୪ କିଲୋମିଟର ପାହାଡ଼ ଚଢି ଲୋକଙ୍କ ସମସ୍ୟା ବୁଝି ଚର୍ଚ୍ଚାକୁ ଆସିଥିବା ଓଡ଼ିଶାର ଏହି ଜିଲ୍ଲାପାଳ ଦେଶର ୧୦ ଶ୍ରେଷ୍ଠ ଆଇଏଏସ୍ ତାଲିକାରେ ଦ୍ୱିତୀୟ

ନୂଆଦିଲ୍ଲୀ : ଦେଶର ଶ୍ରେଷ୍ଠ ପ୍ରଶାସକ ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି ଓଡ଼ିଶାର ନୂଆପଡା ଜିଲ୍ଲାପାଳ । ଉଲ୍ଲେଖନୀୟ କାର୍ଯ୍ୟ ଲାଗି ସେ ତାଲିକାର ଦ୍ୱିତୀୟ ସ୍ଥାନରେ ଅବସ୍ଥାପିତ ହୋଇଛନ୍ତି। ଯୁବ ଆଇଏଏସ ଅଫିସର ଡ.ପୋମା ଟୁଡୁଙ୍କ କାର୍ଯ୍ୟଶୈଳୀ ତଥା ସରକାରଙ୍କ ଜନକଲ୍ୟାଣ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇଇବାରେ ଭୂମିକାକୁ ପ୍ରଶଂସା କରିଛନ୍ତି ସରକାର। ତେବେ ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି କେରଳର ଆଇଏଏସ ଅଫିସର ପ୍ରଶାନ୍ତ ନାୟାର।

ନିକଟରେ ହାତରେ ଲାଠି ଧରି ୪ କିଲୋମିଟର ପାହାଡ ଚଢି ଦୁର୍ଗମ ଅଂଚଳ ଖଡିଆଳ ବ୍ଲକ ରାନିମୁଣ୍ଡା ପଂଚାୟତର ସମାଟପଦରରେ ପହଞ୍ଚି ଚର୍ଚ୍ଚାକୁ ଆସିଥିଲେ ପୋମା ଟୁଡୁ । ଆଦିବାସୀଙ୍କ ଦୁଃଖ ବୁଝିବା ପାଇଁ ଜିଲ୍ଲାପାଳ କରିଥିବା ଉଦ୍ୟମ ଆଜି ତାଙ୍କୁ ଏହି ସ୍ଥାନର ଅଧିକାରୀ କରିଛି । ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଥିବା ଯୁବ ଆଇଏଏସ ଅଧିକାରୀଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା। ଯେଉଁ ସର୍ଭେ ପରେ ପ୍ରସ୍ତୁତ ସଫଳ ଅଧିକାରୀଙ୍କ ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି ମହିଳା ଜିଲ୍ଲାପାଳ ପୋମା ଟୁଡୁ ।

ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକରେ ଡକ୍ଟର ପୋମା ଟୁଡୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏ ନେଇ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଥିଲେ ।

ପାହାଡ ପର୍ବତ ଘେରା ଦୁର୍ଗମ ଅଂଚଳରେ ଚାରି କିଲୋମିଟର ପାହାଡ ଚଢି ସେ ଯେତେବେଳେ ସମାଟପଦର ଗାଁ ରେ ପହଞ୍ଚି ଲୋକଙ୍କ ସମସ୍ୟା ପଚାରି ବୁଝିଥିଲେ, ପ୍ରଥମେ ତାଙ୍କୁ ଗାଁ ଲୋକେ ଚିହ୍ନିପାରିନଥିଲେ । କିନ୍ତୁ ଜାଣିବା ପରେ ତାଙ୍କୁ ପ୍ରଶଂସାରେ ଶତମୁଖ ହୋଇପଡ଼ିଥିଲେ ଗ୍ରାମବାସୀ। ତାଙ୍କର ଏଭଳି ଅଭିନବ ଉଦ୍ୟମକୁ ରାଜ୍ୟବାସୀ ମଧ୍ୟ ଅକୁଣ୍ଠ ସମର୍ଥନ ଜଣାଇଥିଲେ ।

ସମ୍ବନ୍ଧିତ ଖବର