ନର୍ସ ନୀହାରିକା ହତ୍ୟା ମାମଲାର ରହସ୍ୟ ଉନ୍ମୋଚିତ : ପ୍ରେମିକ ରାଜା ହିଁ ହତ୍ୟାକାରୀ

ବଚସା ହେବାରୁ ତଣ୍ଟି ଚିପି ମାରିଥିଲା, ଶବକୁ ଅଖାରେ ପୂରାଇ ନଦୀରେ ଫିଙ୍ଗିଥିଲା, ରାଜାକୁ ୫ ଦିନିଆ ରିମାଣ୍ତରେ ନେବ ପୁଲିସ

ଜଗତସିଂହପୁର ଟାଉନ୍ : ଦୁହେଁ ଦୁହିଁଙ୍କୁ ପ୍ରେମ କରୁଥିଲେ। କିନ୍ତୁ ରୋଜଗାର ନ ଥିବାରୁ ସବୁବେଳେ ପାଟିତୁଣ୍ଡ ହେଉଥିଲା। ସେଦିନ ବଚସା ଏଭଳି ସ୍ଥିତିରେ ପହଞ୍ଚିଥିଲା ଯେ ପ୍ରାଣଠାରୁ ବଳି ଭଲ ପାଉଥିବା ନୀହାରିକାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା ପ୍ରେମିକ ରାଜା। ଆଉ ପ୍ରମାଣ ନଷ୍ଟ କରିବାକୁ ଅଖାରେ ମୃତଦେହ ପୂରାଇ ବିଲୁଆଖାଇ ନଈରେ ଫିଙ୍ଗି ଦେଇଥିଲା। ନର୍ସ ନୀହାରିକା ପାତ୍ର (ରୂପାଲି) ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପ୍ରେମିକ କିଶୋର ଚନ୍ଦ୍ର ଆ‌ଞ୍ଚଲ ଓରଫ ରାଜା ଆଜି ପୁଲିସ ନିକଟରେ ଏଭଳି ସ୍ବୀକାରୋକ୍ତି ଦେବା ସହ ହତ୍ୟାକାଣ୍ଡର ଡେମୋ ଦେଖାଇଛି। ଅନ୍ୟ୍ୟପକ୍ଷରେ ପୁଲିସ ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିବା ପରେ ଆଜି ରାଜାକୁ ଜଗତସିଂହପୁର ଏସ୍‌ଡିଜେଏମ୍ କୋର୍ଟରେ ହାଜର କରିଛି। ଏଥିସହ ଅଧିକ ତଦନ୍ତ ପାଇଁ ରାଜାକୁ ୫ ଦିନିଆ ରିମାଣ୍ତରେ ଆଣିବାକୁ ଅଦାଲତରେ ଆବେଦନ କରିଛି।

ଆଜି ଅପରାହ୍ନରେ ଜଗତସିଂହପୁର ଏସ୍‌ପି ପ୍ରକାଶ ରଙ୍ଗରାଜ ସାମ୍ବାଦିକ ସମ୍ମିଳନୀରେ ହତ୍ୟାକାଣ୍ଡ ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ସୂଚନା ମୁତାବକ ନୀହାରିକା ଏବଂ ରାଜା ପରସ୍ପରକୁ ଦୀର୍ଘ ୫ ବର୍ଷ ହେଲା ଭଲ ପାଉଥିଲେ। ନୀହାରିକାଙ୍କ ଆର୍ଥିକ ପରିସ୍ଥିତି ଏତେଟା ସ୍ବଚ୍ଛଳ ନ ଥିଲା। ତେଣୁ ବିରିଡ଼ିରେ ନିଜ ମାମୁଘରେ ରହି ନର୍ସିଂ ଟ୍ରେନିଂ ନେବା ପରେ ସେ କଟକ ଏମ୍ଏମ୍ ମେଡିକେୟାରରେ ଷ୍ଟାଫ୍ ନର୍ସ ଭାବେ କାର୍ଯ୍ୟ କରୁଥିଲେ। ମାମୁଘରେ ରହିବା ସମୟରେ ନୀହାରିକା ଓ ରାଜାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟଙ୍କ ପରିବାର ଦୁହିଁଙ୍କ ସମ୍ପର୍କକୁ ଜାଣିଥିଲେ। ପରିବାରର ସମର୍ଥନ ଯୋଗୁଁ ଦୁହେଁ ଅବାଧ ମିଳାମିଶା କରୁଥିଲେ। କିନ୍ତୁ ରାଜା କୌଣସି ରୋଜଗାର ନକରି ବେକାର ବୁଲୁଥିବାରୁ ଉଭୟଙ୍କ ମଧ୍ୟରେ ବିଭିନ୍ନ ସମୟରେ ବଚସା ହେଉଥିଲା। ଏମିତିକି ଦୁଇ ବର୍ଷ ତଳେ ଏହି କାରଣରୁ ଦୁହିଁଙ୍କ ମଧ୍ୟରେ ପ୍ରାୟ ୫ ମାସ ପାଇଁ ସମ୍ପର୍କ ଛିନ୍ନ ହୋଇଥିଲା। ରାଜା ନିଜେ ଆଗ ରୋଜଗାର କରୁ ବୋଲି ନୀହାରିକା ବାରମ୍ବାର କହୁଥିଲେ। ହେଲେ ରାଜା ତୁରନ୍ତ ବିବାହ କରିବାକୁ ନୀହାରିକାଙ୍କ ଉପରେ ଚାପ ପକାଉଥିଲା। ରାଜାର ପରିବାର ଆସନ୍ତା ଡିସେମ୍ବର ମାସରେ ବାହାଘର କରିବା ପାଇଁ ପ୍ରସ୍ତୁତ ହେଉଥିଲେ। ହାଜିପୁରରେ ଘର ମଧ୍ୟ ତିଆରି କରୁଥିଲେ। ଅନ୍ୟପଟେ ନୀହାରିକାଙ୍କ ବାପା–ମା ଓ ମାମୁ ଏ ପ୍ରସ୍ତାବରେ ରାଜି ନ ଥିଲେ।

ନୀହାରିକାଙ୍କ ଘର ବାଲିଅନ୍ତା ଭିଙ୍ଗାରପୁରରେ ବାପା ଗଗନ ପାତ୍ର, ମା ପ୍ରତିମା ପାତ୍ର ଓ ସାନ ଭାଇ ରହୁଛନ୍ତି। ବାପାଙ୍କର ଛାତି ରୋଗ ରହିଥିବା ଯୋଗୁଁ ସେ କାମ କରିପାରନ୍ତି ନାହିଁ। ବଡ଼ ଭଉଣୀ ବାହା ହୋଇଯିବା ପରେ ଘରର ବୋଝ ନୀହାରିକାଙ୍କ ଉପରେ ଥିଲା। ମାସକୁ ମାତ୍ର ୪ ହଜାର ଟଙ୍କା ଦରମା ପାଉଥିବା ନୀହାରିକା ଯଥା ସମ୍ଭବ ପରିବାରକୁ ସହାୟତା କରୁଥିଲେ। ଯେହେତୁ ରାଜାର କୌଣସି ରୋଜଗାର ନ ଥିଲା, ତେଣୁ ବାହାଘର ପରେ ରାଜା ନୀହାରିକା ଅର୍ଥରେ ଚଳିବ ଭାବି ନୀହାରିକାଙ୍କ ପରିବାର ଲୋକ ରାଜା ସହ ବାହାଘର କରିବାକୁ ଚାହୁଁ ନଥିଲେ। ଏମିତିକି ଅନ୍ୟତ୍ର ବାହାଘର କରିବାକୁ ପ୍ରସ୍ତୁତ ହେଉଥିଲେ। ଏ ନେଇ କିଛି ମାତ୍ରାରେ ରାଜା ଜାଣି ପାରିଥିଲା। ରୋଜଗାର ଓ ବିବାହକୁ ନେଇ ରାଜା ଓ ନୀହାରିକାଙ୍କ ମଧ୍ୟରେ ବାରମ୍ବାର ଗଣ୍ତଗୋଳ ହେଉଥିଲା। ଏହାକୁ ନେଇ ରାଜା ବିବ୍ରତ ହୋଇ ପଡ଼ୁଥିଲା। ଆଉ କୌଣସି ମତେ ନୀହାରିକାକୁ ନିଜର କରିବାକୁ ଉଦ୍ୟମ କରୁଥିଲା।
କେମିତି ହତ୍ୟା କଲା ରାଜା:

ରାଜାର ମାମୁଘର କେନ୍ଦାଳ ଅଞ୍ଚଳରେ ହୋଇଥିବାରୁ କେନ୍ଦାଳର ସୁନୀଲ ସାହୁ ସହ ରାଜାର ପରିଚୟ ଥିଲା। ସୁନୀଲ ଓ ତାଙ୍କ ଭଉଣୀ କଟକର ଚାଉଳିଆଗଞ୍ଜ ଅପର୍ଣ୍ଣାନଗରରେ ଘର ଭଡ଼ା ନେଇ ରହୁଥିଲେ। ସୁନୀଲ ରଙ୍ଗ କାମ କରୁଥିବା ବେଳେ ଭଉଣୀ ମେଡିସିନ୍ ଦୋକାନରେ କାମ କରନ୍ତି। କେନ୍ଦାଳରେ ଖୁଦୁରୁକୁଣୀ ଉତ୍ସବ ଥିବାରୁ ଭାଇ ଭଉଣୀ ୫ ଦିନ ପାଇଁ ଘରକୁ ଆସିଥିଲେ। ଏହାର ସୁଯୋଗ ନେଇ ରାଜା ସୁନୀଲ ରହୁଥିବା ଘରକୁ ନୀହାରିକାଙ୍କୁ ନେଇ ଯାଇଥିଲା। ପୂର୍ବରୁ ବି ସୁଯୋଗ ଦେଖି ରାଜା ଅନେକ ଥର ଉକ୍ତ ଘରକୁ ଯାଇଛି। ହତ୍ୟାକାଣ୍ତ ଦିନ ରାଜା ମଧ୍ୟାହ୍ନ ୧୨ଟା ୩୦ରେ ହାଜିପୁରର ଏକ ଚା ଦୋକାନରୁ ଚାବି ନେଇ ଯାଇଥିଲା। ୪ଟା ୫୦ରେ ନର୍ସିଂହୋମରୁ ନୀହାରିକାଙ୍କୁ ନିଜର ହୋଣ୍ତା ସାଇନ୍ (ଓଡ଼ି–୨୧ ଏଫ୍–୯୦୫୧) ଗାଡ଼ିରେ ବସାଇ ଏଠାକୁ ଆଣିଥିଲା। ପାଖାପାଖି ୫ଟା ୩୫ ବେଳକୁ ଦୁହେଁ ସୁନୀଲ ରହୁଥିବା ଅପର୍ଣ୍ଣାନଗର ଭଡ଼ା ଘରେ ପଶିଥିଲେ। ଦୁହିଁଙ୍କ ମଧ୍ୟରେ ମିଳାମିଶା ହେବା ପରେ ପୁନର୍ବାର ବିବାହ ଘଟଣାକୁ ନେଇ ଯୁକ୍ତିତର୍କ ହୋଇଥିଲା। ବଚସା ଏତେ ବଢ଼ି ଯାଇଥିଲା ଯେ ରାଜା ରାଗି ଯାଇ ନୀହାରିକାଙ୍କ ତଣ୍ଟି ଚିପି ହତ୍ୟା କରିଥିଲା। ପ୍ରମାଣ ନଷ୍ଟ କରିବା ପାଇଁ ନିକଟ ଦୋକାନରୁ ଏକ ବଡ଼ ଜରି ଥଳି କିଣି ଆଣିଥିଲା। ହାତ ଗୋଡ଼ ବାନ୍ଧି ଘରେ ଥିବା ବେଡ୍‌ସିଟ୍‌ରେ ମୃତଦେହକୁ ଗୁଡ଼ାଇ ବସ୍ତା ଭିତରେ ପୂରାଇଥିଲା। ଏହାପରେ ବାଇକ୍ ପଛରେ ବସ୍ତାକୁ ବାନ୍ଧି ନୂଆବଜାର ଏବଂ ପରେ କେନାଲ ରାସ୍ତା ଦେଇ ହାଜିପୁର ନୂଆପାରୀ ନିକଟ ବିଲୁଆଖାଇ ନଦୀ ନିକଟରେ ପହଞ୍ଚିଥିଲା। ଆଉ ନଦୀ ଭିତରକୁ ଯାଇ ବସ୍ତାକୁ ଫିଙ୍ଗି ଦେଇଥିଲା। ସେଦିନ ପ୍ରବଳ ବର୍ଷା ହେଉଥିଲା ଏବଂ ନଦୀରେ ପାଣି ମଧ୍ୟ ଥିଲା। ହେଲେ ପାଣି କମି ଯିବାରୁ ମୃତଦେହଟି ମାତ୍ର ଗୋଟିଏ କିଲୋମିଟର ତଳକୁ ଭାସି ଯାଇ କୂଳରେ ଲାଗି ଯାଇଥିଲା।

ଅନ୍ୟପକ୍ଷରେ ୯ ତାରିଖ ଦିନ ନୀହାରିକା ନିଖୋଜ ଥିବା ନେଇ ମା’ ପ୍ରତିମା ପାତ୍ର ଏବଂ ମେଡିକେୟାର ପକ୍ଷରୁ କଟକ ମଧୁପାଟଣା ଥାନାରେ ଅଭିଯୋଗ ହୋଇଥିଲା। ହେଲେ ଏହାର ପ୍ରାୟ ସପ୍ତାହେ ପରେ ୧୭ ତାରିଖ ଦିନ ଗଳିତ ମୃତଦେହକୁ ବିରିଡ଼ି ପୁଲିସ ଉଦ୍ଧାର କରିଥିଲା। ନୀହାରିକାର ମା’ ଶବକୁ ଚିହ୍ନଟ କରିବା ପରେ ପ୍ରେମିକ ରାଜା ଉପରେ ସନ୍ଦେହ ବଢ଼ିଥିଲା। ସେତେବେଳକୁ ରାଜା ଫେରାର ହୋଇ ଯାଇଥିଲା। ହତ୍ୟା ରହସ୍ୟ ଉନ୍ମୋଚନ ପାଇଁ ଜଗତସିଂହପୁର ଏସ୍‌ପି ପ୍ରକାଶ ରଙ୍ଗରାଜଙ୍କ ତତ୍ବାବଧାନରେ ଏସ୍‌ଡିପିଓ ପ୍ରକାଶ ଚନ୍ଦ୍ର ପାଲ୍, ଜଗତସିଂହପୁର ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର, ନାଉଗାଁ ଥାନା ଅଧିକାରୀ ପ୍ରଜ୍ଞା ପ୍ରିୟଦର୍ଶିନୀ, ବିରିଡ଼ି ଥାନା ଅଧିକାରୀ ପାରଓ ଟୁଡ଼ୁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଘଟଣାର ଛାନଭିନ କରିଥିଲେ। ପ୍ରେମିକ ରାଜାର ମୋବାଇଲ୍ କଲ୍ ରେକର୍ଡ(ସିଡିଆର୍)ରୁ ହିଁ ପୁଲିସକୁ ହତ୍ୟାକାଣ୍ତର ସୂଚନା ପାଇଥିଲା। ଏହାଛଡ଼ା ସୁନୀଲ ରହୁଥିବା ଭଡ଼ା ଘରେ ଏକ ବେଡସିଟ ନଥିବା ଏବଂ ଘରୁ ଗୋଟିଏ କାନଫୁଲ ମିଳିବାକୁ ନେଇ ସୁନୀଲର ଭଉଣୀ ସନ୍ଦେହ କରିଥିଲେ। ସୁନୀଲକୁ ମଧ୍ୟ ଏଥିପାଇଁ ସେ ମାଡ଼ ମାରିଥିଲେ। ଏହି ଦୁଇଟି ଘଟଣାକୁ ନଜରରେ ରଖି ସୁନୀଲକୁ ପୁଲିସ ପଚରାଉଚରା କରିଥିଲା। ଏଥିସହ ରାଜାର ବାପା, ମା, ଭାଇ, ହାଜିପୁର ଚା ଦୋକାନୀଙ୍କ ଦୁଇ ପୁଅ ଏବଂ ହାଜିପୁରର ୪ ଜଣ ସାଙ୍ଗକୁ ପୁଲିସ ଉଠାଇ ଆଣିଥିଲା। ସମସ୍ତଙ୍କୁ ପଚରାଉଚରା ପରେ ରାଜା ହିଁ ହତ୍ୟାକାରୀ ବୋଲି ପୁଲିସକୁ ଠୋସ୍‌ ପ୍ରମାଣ ମିଳିଥିଲା।

