ଆନ୍ଦୋଳନକୁ ଓହ୍ଲାଇଲେ ନର୍ସ

ବିଧାନସଭା ସମ୍ମୁଖରେ ଧାରଣା, ରାଜ୍ୟବ୍ୟାପୀ ଡାକ୍ତରଖାନାରେ ନର୍ସିଂ ସେବା ବାଧାପ୍ରାପ୍ତ

ଭୁବନେଶ୍ୱର : ୭ ଦଫା ଦାବି ନେଇ ଆଜି ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି ନର୍ସିଂ କର୍ମଚାରୀ। ନର୍ସିଂ ସେବା ସଂଘର ଆହ୍ଵାନରେ ରାଜ୍ୟରେ ଏନ୍‌ଏଚ୍‌ଏମ୍‌ ଅଧୀନରେ କାର୍ଯ୍ୟରତ ନର୍ସମାନେ ବିଧାନସଭା ସମ୍ମୁଖରେ ଧାରଣାରେ ସାମିଲ ହୋଇଛନ୍ତି। ଫଳରେ ରାଜ୍ୟବ୍ୟାପୀ ବିଭିନ୍ନ ଡାକ୍ତରଖାନାରେ ନର୍ସିଂ ସେବା ବାଧ୍ୟାପ୍ରାପ୍ତ ହୋଇଛି।

ସଂଘର ଦାବି ମଧ୍ୟରେ ରହିଛି, ଷ୍ଟାଫ୍‌ ନର୍ସଙ୍କୁ ୬ବର୍ଷ ପରେ ନିୟମିତ କରିବା, ସମାନ କାମକୁ ସମାନ ଦରମା ପ୍ରଦାନ, ଠିକ୍‌ ସମୟରେ ପଦୋନ୍ନତି, ୨୦୧୩ ମସିହା ଆରଏସିପିକୁ କାର୍ଯ୍ୟକାରୀ କରିବା, କାର୍ଯ୍ୟରେ ଥିବା ସମୟରେ ସୁରକ୍ଷା ଯୋଗାଇ ଦେବା, କ୍ୟାମ୍ପସରେ ଘରଭଡ଼ା ଯୋଗାଇବା ଓ ନର୍ସିଂ ସେବାରେ ଠିକା ବ୍ୟବସ୍ଥାକୁ ଉଚ୍ଛେଦ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି।

ସଂଘର ସାଧାରଣ ସଂପାଦିକା ପ୍ରଭାତୀ ମହାନ୍ତି କହିଛନ୍ତି, ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ପ୍ରକଳ୍ପରେ କାର୍ଯ୍ୟରତ ନର୍ସିଂ କର୍ମଚାରୀଙ୍କୁ ସ୍ଥାୟୀ କରିବା ପାଇଁ ଗତ ସେପ୍ଟେମ୍ବର ୨୦ତାରିଖରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସ୍ୱାସ୍ଥ୍ୟ ସଚିବ, ଏନ୍‌ଏଚ୍‌ଏମ୍‌ର ନିର୍ଦେଶିକା ଓ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ୧୦ଦଫା ଦାବି ଉପରେ ଆଲୋଚନା ହୋଇଥିଲା। ପ୍ରଥମ ୩ଦଫା ଦାବି ସମ୍ବେଦନଶୀଳ ହୋଇଥିବାରୁ ଏହାକୁ ଯଥାଶୀଘ୍ର ପୂରଣ କରାଯିବ ବୋଲି ବୈଠକରେ ପ୍ରତିଶ୍ରୁତି ଦିଆଯାଇଥିଲା। ମାତ୍ର ଏହା ଭିତରେ ଅଢ଼େଇ ମାସ ବିତି ଯାଇଥିଲେ ହେଁ ସରକାରଙ୍କ ପକ୍ଷରୁ ଏ ନେଇ କୌଣସି ପଦକ୍ଷେପ ନିଆଯାଇ ନାହିଁ। ତେଣୁ ବାଧ୍ୟ ହୋଇ ନର୍ସିଂ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସରକାର ନର୍ସମାନଙ୍କ ଦାବି ପୂରଣ ପାଇଁ ପଦକ୍ଷେପ ନ ନେଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଂଘ ଚେତାବନୀ ଦେଇଛି। ପରେ ସଂଘର ଏକ ପ୍ରତିନିଧିଦଳ ସ୍ୱାସ୍ଥ୍ୟ ସଚିବ ଡା.ପ୍ରମୋଦ କୁମାର ମେହେର୍ଦାଙ୍କ ସହ ଆଲୋଚନା କରିଥିଲେ। ଆସନ୍ତା ୬ମାସ ମଧ୍ୟରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବା ବୋଲି ସ୍ୱାସ୍ଥ୍ୟ ସଚିବ ପ୍ରତିଶ୍ରୁତି ଦେଇଥିବା ସାଧାରଣ ସଂପାଦିକା ଶ୍ରୀମତୀ ମହାନ୍ତି ସୂଚନା ଦେଇଛନ୍ତି। ତେବେ ସରକାରଙ୍କ ପ୍ରତିଶ୍ରୁତିରେ ସଂଘର କର୍ମକର୍ତା ସନ୍ତୁଷ୍ଟ ନ ଥିବାରୁ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର