୬୦ରୁ ୮୦ ପଇସା ଦେୟ ଓଡ଼ିଶା ଉପରେ ଯେପରି ନପଡ଼େ ଏନ୍‌ଟିପିସି ତାହା ନିଶ୍ଚିତ କରିବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି।

ମନ୍ତ୍ରୀ ଶ୍ରୀ ସିଂହ ଉଲ୍ଲେଖ କରିଛନ୍ତି ଯେ ବିହାରର ବର୍‌ହ-୧(୪୧୮ ମେଗାଓ୍ଵାଟ୍‌) ଓ ବର୍‌ହ-୨ (୧୬୬ ମେଗାଓ୍ଵାଟ୍‌)ରୁ ଅତ୍ୟଧିକ ମୂଲ୍ୟର ଏନ୍‌ଟିପିସି ବିଦ୍ୟୁତ୍‌ ଶକ୍ତି ଓଡ଼ିଶାକୁ ଆବଣ୍ଟନ କରାଯାଇଛି। ଏହା ଫଳରେ ରାଜ୍ୟର ବିଦ୍ୟୁତ୍‌ ଗ୍ରାହକଙ୍କୁ ୟୁନିଟ୍‌ ପିଛା ୫ ଟଙ୍କାରୁ ଅଧିକ ମୂଲ୍ୟ ଦେବାକୁ ପଡ଼ିବ। ଏହି ବିଦ୍ୟୁତ୍‌ ଆବଣ୍ଟନ ବ୍ୟବସ୍ଥାକୁ ଛାଡ଼ିବାକୁ ଓଡ଼ିଶା କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେଇସାରିଛି। ଏହାର ପ୍ରତିବଦଳରେ ଏନ୍‌ଟିପିସି ତାଳଚେର ଓ କଣିହାରୁ ବିଦ୍ୟୁତ୍‌ ନେବା ବ୍ୟବସ୍ଥା କରିବାକୁ ସେ ଅନୁରୋଧ କରିଛନ୍ତି। ଏସବୁ ସମସ୍ୟାର ସମାଧାନ ନହେଲେ ଏନ୍‌ଟିପିସି ଶକ୍ତି କେନ୍ଦ୍ରଗୁଡ଼ିକର ଅତ୍ୟଧିକ ମୂଲ୍ୟର ବିଦ୍ୟୁତ୍‌ ଶକ୍ତି ପାଇଁ ଓଡ଼ିଶା ବର୍ଷକୁ ୫୦୦ କୋଟି ପର୍ଯ୍ୟନ୍ତ ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଆର୍ଥିକ ବୋଝ ବହନ କରିବାକୁ ବାଧ୍ୟହେବ। ରାଜ୍ୟ ସରକାରଙ୍କ ଉପରୋକ୍ତ ପ୍ରସ୍ତାବଗୁଡ଼ିକ ଉପରେ କେନ୍ଦ୍ର ସରକାର ସହମତ ହେଲେ, ଓଡ଼ିଶାର ବିଜୁଳି ଗ୍ରାହକଙ୍କ ଉପରୁ ପ୍ରାୟ ୧୨ ହଜାର କୋଟିର ବୋଝ ବ୍ୟବସ୍ଥା ଏଡ଼ାଇବା ସମ୍ଭବପର ହୋଇପାରିବ। ଉଭୟ ଓଡ଼ିଶା ଓ ଏନ୍‌ଟିପିସି ପାଇଁ ଏହା ଫଳପ୍ରଦ ହେବ ଏବଂ ତାଳଚେର ଥର୍ମାଲ୍‌ ପାଓ୍ଵାର ପ୍ଲାଣ୍ଟ(ଷ୍ଟେଜ୍‌-୩)ର ଶୀଘ୍ର ସ୍ଥାପନ ସମ୍ଭବ ହୋଇପାରିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଆରମ୍ଭରୁ ଶକ୍ତିମନ୍ତ୍ରୀ ଶ୍ରୀ ସିଂହ ଉଲ୍ଲେଖ କରିଛନ୍ତି ଯେ ଏନ୍‌ଟିପିସିର ସମସ୍ତ ପ୍ରକଳ୍ପ ନିମନ୍ତେ ରାଜ୍ୟ ସରକାର ସବୁ ପ୍ରକାରର ସହଯୋଗ ଯୋଗାଇ ଦେଇଛନ୍ତି। ଫଳରେ ସୁନ୍ଦରଗଡ଼ର ଦର୍ଲିପାଲୀ ପ୍ରକଳ୍ପ ସ୍ଥାପନ ହୋଇପାରିଥିବା ସହିତ ଡୁଲଙ୍ଗ କୋଇଲା ଖଣି ପ୍ରକଳ୍ପ ମଧ୍ୟ ଆଗେଇ ପାରିଛି। ଏପରି କି ତାଳଚେର ଥର୍ମାଲ୍‌ ପାଓ୍ଵାର ପ୍ଲାଣ୍ଟ(ଷ୍ଟେଜ୍‌-୩) ପ୍ରକଳ୍ପ ନିମନ୍ତେ ସମସ୍ତ ବୈଧାନିକ ମଞ୍ଜୁରି ମିଳିସାରିଛି। କିନ୍ତୁ ରାଜ୍ୟ ବାହାର ଏନ୍‌ଟିପିସି ବିଦ୍ୟୁତ୍‌ କେନ୍ଦ୍ରଗୁଡ଼ିକରୁ ଓଡ଼ିଶାକୁ ଶକ୍ତି ଆବଣ୍ଟନକୁ ବାତିଲ ସମସ୍ୟା ନିର୍ଦିଷ୍ଟ ସମୟସୀମା ମଧ୍ୟରେ କରିବାକୁ ସେ ଆଶାପ୍ରକାଶ କରିଛନ୍ତି। ସେ ପଟେ ତାଳଚେରର ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ରାଜ୍ୟ ଉଚ୍ଚସ୍ତରୀୟ ଅନୁମୋଦନ କମିଟି(ଏଚ୍‌ଏଲ୍‌ସିଏ) ମଞ୍ଜୁରି ଦେଇନଥିବାରୁ ଏହା ବିଳମ୍ବିତ ହେଉଥିବା ଦର୍ଶାଇଛନ୍ତିି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ। ଏଭଳି ବଡ଼ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ରାଜ୍ୟବାସୀ ଶସ୍ତାରେ ବିଜୁଳି ପାଇପାରିବେ ବୋଲି ସେ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର