ଆନ୍ଦୋଳନରୁ ଓହରୁନାହାନ୍ତି ନର୍ସ : ବିଗିଡ଼ିଲାଣି ସ୍ୱାସ୍ଥ୍ୟସେବା, ସ୍ଥିତି ସାଂଘାତିକ

ଭୁବନେଶ୍ୱର : ଦାବି ପୂରଣରେ ଅଡ଼ି ବସିଛନ୍ତି ଠିକା ନର୍ସ। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଓ ପ୍ରତିଶ୍ରୁତି ପରେ ମଧ୍ୟ ତାହାର କୌଣସି ପ୍ରଭାବ ଆନ୍ଦୋଳନ ଉପରେ ପଡ଼ିନି। ବରଂ ଆହୁରି ତୀବ୍ର ହୋଇଛି ଠିକା ନର୍ସଙ୍କ ଆନ୍ଦୋଳନ। ବୁର୍ଲାରୁ କଟକ, ଭୁବନେଶ୍ୱରରୁ ବ୍ରହ୍ମପୁର, ସବୁଠି ନର୍ସମାନେ କାର୍ଯ୍ୟ ବନ୍ଦ ଜାରି ରଖିଛନ୍ତି। ଯେଉଁଥିପାଇଁ ସାରା ରାଜ୍ୟରେ ରୋଗୀ ସେବା ବିଗିଡ଼ି ଗଲାଣି। ପରିସ୍ଥିତି ଦିନକୁ ଦିନ ଖରାପ ହେଉଥିବାରୁ ରୋଗୀମାନେ ଏବେ ସରକାରୀ ମେଡିକାଲ ଛାଡ଼ି ଏବେ ଘରୋଇ ହସ୍ପିଟାଲ ମୁହାଁ ହୋଇଛନ୍ତି।

ସବୁଠାରୁ ଚିନ୍ତାର ବିଷୟ ହେଉଛି ରାଜ୍ୟର ୩ଟି ଯାକ ପ୍ରମୁଖ ମେଡିକାଲରେ ରୋଗୀଙ୍କୁ ସେବା ଯୋଗାଇବାକୁ ନର୍ସ ନାହାନ୍ତି। ଯେଉଁ ଅସ୍ଥାୟୀ ନର୍ସ କାର୍ଯ୍ୟ କରୁଛନ୍ତି ସେମାନଙ୍କ ପକ୍ଷେ ବି ଦିନ ରାତି ୨୪ ଘଣ୍ଟା ସେବା ଯୋଗାଇବା ସମ୍ଭବପର ହେଉ ନାହିଁ। କଟକ ଶିଶୁ ଭବନରେ ବି ନର୍ସମାନେ ଆନ୍ଦୋଳନରେ ସାମିଲ ହୋଇଥିବାରୁ ଛୋଟ ପିଲାଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇ ପାରୁନି। ଅନେକ ସ୍ଥାନରେ ରୋଗୀଙ୍କ ସମ୍ପର୍କୀୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କେତେକ ସ୍ଥାନରେ ସରକାରୀ ମେଡିକାଲ କର୍ତୃପକ୍ଷ ଘରୋଇ ହସ୍ପିଟାଲରୁ ନର୍ସକୁ ଆଣି କାମ ଚଳାଉଥିବା ସୂଚନା ମିଳିଛି। ଜିଲ୍ଲା ମେଡିକାଲଗୁଡ଼ିକରେ ବି ସମାନ ଅବସ୍ଥା ଉପୁଜିଛି।

ସରକାରୀ ମେଡିକାଲରେ ଉପଯୁକ୍ତ ଚିକିତ୍ସା ସୁବିଧା ମିଳୁ ନ ଥିବାରୁ ରୋଗୀ ଏବେ ଘରୋଇ ହସ୍ପଟାଲ ମୁହାଁ ହୋଇଛନ୍ତି। ଅଧିକ ଅର୍ଥ ଦେଇ ଚିକିତ୍ସା ହେଉଛନ୍ତି। ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି ଯେ ମେଡିକାଲରେ ସ୍ଥିତି ବିଗିଡ଼ି ଯାଉଥିବା ବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସଚିବ କାହିଁକି ଚୁପ୍‌ ବସିଛନ୍ତି? ରୋଗୀଙ୍କ ପ୍ରତି ଟିକିଏ ବି କାହାର ଦରଦ ଥିବା ଭଳି ବି ମନେ ହେଉନି। ସରକାରୀ ମେଡିକାଲରେ ଉପଯୁକ୍ତ ଚିକିତ୍ସା ବି ମିଳୁ ନାହିଁ। ଯଦି ଏଭଳି ଚାଲେ ତେବେ ରୋଗୀମାନେ ମୃତ୍ୟୁ ମୁଖରେ ପଡ଼ିବା ଆଶଙ୍କା ରହୁଛି। ତେଣୁ ଅଧିକ ଅର୍ଥ ଖର୍ଚ୍ଚ ହେଉ ପଛେ ଆମେ ଘରୋଇ ମେଡିକାଲରେ ଚିକିତ୍ସା କରାଇବାକୁ ନେଉଛୁ।

ବିଭାଗୀୟ ମନ୍ତ୍ରୀଙ୍କ ନିରବତା ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି। ଗତକାଲି ନର୍ସିଂ ସଂଘ ସହ ଆଲୋଚନା ପରେ ଏହାର ସାଧାରଣ ସମ୍ପାଦିକା ପ୍ରଭାତୀ ମହାନ୍ତି ପ୍ରେସ୍‌ ବିଜ୍ଞପ୍ତିରେ ଆନ୍ଦୋଳନ ସ୍ଥଗିତ ରଖାଗଲା ବୋଲି କହିଥିଲେ। କିନ୍ତୁ ଏହାକୁ ସଂଘର ସଦସ୍ୟମାନେ ଗ୍ରହଣ କରିନାହାନ୍ତି। ଦାବିଗୁଡ଼ିକ ପୂରଣ ନେଇ ମନ୍ତ୍ରୀଙ୍କଠାରୁ ଲିଖିତ ଆକାରରେ ଚାହିଁଛନ୍ତି। ଲୋୟର ପିଏମ୍‌ଜିରେ ଧାରଣା ଦେଇଥିବା ନର୍ସମାନଙ୍କ କହିବା କଥା ହେଲା ସ୍ୱାସ୍ଥ୍ୟମନ୍ତ୍ରୀ ବାରମ୍ବାର ପ୍ରତିଶ୍ରୁତି ଦେଇଛନ୍ତି। ଏହା ପୂର୍ବରୁ ମଧ୍ୟ ଦାବି ପୂରଣ କରାଯିବ ବୋଲି କହିଥିଲେ। ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇ ନ ଥିବାରୁ ଆନ୍ଦୋଳନକୁ ଓହ୍ଲାଇଛୁ। କୌଣସି ପରିସ୍ଥିତିରେ ପଛକୁ ହଟିବୁ ନାହିଁ। ଦାବିଗୁଡ଼ିକ ପୂରଣ କରିବା ଲାଗି ମନ୍ତ୍ରୀ ଯେଉଁ କଥା କହୁଛନ୍ତି ତାହାକୁ ଲିଖିତ ଆକାରରେ ଦିଅନ୍ତୁ। ନ ହେଲେ ଆନ୍ଦୋଳନ ସେଭଳି ଜାରି ରହିବ। ୨୫୦୦ ନର୍ସ ପେଟରେ ଓଦା କନା ଦେଇ ଆଉ କେତେଦିନ ଏଭଳି କାର୍ଯ୍ୟ କରିବୁ ବୋଲି ସେମାନେ କହିଛନ୍ତି। ଅନ୍ୟପକ୍ଷରେ ଆଜି ବି ଦୁଇ ଜଣ ନର୍ସ ଧାରଣା ସ୍ଥଳରେ ଚେତାଶୂନ୍ୟ ହୋଇ ପଡ଼ିବା ପରେ ସେମାନଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଥିଲା।

ସମ୍ବନ୍ଧିତ ଖବର