ନର୍ସିଂ ନାମଲେଖାରେ ବ୍ୟାପକ ବିଭ୍ରାଟ : ବିନା ଆଇଏନ୍‌ସି ସ୍ୱୀକୃତିରେ ଚାଲିଛି ନାମଲେଖା

ଅନୁବନ୍ଧନ ପ୍ରଦାନରେ ବିଶ୍ବବିଦ୍ୟାଳୟର ମନମାନୀ, ଦାୟିତ୍ବ ଖସାଇଦେଉଛି ନର୍ସିଂ ନିର୍ଦ୍ଦେଶାଳୟ

ଭୁବନେଶ୍ବର : ନର୍ସିଂ କଲେଜଗୁଡ଼ିକ ପାଇଁ ଇଣ୍ଡିଆନ୍ ନର୍ସିଂ କାଉନ୍‌ସିଲ୍‌(ଆଇଏନ୍‌ସି)ର ସ୍ବୀକୃତି ବାଧ୍ୟତାମୂଳକ। ଏହି ସ୍ବୀକୃତି ନ ଥିଲେ ଛାତ୍ରଛାତ୍ରୀମାନେ ସର୍ବଭାରତୀୟ ସ୍ତରରେ ନିଜ କ୍ୟାରିୟର୍‌ ଗଢ଼ିବାରେ ଅସୁବିଧା ଭୋଗିବେ। କିନ୍ତୁ ଏଥି ପ୍ରତି ସ୍ବାସ୍ଥ୍ୟ ବିଭାଗ ଅଧୀନସ୍ଥ ନର୍ସିଂ ନି‌େର୍ଦ୍ଦଶାଳୟ ଆଖି ବୁଜି ଦେଇଛି। ବିନା ଆଇଏନ୍‌ସି ସ୍ବୀକୃତିରେ ବହୁ କଲେଜକୁ ନାମଲେଖା ପାଇଁ ଅନୁମତି ଦିଆଯାଇଛି। ବର୍ତ୍ତମାନ ଚାଲିଥିବା ନାମଲେଖା କାଉନ୍‌ସେଲିଂରେ ବିନା ଆଇଏନ୍‌ସି ସ୍ବୀକୃତିରେ ବହୁ ଅନୁଷ୍ଠାନ ସାମିଲ୍‌ ହୋଇଥିବାରୁ ଛାତ୍ରଛାତ୍ରୀ କ୍ୟାରିୟର୍ ନେଇ ଆଶଙ୍କା ଦେଖାଦେଇଛି। କେବଳ ସେତିକି ନୁହେଁ, ରାଜ୍ୟର ବିଶ୍ବବିଦ୍ୟାଳୟଗୁଡ଼ିକ ମଧ୍ୟ ଅତ୍ୟନ୍ତ ବେପରୱା ଢଙ୍ଗ‌େର ଅନୁବନ୍ଧନ ପ୍ରକ୍ରିୟା କରୁଥିବାରୁ ସମ୍ପୂର୍ଣ୍ଣ ନର୍ସିଂ ନାମଲେଖାରେ ବ୍ୟାପକ ବିଭ୍ରାଟ ଦେଖିବାକୁ ମିଳୁଛି। ନର୍ସିଂ ନିର୍ଦ୍ଦେଶାଳୟ ଏ କ୍ଷେତ୍ରରେ ସ୍ବଚ୍ଛତା ଅବଲମ୍ବନ କରୁ ନ ଥିବାରୁ ସ୍ଥିତି ଆହୁରି ବିଗିଡ଼ି ଯାଉଛି।

ଗତ ୧୦ ତାରିଖ ଠାରୁ ଏଏନ୍‌ଏମ୍, ଜିଏନ୍‌ଏମ୍, ବିଏସ୍‌ସି ନର୍ସିଂ, ପିବି ବିଏସ୍‌ସି ନର୍ସିଂ ଓ ଏମ୍‌ଏସ୍‌ସି ନର୍ସିଂ ପାଇଁ ଅନ୍‌ଲାଇନ୍ ନାମଲେଖା କାଉନ୍‌ସେଲିଂ ଆରମ୍ଭ ହୋଇଛି। ନର୍ସିଂ ନି‌େର୍ଦ୍ଦଶାଳୟ ଏହାକୁ ପରିଚାଳନା କରୁଛି। କାଉନ୍‌ସେଲିଂରେ ଭାଗ ନେବା ପାଇଁ ଓଡ଼ିଶା ନର୍ସିଂ ମିଡ୍‌ୱାଇଭେରି ରେଜିଷ୍ଟ୍ରେସନ୍ କାଉନ୍‌ସିଲ୍‌(ଓଏନ୍‌ଏମ୍‌ଆର୍‌ସି) ୩୭ଟି ସରକାରୀ ଓ ୨୩୪ଟି ବେସରକାରୀ ନର୍ସିଂ ସ୍କୁଲ୍‌ ଓ କଲେଜକୁ ୨୦୧୯-୨୦ ବର୍ଷ ପାଇଁ ଏନ୍‌ଓସି ଦେଇଛି। ଏହି ଏନ୍‌ଓସି ଭିତ୍ତିରେ ୨୭୧ଟି ଅନୁଷ୍ଠାନର ନାମ ୱେବ୍‌ସାଇଟ୍‌ରେ ଦର୍ଶାଯାଇଛି। କିନ୍ତୁ ଅଧିକାଂଶ ଅନୁଷ୍ଠାନ ଆଇଏନ୍‌ସି ସ୍ବୀକୃତି ପାଇ ନାହାନ୍ତି। ଜିଏନ୍‌ଏମ୍‌ ପାଠ୍ୟକ୍ରମରେ ନାମଲେଖାଉଥିବା ୮୦ଟି ଅନୁଷ୍ଠାନ ମଧ୍ୟରୁ ମାତ୍ର ୧୬ଟି ଆଇଏନ୍‌ସି ସ୍ବୀକୃତି ପାଇଛନ୍ତି। ଆଇଏନ୍‌ସି ସ୍ବୀକୃତି ପାଇ ନ ଥିବା ଅନୁଷ୍ଠାନ ମଧ୍ୟରେ ୭ଟି ସରକାରୀ ଅନୁଷ୍ଠାନ ମଧ୍ୟ ଅଛନ୍ତି।। ସେହିପରି ୪ଟି ସରକାରୀ ଓ ୩୯ଟି ଘରୋଇ ଅନୁଷ୍ଠାନ ବିଏସ୍‌ସି ନର୍ସିଂରେ ନାମ ଲେଖାଉଛନ୍ତି। ସେମାନଙ୍କ ମଧ୍ୟରୁ ୩ଟି ସରକାରୀ ଓ ୨୬ଟି ବେସରକାରୀ ଅନୁଷ୍ଠାନ ଆଇଏନ୍‌ସି ସ୍ବୀକୃତି ପାଇ ନାହାନ୍ତି। ୨ଟି ସରକାରୀ ଓ ୧୦ଟି ଘରୋଇ ଅନୁଷ୍ଠାନ ଏମ୍‌ଏସ୍‌ସି ନର୍ସିଂରେ ନାମ ଲେଖାଉଛନ୍ତି। ତାହା ମଧ୍ୟରୁ ମାତ୍ର ୪ଟି ଘରୋଇ ଅନୁଷ୍ଠାନ ଆଇଏନ୍‌ସି ସ୍ବୀକୃତି ପାଇଛନ୍ତି। ଏଏନ୍‌ଏମ୍‌ ନର୍ସିଂ ଓ ପିବି ବିଏସ୍‌ସି ନର୍ସିଂରେ ମଧ୍ୟରେ ସମାନ ସ୍ଥିତି। ଏହି ଅନୁଷ୍ଠାନଗୁଡ଼ିକ କେବେ ସୁଦ୍ଧା ଆଇଏନ୍‌ସିର ସ୍ବୀକୃତି ପତ୍ର ଆଣିବେ, ସେ ବିଷୟରେ ୱେବ୍‌ସାଇଟ୍‌ରେ ଉଲ୍ଲେଖ କରାଯାଇ ନାହିଁ। ଫଳରେ ଛାତ୍ରଛାତ୍ରୀ ଓ ଅଭିଭାବକ ଏ ନେଇ ଅନ୍ଧାରରେ ରହିଛନ୍ତି। ଅତ୍ୟନ୍ତ ଖାମଖିଆଲ ଢଙ୍ଗରେ ନର୍ସିଂ ନିର୍ଦ୍ଦେଶାଳୟ ଏହାକୁ ଅଣଦେଖା କରିଛି।

indiamart.com

ନର୍ସିଂ କଲେଜଗୁଡ଼ିକୁ ବିଶ୍ବବିଦ୍ୟାଳୟ ଅନୁବନ୍ଧନ କ୍ଷେତ୍ରରେ ଆହୁରି ବିଭ୍ରାଟ ଦେଖିବାକୁ ମିଳିଛି। ସାଧାରଣତଃ ପରୀକ୍ଷା ପୂର୍ବରୁ ବିଶ୍ବବିଦ୍ୟାଳୟ ଅନୁବନ୍ଧନର ଆବଶ୍ୟକତା ରହିଛି। ଆଇଏନ୍‌ସି ଓ ଓଏନ୍‌ଏମ୍‌ଆର୍‌ସି ସ୍ବୀକୃତି ଭିତ୍ତିରେ ବିଶ୍ବବିଦ୍ୟାଳୟ ଅନୁବନ୍ଧନ ଦିଏ। ବିଏସ୍‌ସି ନର୍ସିଂ, ପିବି ବିଏସ୍‌ସସି ନର୍ସିଂ ଓ ଏମ୍‌ଏସ୍‌ସି ନର୍ସିଂ ପାଠ୍ୟକ୍ରମରେ ନାମ ଲେଖାଉଥିବା ୬୬ଟି ଅନୁଷ୍ଠାନକୁ ୨୦୧୯-୨୦ ବର୍ଷ ପାଇଁ ଅନୁବନ୍ଧନ ପ୍ରଦାନ କରିବାକୁ ନର୍ସିଂ ନିର୍ଦ୍ଦେଶାଳୟ ରାଜ୍ୟର ସବୁ ବିଶ୍ବବିଦ୍ୟାଳୟକୁ ଚିଠି ଲେଖିଥିଲା। କିନ୍ତୁ ବିଶ୍ବବିଦ୍ୟାଳୟଗୁଡ଼ିକ ଅନୁବନ୍ଧନ ପ୍ରଦାନ ନ କରି ଅନୁଷ୍ଠାନଗୁଡ଼ିକ ଠାରୁ ଏକ ଅଣ୍ଡର୍‌ଟେକିଂ ରଖି ‘ଏନ୍‌ଓସି ଫର୍ ଆଫିଲିସେନ୍’ ପ୍ରଦାନ କଲେ। ତେବେ ଯେଉଁ କଲେଜଗୁଡ଼ିକ ଆଇଏନ୍‌ସି ଓ ଓଏନ୍‌ଏମ୍‌ଆର୍‌ସି ସ୍ବୀକୃତି ଆଣିଥିଲେ, ସେମାନଙ୍କ ଠାରୁ ଅଣ୍ଡର୍‌ଟେକିଂ ରଖାଯାଇ ନ ଥିଲା। କିନ୍ତୁ ସରକାରୀ କଲେଜ କ୍ଷେତ୍ରରେ ବିଶ୍ବବିଦ୍ୟାଳୟଗୁଡ଼ିକ ନିୟମ କୋହଳ କରିଦେଇଛନ୍ତି। ବିନା ଅଣ୍ଡର୍‌ଟେକିଂରେ ସେମାନଙ୍କୁ ଏନ୍‌ଓସି ଫର୍‌ ଆଫିଲିସେନ୍ ପ୍ରଦାନ କରିଛନ୍ତି।

