ସମ୍ବଲପୁର ନର୍ସିଂ କଲେଜ୍‌ର ଷ୍ଟାଫ୍‌ କ୍ବାର୍ଟରରୁ ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ଶବ ଉଦ୍ଧାର

ଘଟଣାସ୍ଥଳରୁ ମୋବାଇଲ୍‌ ଓ କାଗଜ ପତ୍ର ଜବତ, ମୃତ୍ୟୁର କାରଣ ସନ୍ଦେହ ଘେରରେ

ସମ୍ବଲପୁର : ସମ୍ବଲପୁର ସଦର ଥାନା ଅନ୍ତର୍ଗତ କେନଘାଟିଠାରେ ଥିବା ସମ୍ବଲପୁର ନର୍ସିଂ କଲେଜ୍‌ର ଷ୍ଟାଫ୍‌ କ୍ବାର୍ଟରରୁ ସୋମବାର ସକାଳୁ ଜଣେ ପ୍ରଥମ ବର୍ଷ ବିଏସ୍‌ସି ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ଶବ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ ଛାତ୍ରୀଜଣଙ୍କ ପଶ୍ଚିମବଙ୍ଗ ପୁରଲିଆ ଜିଲ୍ଲା ବଳରାମପୁର ଥାନା ତେନ୍ତଲୋର ଦୀପକ ମହାନ୍ତିଙ୍କ ଝିଅ ସୁତାପା(୧୯) ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ସୁତାପା ଗତବର୍ଷ ଅକ୍ଟୋବର ମାସରେ ବିଏସ୍‌ସି ନର୍ସିଂରେ ନାମ ଲେଖାଇବା ପରେ ନଭେମ୍ବର ୫ ତାରିଖରେ ଏଠାକୁ ଆସିଥିଲେ। ମାତ୍ର ୧୫ ଦିନ ଯାଏଁ ଅନ୍ୟ ସହପାଠୀଙ୍କ ସହ ହଷ୍ଟେଲ୍‌ରେ ରହିଥିଲେ। ହଷ୍ଟେଲ୍‌ରେ ଅନ୍ୟ ସାଙ୍ଗମାନଙ୍କ ସହ ଗୋଟିଏ ବାଥରୁମ୍‌ ବ୍ୟବହାର କରିବା ଓ ଗୋଟିଏ ବେଡ୍‌ରେ ଶୋଇବା ତାଙ୍କୁ ପସନ୍ଦ ନଥିବାରୁ ସେ ଅନ୍ୟତ୍ର ଘର ଖୋଜୁଥିଲେ। ତେବେ ଘର ମିଳିବା ଯାଏଁ ଖାଲିଥିବା ଷ୍ଟାଫ୍‌ କ୍ବାର୍ଟର ନଂ ୪ରେ ରହିବା ପାଇଁ କଲେଜ କର୍ତ୍ତୃପକ୍ଷ ତାଙ୍କୁ ଅନୁମତି ପ୍ରଦାନ କରିଥିଲେ। ଆଜି ସକାଳେ ରୁମ୍‌ ଭିତରେ ଓଢ଼ଣିରେ ଫାଶୀ ଦେଇ ଝୁଲୁଥିବା ଦେଖିବାକୁ ମିଳିଥିଲା। ସୂଚନା ପାଇ କଲେଜ କର୍ତ୍ତୃପକ୍ଷ ଓ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲେ।

ସମ୍ବନ୍ଧିତ ଖବର