ତେବେ ରାଜା ହତ୍ୟାକାଣ୍ତ ପରେ ଚେନ୍ନାଇ ଚାଲି ଯାଇଥିଲା। ହେଲେ ପରିବାର ଉପରେ ଚାପ ପକାଇ ରାଜାକୁ ପୁଲିସ ଆଣିବାରେ ସଫଳ ହୋଇଥିଲା। ଗତକାଲି ଅର୍ଥାତ ୨୦ ତାରିଖ ଦିନ ଭୁବନେଶ୍ବର ରେଳ ଷ୍ଟେସନରେ ରାଜା ଟ୍ରେନରୁ ଓହ୍ଲାଇ ସିଧା ଘରକୁ ଆସିଥିଲା। ସେଠାରେ ରାଜାର ମା’ ତାକୁ ଆଣି ଆସିବା ସମୟରେ ପୁଲିସ ଗିରଫ କରିଥିଲା। କିନ୍ତୁ ୯ ତାରିଖ ଦିନ ହିଁ ରାଜାର ବାପା, ମା’ ଓ ଭାଇ ହତ୍ୟାକାଣ୍ତ ବିଷୟରେ ଜାଣିଥିଲେ। ୧୭ ତାରିଖରେ ନୀହାରିକାଙ୍କ ମୃତଦେହ ମିଳିବା ଘଟଣା ବି ସୁନୀଲ ଜାଣି ଯାଇଥିଲା। ତେବେ ଯେଉଁଭଳି ଭାବେ ହାତ ଗୋଡ଼ ବନ୍ଧା ମୃତଦେହ ମିଳିଥିଲା, ସେଥିରେ ହତ୍ୟାକାଣ୍ତ ପଛରେ ଏକାଧିକ ଲୋକଙ୍କ ସଂପୃକ୍ତି ଥାଇପାରେ ବୋଲି ସନ୍ଦେହ କରାଯାଉଥିଲା। ହେଲେ ରାଜା ଏକୁଟିଆ ହିଁ ନୀହାରିକାକୁ ହତ୍ୟା କରିଛି ବୋଲି ଏସପି ଶ୍ରୀ ଆର୍ ସ୍ପଷ୍ଟ ଭାବେ କହିଛନ୍ତି। ଏହା ସାଧାରଣରେ ବିଶ୍ବାସଯୋଗ୍ୟ ହେଉନଥିଲେ ହେଁ ଏସ୍‌ପିଙ୍କ ସୂଚନା ଅନୁସାରେ ଗତକାଲି ରାତିରେ ଏଭିଡେନ୍ସ ଆକ୍ଟ ସେକ୍ସନ୍–୨୭ରେ ପୁଲିସକୁ ରାଜା କେମିତି ହତ୍ୟା କରିଥିଲା ତାର ଡେମୋ ଦେଖାଇଥିଲା। ଘର ଭିତରେ ୫ଟା୩୫ରୁ ୭ଟା ୪୦ ଯାଏ ରହିଥିଲା ରାଜା। ପ୍ରଥମେ କିଛି ନିଶା କିମ୍ବା ମୃଦୁ ପାନୀୟ ଦେବା ଯୋଗୁଁ ନୀହାରିକାଙ୍କୁ ମାରିବାରେ ରାଜା ସଫଳ ହୋଇଥିବା ସନ୍ଦେହ କରାଯାଉଛି। ଏହାଛଡ଼ା ନୀହାରିକାଙ୍କ ଓଜନ ମାତ୍ର ୩୫ କିଲୋ। ଯାହା ଦ୍ବାରା ରାଜା ହତ୍ୟା କରିବା ପରେ ସହଜରେ ସବୁ କାମ କରିଛି। ୮ ତାରିଖ ଦିନ ରାଜା ମୃତଦେହକୁ ଗାଡ଼ିରେ ଆଣୁଥିବାର ସିସିଟିଭି ଫୁଟେଜକୁ ପୁଲିସ ବଡ଼ ପ୍ରମାଣ ଭାବେ ବିବେଚନା କରୁଛି। ଏଥିସହ ଶବ ବ୍ୟବଚ୍ଛେଦ ରିପୋର୍ଟରେ ନୀହାରିକାଙ୍କ ତଣ୍ଟି ଚିପି ହତ୍ୟା କରାଯାଇଥିବା ଉଲ୍ଲେଖ ରହିଛି। ନୀହାରିକା ବେକରେ ୩.୫ ସେଣ୍ଟିମିଟରର ଏକ ଦାଗ ରହିଛି। ଯାହା ଗଳା ଦବା ଯାଇ ହତ୍ୟାର ପ୍ରମାଣ। ଏହା ବ୍ୟତୀତ ପେଟରେ କିଛି ଆଘାତ ଲାଗିଛି। ପୁଲିସ ଅଧିକ ପ୍ରମାଣ ପାଇଁ ଡିଏନ୍ଏ ଟେଷ୍ଟ କରିବାକୁ ରକ୍ତ ନମୁନା ପଠାଇଛି। ରାଜାକୁ କୋର୍ଟରେ ହାଜର କରିବା ସହ ଅଧିକ ତଦନ୍ତ ପାଇଁ ୫ ଦିନିଆ ରିମାଣ୍ତରେ ନେବାକୁ ପୁଲିସ ଆବେଦନ କରିଛି।

ସମ୍ବନ୍ଧିତ ଖବର