ଆସୁଛି ବାତ୍ୟା ତିତଲି ! ୧୦ରୁ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା; ୧୧ ସକାଳେ ଉପକୂଳ ଛୁଇଁପାରେ ବାତ୍ୟା

ନୂଆଦିଲ୍ଲୀ : ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର (ଡ୍ରିପେସନ୍)ରୂପ ନେଇଛି । ଆସନ୍ତା ୨୪ ଘଣ୍ଟା ଭିତରେ ଏହା ବାତ୍ୟାର ରୂପ ନେବ ।  ସମ୍ଭାବ୍ୟ ବାତ୍ୟା ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ କେନ୍ଦ୍ର । ଏହି ସମ୍ଭାବ୍ୟ ବାତ୍ୟାର ନାମ ‘ତିତଲି’ ରଖା ଯାଇଥିବା ସୂଚନା ମିଳିଛି। ଲଘୁଚାପ ଏବେ ଡ୍ରିପେସନ୍ ଏବଂ କାଲି ଡିପ୍ ଡିପ୍ରେସନ ରୂପ ନେବା ସମ୍ଭାବନା ରହିଥିବା ଆଇଏମଡି ଅତିରିକ୍ତ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି, ଡିପ୍ରେସନ କ୍ରମେ ଆନ୍ଧ୍ର, ଓଡିଶା ଉପକୂଳ ଆଡକୁ ମୁହାଁଉଛି ଏବଂ ୧୦ ତାରିଖ ସକାଳ ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବା ସହ ୧୧ ତାରିଖ ସକାଳେ ବାତ୍ୟା ତିତଲି ଉପକୂଳ ଛୁଇଁବା ସମ୍ଭାବନା ରହିଛି ।

ସୂଚନା ଅନୁଯାୟୀ, ଆସନ୍ତା ୧୦ ତାରିଖ ସନ୍ଧ୍ୟାରୁ ୧୧ ତାରିଖ ଦିନ ଦ୍ୱିପହର ଯାଏ ଓଡିଶାରେ ପବନ ବହିବ । ୧୧ ତାରିଖ ସକାଳେ ଦକ୍ଷିଣ ଓଡିଶା ଉପକୂଳରେ ୮୦ ରୁ ୧୦୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ସେହିପରି ୯ ତାରିଖରୁ ୧୧ ଯାଏ ବର୍ଷା ଏବଂ ୧୦ ତାରିଖରୁ ୧୧ ତାରିଖ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ତେବେ ୧୨ ତାରିଖରେ ଓଡିଶାରେ ବର୍ଷା ପରିମାଣ କମିବାର ସମ୍ଭାବନା ରହିଛି ।

ସେପଟେ ସମ୍ଭାବ୍ୟ ବାତ୍ୟା ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ରାଜ୍ୟ ସରକାର । କେଉଁଠି ବାତ୍ୟା ସ୍ଥଳଭାଗ ଛୁଇଁବ ତାହା କାଲି ସ୍ପଷ୍ଟ ହେବାକୁ ଥିବା ବେଳେ ସମସ୍ତ ଜିଲ୍ଲାପାଳ ମାନଙ୍କୁ ପ୍ରସ୍ତୁତ ରହିବାକୁ ଆଲର୍ଟ କରାଯାଇଛି । ଏହା ସହ ଆବଶ୍ୟକ ଅନୁସାରେ ପ୍ରସ୍ତୁତି ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ପାଇଁ ଛୁଟି ମଧ୍ୟ ବାତିଲ ହୋଇଛି । ଏହା ସହ କାହାରିକୁ ଛୁଟିରେ ନଯିବାକୁ ଅନୁମତି ନଦେବାକୁ ମଧ୍ୟ କୁହାଯାଇଛି । ଏସଆରସି ଅଫିସ, ଓସଡମା ଅଫିସ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଡେପୁଟି ରିଲିଫ୍ କମିଶନର ପ୍ରଭାତ ମହାପାତ୍ର ।

ସମ୍ବନ୍ଧିତ ଖବର