ବିଶ୍ବବିଦ୍ୟାଳୟରୁ ଅନୁବନ୍ଧନ ପାଇ ନ ଥିବା ୩୯ଟି ଘରୋଇ କଲେଜ ମଧ୍ୟରୁ ୩୮ଟି କଲେଜ କର୍ତ୍ତୃପକ୍ଷ ନର୍ସିଂ ନି‌ର୍ଦ୍ଦେଶାଳୟରେ ଏକ ଅଣ୍ଡର୍‌ଟେକିଂ ଦେଇଛନ୍ତି, ଯେଉଁଥିରେ କି ଦୁଇ ମାସ ମଧ୍ୟରେ ବିଶ୍ବବିଦ୍ୟାଳୟ ଅନୁବନ୍ଧନ ପତ୍ର ଦାଖଲ କରିବେ ବୋଲି ଦର୍ଶାଇଛନ୍ତି। ଦୁଇ ମାସ ମଧ୍ୟରେ ଏହା ନ ଦେଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନେଇ ସେମାନେ ଦାୟୀ ରହିବେ ବୋଲି ଜଣାଇଛନ୍ତି। କିନ୍ତୁ ଏହି ଅଣ୍ଡର୍‌ଟେକିଂଗୁଡ଼ିକୁ ମଧ୍ୟ ନର୍ସିଂ ନିର୍ଦ୍ଦେଶାଳୟ ପକ୍ଷରୁ ୱେବ୍‌ସାଇଟ୍‌ରେ ଦିଆଯାଇ ନାହିଁ। କେବଳ ଗୋଟିଏ ଘରୋଇ କଲେଜ ବିଶ୍ବବିଦ୍ୟାଳୟରୁ ଏନ୍‌ଓସି ଅଫ୍ ଆଫିଲିସେନ୍ ପାଇବାରେ ବିଳମ୍ବ ହେବାରୁ ହାଇକୋର୍ଟରେ ମାମଲା କରି କୋର୍ଟଙ୍କ ନିର୍ଦ୍ଦେଶ ବଳରେ କାଉନ୍‌ସେଲିଂରେ ସାମିଲ୍‌ ହୋଇଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ବଳରେ ସଂପୃକ୍ତ କଲେଜର ଆଇଏନ୍‌ସି ଓ ଓଏନ୍‌ଏମ୍‌ଆର୍‌ସି ସ୍ବୀକୃତି ଥିବାରୁ ତାହାକୁ କାଉନ୍‌ସେଲିଂରେ ଭାଗ ନେବା ପାଇଁ ସୁଯୋଗ ଦିଆଯାଇଛି।

ଆହୁରି ମଧ୍ୟ ସବୁ କ୍ଷେତ୍ରରେ ପିଲାଙ୍କ ଭବିଷ୍ୟତ ପାଇଁ କଲେଜ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଅଣ୍ଡର୍‌ଟେକିଂ ରଖି ସରକାର ନିଜ ଦାୟିତ୍ବ ଖସାଇ ଦେବାକୁ ବସିଛନ୍ତି। ଯଦି ସବୁ ପ୍ରକାର ଅସୁବିଧା ପାଇଁ କଲେଜ କର୍ତ୍ତୃପକ୍ଷ ଦାୟୀ ରହିବେ, ତେବେ ନର୍ସିଂ ନିର୍ଦ୍ଦେଶାଳୟ କାହିଁକି ନାମଲେଖା କାଉନ୍‌ସେଲିଂ କରୁଛି ବୋଲି ପ୍ରଶ୍ନ ଉଠୁଛି। ପିଲାଙ୍କ ଭବିଷ୍ୟତ ପାଇଁ ନୈତିକ ଦାୟିତ୍ବ କାହିଁକି ସରକାର ନେବେ ନାହିଁ ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର