ନର୍ସ ସଂଘ ଦୁଇ ଭାଗ

ଆନ୍ଦୋଳନ ସ୍ଥଗିତ: ସାଧାରଣ ସମ୍ପାଦିକା

ଧାରଣାସ୍ଥଳରେ ୩ ନର୍ସ ଅସୁସ୍ଥ

ଭୁବନେଶ୍ୱର : ଚାକିରି ସ୍ଥାୟୀ କରିବା ସହ ଦରମା ବୃଦ୍ଧି ଦାବିରେ ଠିକା ନର୍ସଙ୍କ ଆନ୍ଦୋଳନ ଚତୁର୍ଥ ଦିନରେ ପହଞ୍ଚିଥିବାରୁ ସାରା ରାଜ୍ୟରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି। ଚିକିତ୍ସା ଲାଗି ହସ୍ପିଟାଲକୁ ଆସୁଥିବା ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ସହ ଆଲୋଚନା କରିଛନ୍ତି। ପୂର୍ବାହ୍ନରେ ମନ୍ତ୍ରୀଙ୍କ ବାସଭବନରେ ଆଲୋଚନା ସଫଳ ହୋଇଥିବା ସଂଘର ସାଧାରଣ ସମ୍ପାଦକ ପ୍ରଭାତି ମହାନ୍ତି କହୁଥିବା ବେଳେ ସଂଘର କେତେଜଣ ସଦସ୍ୟ ଆନ୍ଦୋଳନ ବିଫଳ ହୋଇଥିବା କହିଛନ୍ତି। ଏହାକୁ ନେଇ ସଂଘ ଭିତରେ ଫାଟ ଦେଖାଦେଇଛି। ଅନ୍ୟପକ୍ଷରେ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ନର୍ସଙ୍କ ସହ ଆଲୋଚନା ସଫଳ ହୋଇଛି। ଦୁଇ ମାସ ମଧ୍ୟରେ ଅର୍ଥ ବିଭାଗ ସହ ଆଲୋଚନା କରାଯାଇ ଦାବି ପୂରଣ ଦିଗରେ ପଦକ୍ଷେପ ନିଆଯିବ।

ଠିକା ନର୍ସଙ୍କୁ ନିୟମିତ, ମୂଳ ବେତନ ସହ ଗ୍ରେଡ୍‌ ପେ’ ବୃଦ୍ଧି, ଆରଏସିପି ଲାଗୁ କରିବା ଦାବିରେ ସାରା ରାଜ୍ୟର ଠିକା ନର୍ସମାନେ ଆନ୍ଦୋଳନ ଜାରି ରଖିଛନ୍ତି। ସୋମବାରଠାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରୁଥିବାରୁ ସରକାରୀ ମେଡିକାଲ କଲେଜ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି। ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଆନ୍ଦୋଳନ କରୁଥିବା ନର୍ସଙ୍କ ମଧ୍ୟରୁ ଆଜି ୩ ଜଣ ଅସୁସ୍ଥ ହୋଇପଡ଼ିଥିଲେ। ଧାରଣାରେ ବସିଥିବା ବେଳେ ହଠାତ୍‌ ସେମାନେ ଚେତା ହରାଇଥିଲେ। ସେମାନଙ୍କୁ ଚିକିତ୍ସା ଲାଗି କ୍ୟାପିଟାଲରେ ଭର୍ତ୍ତି କରିଥିଲା। ସନ୍ଧ୍ୟା ସୁଦ୍ଧା ସେମାନେ ସୁସ୍ଥ ଥିବା ଜଣାପଡ଼ିଛି।

ଆନ୍ଦୋଳନର ପ୍ରଭାବ ମେଡିକାଲ କଲେଜ ଓ ହସ୍ପିଟାଲମାନଙ୍କ ଉପରେ ପଡ଼ୁଥିବା ଜାଣିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଜେନା ସଂଘର ପ୍ରତିନିଧି ସହ ଆଲୋଚନା କରିଥିଲେ। ମନ୍ତ୍ରୀଙ୍କ ସରକାରୀ ବାସଭବନରେ ଅନୁଷ୍ଠିତ ବୈଠକରେ ଦାବିଗୁଡ଼ିକ ଉପରେ ବିଚାରବିମର୍ଶ ହୋଇଥିଲା। ଆଲୋଚନା ପରେ ସଂଘ ସମ୍ପାଦକ ପ୍ରଭାତି ମହାନ୍ତି କହିଥିଲେ ଯେ ମନ୍ତ୍ରୀଙ୍କ ସହ ଆଲୋଚନା ସଫଳ ହୋଇଛି। ତେଣୁ ଆମେ ଆନ୍ଦୋଳନରୁ ଓହରି ଯିବୁ। କାର୍ଯ୍ୟରେ ଯୋଗଦେବୁ। ସମ୍ପାଦିକାଙ୍କ ଏଭଳି ମନ୍ତବ୍ୟକୁ ଅନ୍ୟ ସଦସ୍ୟ ସହଜରେ ଗ୍ରହଣ କରିପାରି ନ ଥିଲେ। ନିଷ୍ପତ୍ତିକୁ ବିରୋଧ କରିବା ସହ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବୁ ନାହିଁ ବୋଲି କହିଥିଲେ। ସଂଘର ସାଧାରଣ ସମ୍ପାଦକ ଶ୍ରୀମତୀ ମହାନ୍ତି ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ଯେ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନକୁ ୨ ମାସ ପାଇଁ ସ୍ଥଗିତ ରଖାଗଲା। ଏହି ସମୟରେ ଦାବି ପୂରଣ ନ ହେଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର