ନୂଆପଡ଼ା: କାନ୍ଥ ପଡ଼ି ମହିଳାଙ୍କ ମୃତ୍ୟୁ; ଝିଅ ଆହତ

ନୂଆପଡ଼: ଶନିବାର ରାତିରେ ଲଖନା ସଦର ଗ୍ରାମରେ ଗୋଟାଏ ପକ୍କା ଘରର କାନ୍ଥ ଭାଙ୍ଗି ପଡ଼ିବାରୁ ଭିତରେ ଶୋଇଥିବା ଜଣେ ମହିଳାଙ୍କର ମୃତ୍ୟୁ ହେବା ସହ ତାଙ୍କର ଜଣେ ଝିଅ ଆହତ ହୋଇଛନ୍ତି।

ଗତ ରାତିରେ ବର୍ଷା ହେବା ପରେ ପ୍ରାୟ ସାଢ଼େ ଏଗାରଟା ବେଳେ ଉଦ୍ଧବ ରାଉତଙ୍କ ପୁରୁଣା ମାଟିଘରଟି ଭାଙ୍ଗି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ପକ୍କାଘର ଉପରେ ପଡ଼ିବାରୁ ତାହାର ଖଣ୍ଡେ କାନ୍ଥ ଭାଙ୍ଗି ପଡ଼ିଥିଲା। ସେ ଘରେ ନିଜର ୩ ପିଲାଙ୍କ ସହ ଶୋଇଥିବା ୩୫ ବର୍ଷୀୟ ଲଳିତା ରାଉତ ଭଗ୍ନସ୍ତପ ତଳେ ପୋତି ହୋଇପଡ଼ିଥିଲେ।

ଗ୍ରାମବାସୀମାନେ ଖବର ଦେବାରୁ ଲଖନା ପୋଲିସ ଗାଡ଼ି ନେଇ ଦୁର୍ଘଟନା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ସାଙ୍ଘାତିକ ଆହତ ଲଳିତା ଏବଂ ମୁଣ୍ଡରେ ଆଘାତ ପାଇଥିବା ତାଙ୍କ ୫ ବର୍ଷୀୟ ଝିଅ ପୂର୍ଣ୍ଣମୀଙ୍କୁ ତୁରନ୍ତ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା।

ଡାକ୍ତରଖାନରେ ଲଳିତାଙ୍କର ମୃତ୍ୟୁ ହୋଇଗଲା। ଝିଅ ପୂର୍ଣ୍ଣମୀର ମୁଣ୍ଡରେ ୫ଟି ସିଲେଇ ପଡ଼ିଛି ଏବଂ ସେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛି। ଯୋଗକୁ ତାଙ୍କର ଅନ୍ୟ ଜଣେ ୬ ବର୍ଷୀୟ ଝିଅ ମୀନା ଏବଂ ୩ ବର୍ଷିୟ ପୁଅ ମଣ୍ଟୁ ଦୁର୍ଘଟଣାରୁ ରକ୍ଷା ପାଇଯାଇଛନ୍ତି।

ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି। ଲଳିତାଙ୍କ ସ୍ୱାମୀ ଦାଦନ ଖଟିବାକୁ ବାଙ୍ଗାଲୋର ଯାଇଥିବାରୁ ଫେରି ପାରି ନାହାନ୍ତି। ତାଙ୍କ ପରିବାରକୁ ସରକାରୀ ସହାୟତା ପାଇଁ ଦାବି ହେଉଛି।

ସମ୍ବନ୍ଧିତ ଖବର