ଜବରଦଖଲରେ ଜଗନ୍ନାଥଙ୍କ ଭୂ-ସଂପତ୍ତି: ଉଦ୍ଧାର ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

କଟକ: ପୁରୀ ଶ୍ରୀଜଗନ୍ନାଥଙ୍କ ଭୂସଂପତ୍ତି ଜବରଦଖଲ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଜଗନ୍ନାଥଙ୍କ ନାଁରେ ଥିବା ସଂପତ୍ତି ସଂପର୍କରେ ତଦନ୍ତ ସହିତ ଜବର ଦଖଲରେ ଥିବା ଜମି ଉଦ୍ଧାର ପାଇଁ ନିର୍ଦ୍ଦେଶ ପ୍ରାର୍ଥନା କରି ଭାରତୀୟ ବିକାଶ ପରିଷଦ ପକ୍ଷରୁ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଏହି ମାମଲା ରୁଜୁ କରିଛନ୍ତି।

ଆବେଦନରେ ଦର୍ଶାଯାଇଛି ଯେ ରାଜ୍ୟରେ ପାଖା ପାଖି ୪୦ ହଜାର ଏକରରୁ ଅଧିକ ସରକାରୀ ଜମି ଜବର ଦଖଲରେ ରହିଛି। ଏହି ସବୁ ଜମିର ଅନୁମାନିକ ମୂଲ୍ୟ ୪ ହଜାର କୋଟି ଟଙ୍କା ହେବ। ପ୍ରଶାସନିକ ଅଧିକାରୀ ଓ ରାଜନୈତିକ ନେତାଙ୍କ ସହିତ ବହୁ ପ୍ରଭାବଶାଳୀ ବ୍ୟକ୍ତି ଏପରି ଜମି ଜବର ଦଖଲ କରିଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କୁ ମଧ୍ୟ ଛାଡା ଯାଇ ନାହିଁ। ରାଜ୍ୟର ୨୩ଟି ଜିଲ୍ଲା ସହିତ ୬ଟି ରାଜ୍ୟରେ ଜଗନ୍ନାଥଙ୍କ ଭୂସଂପତ୍ତି ରହିଛି। ସମୁଦାୟ ୫୯ ହଜାର ଏକରରୁ ଅଧିକ ଭୂସଂପି ଜଗନ୍ନାଥଙ୍କ ରହିଛି। ଚିହ୍ନଟ ୫୯ ହଜାର ୧୩୦ ଏକର ୯୩୮ ଡିସିମିଲ ଜମି ମଧ୍ୟରୁ ମାତ୍ର ୩୦ ହଜାର ୪୧୨ ଏକର ୨୨୮ ଡିସିମିଲ ଜମି ମହାପ୍ରଭୁଙ୍କ ନାଁରେ ରହିଛି। ଜଗନ୍ନାଥଙ୍କ ଅବଶିଷ୍ଟ ସଂପତ୍ତି ବିଭିନ୍ନ ବ୍ୟକ୍ତିବିଶେଷ ଚଞ୍ଚକତା କରି ଜବରଦଖଲରେ ରଖିଛନ୍ତି। ୨୦୦୯-୨୦୧୦ ସିଏଜି ରିପୋର୍ଟ ଅନୁସାରେ ଜଗନ୍ନାଥଙ୍କ ୧୧ ପ୍ରତିଶତ ଜମି ଅର୍ଥାତ ୬ହଜାର ୬୩୮ଏକର ଜମିରୁ କେବଳ ରାଜଭାଗ ଆସୁଛି। ଆନ୍ଧ୍ରପ୍ରଦେଶରେ ଥିବା ୨୦ ଏକର ୭୭୦ ଡିସିମିଲ ଜମିକୁ ବାଦ ଦେଲେ ଅନ୍ୟ ପାଞ୍ଚଟି ରାଜ୍ୟରେ ଥିବା ୩୯୫ ଏକର ୨୫୨ ଡିସିମିଲ ଜମିରୁ ରାଜଭାଗ ଆଦାୟ ହୋଇ ପାରୁ ନାହିଁ। ସେହିପରି ଓଡ଼ିଶାର ୧୩ଟି ଜିଲ୍ଲା ଅନୁଗୋଳ, ଢେଙ୍କାନାଳ, ଯାଜପୁର, ବରଗଡ଼, ସମ୍ବଲପୁର, ବଲାଙ୍ଗୀର, ରାୟଗଡ଼ା, କୋରାପୁଟ, ସୋନପୁର, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, କଳାହାଣ୍ଡି ଜିଲ୍ଲାରେ ଥିବା ୧୪୪୮ ଏକର ୧୪୯ ଡିସିମିଲ ଜମିରୁ ରାଜଭାଗ ଆଦାୟ ହେଉନାହିଁ। ଜଗନ୍ନାଥଙ୍କ ୪୦୫ ଏକର ଜମି ଏକ ବଡ଼ବଡ଼ କମ୍ପାନୀ, ବିଲଡର ଲୁଟ କରିଥିବାବେଳେ କେତେକ ଉଚ୍ଚପଦରେ ଥିବା ବ୍ୟକ୍ତିବିଶେଷ କେତେକ ଜମି ନିଜ ନାଁରେ କରାଇନେବାରେ ସକ୍ଷମ ହୋଇଥିବା ଆବେଦନକାରୀ ଦର୍ଶାଇଛନ୍ତି। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ନିକଟରୁ ମହାପ୍ରଭୁଙ୍କ କେତେ ଜମି କେଉଁଠି ଅଛି ସେ ନେଇ ରିପୋର୍ଟ ତଲବ ହେବା ଆବଶ୍ୟକ। ଏହାପରେ ଜବର ଦଖଲରେ ଥିବା ଜଗନ୍ନାଥଙ୍କ ଜମିକୁ ଉଦ୍ଧାର ପାଇଁ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଆବେଦନରେ ଦର୍ଶାଯାଇଛି।

ମାମଲାରେ ଆଇନ ସଚିବ, ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ, ରାଜ୍ୟ ମୁଖ୍ୟ ଶାସନ ସଚିବ, ପୁରୀ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନ୍ତର୍ଯ୍ୟାମୀ ସ୍ୱାଇଁ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର