ଚଳିତ ଶିକ୍ଷାବର୍ଷରୁ ସୁନ୍ଦରଗଡ଼ ମେଡିକାଲ କଲେଜରେ ପାଠପଢ଼ା

ସୁନ୍ଦରଗଡ଼ : ୨୦୨୦ ମାର୍ଚ୍ଚ ମାସ ସୁଦ୍ଧା ସୁନ୍ଦରଗଡ଼ ଏନ୍‌ଟିପିସି ମେଡିକାଲ୍ କଲେଜ ଓ ଡାକ୍ତରଖାନା ନିର୍ମାଣ କାର୍ଯ୍ୟ ଶେଷ ହୋଇଯିବ। ଏହାସହ ଚଳିତ ଶିକ୍ଷାବର୍ଷରୁ ଡାକ୍ତରୀ ପାଠ୍ୟକ୍ରମ ପାଇଁ ନାମଲେଖା ଆରମ୍ଭ ହେବ। ଆଜି ସୁନ୍ଦରଗଡ଼ ଦାୟିତ୍ବରେ ଥିବା ଉନ୍ନୟନ ଆୟୁକ୍ତ ସୁରେଶଚନ୍ଦ୍ର ମହାପାତ୍ର ସୁନ୍ଦରଗଡ଼ ଆସି ‌ଏନ୍‌ଟିପିସି ମେଡିକାଲ୍ କଲେଜ ଓ ଡାକ୍ତରଖାନା ନିର୍ମାଣ କାର୍ଯ୍ୟ ପରିଦର୍ଶନ ଓ ସମୀକ୍ଷା କରିବା ଅବସରରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ଶ୍ରୀ ମହାପାତ୍ର ଆଜି ମଧ୍ୟାହ୍ନ ୧୨ଟାରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଓହ୍ଲାଇ ସେଠାରୁ ସଡ଼କ ପଥରେ ସୁନ୍ଦରଗଡ଼ ଆସି ନିର୍ମାଣାଧୀନ ଏନ୍‌ଟିପିସି ମେଡିକାଲ୍ କଲେଜ ଓ ଡାକ୍ତରଖାନାକୁ ବୁଲି ଦେଖିଥିଲେ। ଏହାପରେ ସେଠାରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ଯୋଗଦେଇ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିବା ସହ ଏନ୍‌ଟିପିସି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ।

ସୂଚନା‌‌ଯୋଗ୍ୟ, ୨୧ ଏକର ଜମିରେ ଏନ୍‌ଟିପିସିର ପାରିପାର୍ଶ୍ବିକ ବିକାଶ ପାଣ୍ଠିରୁ ୪୨୦ କୋଟି ଟଙ୍କା ବ୍ୟୟ ଅଟକଳରେ ୧୦୦ ଆସନ ବିଶିଷ୍ଟ ମେଡିକାଲ୍‌ କଲେଜ ଓ ୩୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ନିର୍ମାଣ ଚାଲିଛି। ସୁନ୍ଦରଗଡ଼ ଜିଲ୍ଲାର ବହୁ ପ୍ରତୀକ୍ଷିତ ଏହି ମେଡିକାଲ୍ କଲେଜ ଓ ଡାକ୍ତରଖାନା କେବେ କାର୍ଯ୍ୟକ୍ଷମ ହେବ ଓ ଲୋକେ ଏହାର ଲାଭ ପାଇବେ, ସେ ନେଇ ସାଧାରଣରେ ଉତ୍ସୁକତା ରହିଛି।

ସମ୍ବନ୍ଧିତ ଖବର