୩ ବନ୍ଧୁ ସାଜିଲେ ବଇରୀ, ୪୦ ଟଙ୍କା ପାଇଁ ପ୍ରାଣନେଲେ

କପ୍ତିପଦା/ଶାଳଚୁଆ: ଜୀବନର ମୂଲ୍ୟ ମାତ୍ର ୪୦ ଟଙ୍କା! ଏହି ୪୦ ଟଙ୍କା ପାଇଁ ୩ ଜଣ ଯୁବକ ଜଣେ ସାଙ୍ଗକୁ ହତ୍ୟା କରିବାକୁ ପଛାଇ ନାହାନ୍ତି। ମୟୂରଭଞ୍ଜ କପ୍ତିପଦା ବ୍ଲକ୍‌ ଅନ୍ତର୍ଗତ ପଠାଣପକା ଗ୍ରାମରେ ତାସ୍‌ଖେଳରୁ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଗଳିତ ଶବ ଉଦ୍ଧାର ପରେ ୮ ଦିନ ତଳେ ଘଟିଥିବା ଏହି ଘଟଣା ଏବେ ଲୋକଲୋଚନକୁ ଆସିଛି। ମୃତକ ହେଉଛନ୍ତି ଚାମା ସିଜୁଇ(୩୫)। ୧୭ ତାରିଖ ବିଶ୍ୱକର୍ମା ପୂଜା ରାତ୍ରି ୮ଟା ବେଳେ ଚାମା ଏବଂ ସୁରେନ୍ଦ୍ର ପାତ୍ର(୩୫),ସିର୍‌କା ହେମ୍ବ୍ରମ(୩୦), ନିଧିଆ ହେମ୍ବ୍ରମ(୩୫) ସାଙ୍ଗ ହୋଇ ତାସ୍‌ ଖେଳିଥିଲେ। ସମସ୍ତେ ଥିଲେ ନିଶାସକ୍ତ। ଏଥିରେ ଚାମା ୪୦ ଟଙ୍କା ଜିତିଥିଲେ। ଅନ୍ୟ ସାଙ୍ଗମାନେ ଟଙ୍କା ଫେରାଇ ଦେବାକୁ କହିଥିଲେ। ମାତ୍ର ଚାମା ଏଥିରେ ରାଜି ହୋଇନଥିଲେ। ଫଳରେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାକ୍ରମେ ଉଗ୍ର ରୂପ ନେଇଥିଲା। ଏଥିରେ ସୁରେନ୍ଦ୍ର, ସିର୍‌କା ଓ ନିଧିଆ ଏତେ ଉତ୍ତ୍ୟକ୍ତ ହୋଇଯାଇଥିଲେ ଯେ ଚାମାକୁ ଶେଷ କରିଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ୩ ଜଣ ମିିଶି ପାଖରେ ପଡ଼ିଥିବା ଏକ ଚେନ୍‌ରେ ଚାମାଙ୍କ ବେକକୁ ଚାପି ଧରିଥିଲେ। ୩ ଜଣଙ୍କ ବଳ ଆଗରେ ହାର୍‌ ମାନିଥିଲେ ଚାମା। କିଛି ସମୟ ଛଟପଟ ହେବାପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାପରେ ସେମାନେ ଚାମାଙ୍କ ଶବକୁ ନିକଟସ୍ଥ ଗୁନ୍ଥିହୁଡ଼ି ଜଙ୍ଗଲକୁ ନେଇ ସେଠାରେ ଗାତଖୋଳି ପୋତି ଦେଇଥିଲେ। ପୁଲିସ୍‌ ସୁରେନ୍ଦ୍ର ଓ ସିର୍‌କାକୁ ଗିରଫ କରିବା ପରେ ଏହି ଘଟଣା ସାମ୍‌ନାକୁ ଆସିଛି। ଘଟଣାର ଅନ୍ୟତମ ଅଭିଯୁକ୍ତ ନିଧିଆ ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର